କରୋନା ର କାରନାମା
________________
ମା ଦୁର୍ଗା ଦୁର୍ଗତି ନାଶିନୀ
ଶକ୍ତି ସ୍ୱରୂପିଣୀ ମହିଷାମର୍ଦ୍ଦିନୀ
ଶୁଣା ଯାଉନାହିଁ କି
ଲକ୍ଷ ଲକ୍ଷ ଜନତାଙ୍କ ଆର୍ତ୍ତଚିତ୍କାର ?
ଦେଖା ଯାଉନାହିଁ କି
କୋଟି କୋଟି ଜନତାଙ୍କ ଆଖିର
ଅବିରତ ଲୁହ ଧାର ?
ଅନୁଭବ କରି ପାରୁନାହଁ କି
ମହାମାରୀ କରୋନା ପୀଡିତ
ସମଗ୍ର ରାଷ୍ଟ୍ରର ହାହାକାର ?
ଦିନେ କେବେ ତୋ ସୃଷ୍ଟି
ଧରା ମଣ୍ଡିତ ଥିଲା ଶସ୍ୟ ଶ୍ୟାମଳିମାରେ
ଆଜି କିନ୍ତୁ
ଘଟିଛି କରୋନାର ବିଭୀଷିକା
ଚତୁଃପାର୍ଶ୍ବରେ
ଏକଛତ୍ରବାଦୀ ଶାସକ ସାଜି
କରୋନା କରୁଛି ଦମନଲୀଳା
ଏ ସାରା ବିଶ୍ୱରେ ।
କରୋନାର କାରାଗାରେ
କେତେ ଯେ ବନ୍ଦୀ
ମୃତ୍ୟୁ ଦଣ୍ଡାଦେଶେ ହେଲେ ଘୋଷିତ
ଆଉ କିଛି
ସେ ବନ୍ଦୀଗୃହର ପାଚେରୀକୁ ଡେଇଁ
ଜୀବନରେ ହେଲେ ନବାଗତ ।
ଅତିଷ୍ଠ ପ୍ରାଣୀ ମନ ଆଜି ହୁଏ ଅଧୀର
ଚତୁର୍ଦ୍ଦିଗେ ଦେଖି କୁଢ଼କୁଢ଼ ଶବ
ଫାଟୁଥିବା ଦୃଶ୍ୟ ଛାତିମାନଙ୍କର ।
ଓଃ ଅସହ୍ୟ ଏଇ କରୋନାର କାରନାମା
ପୈଶାଚିକ ଉଲ୍ଲାସେ ବାହାବାହା ମାରେ
ଶ୍ବାସରୁଦ୍ଧ କରି ଜଣଜଣ ହତ୍ୟାକରେ
ନିଏ ପୁଣି ମୃତ୍ୟୁ ଜରିମାନା ।
ଚକ ଅଖ ବନ୍ଦ ଆଜି
ଲୋମହର୍ଷଣକାରୀ ଧ୍ବଂସଲୀଳାରେ
ପେଟପାଟଣାର ନିର୍ବାଣ ଘଟୁଛି
ପଶୁ ପକ୍ଷୀ କଥା ଛାର
ମନୁଷ୍ୟ ଧରାଶାୟୀ ରାଜରାସ୍ତାରେ ।
ନିଷ୍ପେସିତ ଆଜି ମଣିଷ ସମାଜ
ସ୍ୱାମୀ ଆଖିବୁଜେ ସ୍ତ୍ରୀ ଆଗରେ
ଏ କେମିତି ଲକ୍ଷ୍ମଣଗାର
ଜନ୍ମ କଲା ମା’ ର ପାଟିରେ
ନିର୍ମାଲ୍ୟ ଦେବା ବି ମନା ପୁଅକୁ
କରୋନା ସଂକ୍ରମଣର ଭୟରେ ।
ବର୍ବରୋଚିତ କରୋନାର ଆକ୍ରମଣେ
ଭୀତତ୍ରସ୍ତ ଆଜି ମାନବ ସମାଜ
ଆଶାରେ ବଞ୍ଚନ୍ତି
ତ୍ରାହି ପାଇବେ ତୋ ଧରାବତରଣେ ।
ଅନ୍ଧ, ମୁକ, ବଧିର
ପାଲଟିଗଲୁ କି ମା
ଥରୁଟିଏ ଏ ଧାରାକୁ ଓହ୍ଲାଇ ଆ
ବିନାଶି କରୋନା ତୋ ଲୀଳାଭୂମିରେ
ଖୋଲି ଦେଏ ଦଶଭୁଜା
ପ୍ରକଟ ହେଏ ଲୋ ମା ତୋ
ଉଗ୍ର ରୂପରେ ।
★★★★★★★★★
*©®ଦୀପିକା ଦାଶ*