ଅପରିଚିତ-୪-
ମିଳନର ମୋହିନୀ ନିଶା
◆◆◆◆◆◆◆◆◆◆
ବିନିଦ୍ର ଆଖିର
ଅସରନ୍ତି ସୋମବାର ରାତ୍ରୀଟି
ଲେଉଟାଇ ତା’ କଡ଼
ତ୍ୟାଗ କରି ସବୁ ଆଳସ୍ୟପଣ
ଛିଡା ହୋଇଛି ମଙ୍ଗଳବାର ପ୍ରଭାତର
ଦାଣ୍ଡ ଦୁଆରେ ।
ମନରେ ଅମାପ ଉନ୍ମାଦନାର ଲହରୀ,
ଆଖିରେ ଆଖିଏ ମିଳନର ପ୍ରତୀକ୍ଷା,
ଆଞ୍ଜୁଳିରେ ଆଞ୍ଜୁଳାଏ ବିରହର ଅଶ୍ରୁ ନେଇ
ମାଡିଚାଲିଲି ମୁଁ ଆଗକୁ ଆଗକୁ
ପୁଣି ସେଇ ଦୁଇ ନମ୍ବର ପ୍ଲାଟଫର୍ମକୁ ।
ମୋ ଛାତିର ତୀବ୍ର ହୃତସ୍ପନ୍ଦନ
ରେଳଧାରଣାର ଥରଥର କମ୍ପନ
ମୋତେ ଜଣେଇ ଦେଉଥାଏ
କୋଣାର୍କ ଏକ୍ସପ୍ରେସ ଆସିବାର ବେଳ ଇଏ ।
ମୋ ଭିତରେ ଉଦବିଗ୍ନତା
ବସି ଉଠି ପଡୁଥାଏ ମୁଁ…
ଉଠି ପୁଣି କ୍ଷଣକରେ ବସିଯାଇ
ଲକ୍ଷ୍ୟ କରୁଥାଏ ସମୟର ଗତିବିଧିକୁ ।
ପ୍ରତୀକ୍ଷାରତ ଦୁଇ ଆଖିରେ ମୋର
ବୋଳିଦେଇ ଆଶ୍ୱାସନାର ବାସଚନ୍ଦନ
ଛିଡାହୁଏ ସାମ୍ନାରେ
ଆକାଂକ୍ଷିତ କୋଣାର୍କ ଏକ୍ସପ୍ରେସ ।
ଚଳଚଞ୍ଚଳ ଅଗଣିତ ଜନଭିଡ଼ର ପ୍ଲାଟଫର୍ମରେ
ନୀଳପୋଷାକ ପରିହିତ ମୋ ନାୟକଟି
ବାଛି ହୋଇ ଯାଉଥିଲେ
ଠିକ୍ ନୀଳରାଜାଟିଏ ପରି ।
କିଛି ପାଦ ମୁଁ ଆଗକୁ ବଢାଇଲି
ଆଉ କିଛି ପାଦ ସେ,
ସ୍ଥୂଳ ବ୍ୟବଧାନର ଘଟୁଥିଲା ଆଜି ପରିସମାପ୍ତି
ପହଞ୍ଚି ଯାଉଥିଲୁ ଆମେ ଦୁହେଁ
ଦୁହିଁଙ୍କ ଅତି ପାଖାପାଖି ।
ଅମାନିଆ ଆଖି ମୋର
ଯେତେ ଦେଖିଲେ ବି ପ୍ରିୟତମକୁ
ବୁଝୁ ନ’ଥାଏ ମନ
ଅଝଟ ହୃଦୟ ଜିଦି କରୁଥାଏ
ଆଖି ପୁରେଇ ଦେଖିବାକୁ
ଯୁଗ ଯୁଗ ଧରି ମୋ ପ୍ରିୟତମକୁ ।
ଧୀରେ ଧୀରେ ଆଖି ଦ୍ୱୟର ଆମନ୍ତ୍ରଣ ବାର୍ତ୍ତାରେ
ବଢ଼ୁଥିଲା ସମର୍ପଣ, ସମ୍ମୋହନର
ମୋହିନୀ ନିଶା ।
ହଜିଗଲୁ ବାହୁବନ୍ଧନରେ ଆମେ ଦୁହେଁ ଆମରି ଦୁନିଆଁରେ
ଠିକଣା ଭୁଲି ନିଜର ବୁଡ଼ିଗଲୁ ଆମେ
ପ୍ରେମର ବିସ୍ତୀର୍ଣ୍ଣ ନୀଳ ସାଗରରେ ।
★★★★★★★
#ଦୀପିକା ଦାଶ