.
#ଦୋଛକି
#ଫରକ
ପୁଷ୍ପ କଥା ଘରେ କେମିତି କହିବି ଭାବିଭାବି ଘରେ ଆସି ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା l
ମୋ ନନା ଆମ ବ୍ରାହ୍ଣଣ ଶାସନର ମୁଖିଆ ଲୋକ, ସଭିଏଁ ତାଙ୍କୁ ସମ୍ମାନ, ଆଦର କରନ୍ତି l ଆମ ପଂଚାୟତ ହାଇସ୍କୁଲର ସେ ପ୍ରଧାନ ଶିକ୍ଷକ l ଶିକ୍ଷିତ ବ୍ୟକ୍ତି ଭାବରେ ସେ କଣ ଏ ଜାତିଫାତିରେ ବିଶ୍ବାସ କରୁଥିବେ ଯେ ! କଣ ହେଇ ଗଲା ସେଠୁ, ପୁଷ୍ପ ପାଖ ଗାଁର ଚଇତା ବାରିକଙ୍କ ଝିଅ ; ଜାତିରେ ଭଣ୍ଡାରୀ ହେଲେ କଣ ଅସୁବିଧା ଅଛି ଯେ ଗୁଣ, ଚରିତ୍ରରେ ତ ସେ ସଭିଙ୍କ ଭିତରେ ବାରି ହୋଇଯିବ l ଆର୍ଥିକ ଦୁରାବସ୍ଥା ସତ୍ତ୍ୱେ ସେ ଯେ ବିନା କାହାର ସହଯୋଗରେ ନିଜେ ପରିଶ୍ରମ କରି ଆଜି ଶିକ୍ଷୟିତ୍ରୀ ଭାବେ ସରକାରୀ ବିଦ୍ୟାଳୟରେ ଯୋଗ ଦେବାକୁ ଯାଉଛି l ପିଲାଟି ଦିନରୁ ତାର ଏଇ ସଂଘର୍ଷ ଓ ସବୁ ଜଟିଳ ପରିସ୍ଥିତିକୁ ସାମ୍ନା କରିବା ନିମନ୍ତେ ଆତ୍ମବିଶ୍ଵାସ ଦେଖି ହିଁ ମୁଁ ଯେ କେତେବେଳେ ତା ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହୋଇ ପ୍ରେମରେ ବାନ୍ଧି ହୋଇଯାଇଛି, ମୁଁ ବି ଜାଣିନି, ଆପତତଃ ସେ ମଧ୍ଯ ଜାଣିନି l ଆମ ଦୁହିଁଙ୍କ ମଧ୍ୟର ଏ ସମ୍ପର୍କ ହୁଏତ ପ୍ରକୃତିଦତ୍ତ ; ମୁଁ କେବେକେବେ ଭାବି ନିଏ l ପାଠପଢା ପାଇଁ ସମସ୍ତ ପ୍ରକାର ସହଯୋଗ ପାଇ ମୁଁ ତଥାପି ବେସରକାରୀ ଚାକିରିଟିଏ ହିଁ କରିପାରିଲି l ମୋ ସ୍ଥାନରେ ଯଦି ପୁଷ୍ପକୁ ସବୁ ପ୍ରକାର ସୁବିଧା ସୁଯୋଗ ମିଳିଥାନ୍ତା, ସେ ଆଜି କେତେ ଆଗକୁ ଆହୁରି ନ ଯାଇଥାନ୍ତା l ମୋତେ ଗର୍ବ ଲାଗେ ତା ପାଇଁ l
ପଡୋଶୀ ଘର ସୁଧାକର ନନା, ଆଉ ପାଞ୍ଚ ଛ ଜଣ ଘରକୁ ଆସିଛନ୍ତି l ନନା ତାଙ୍କ ସହିତ କଥା ହେଉଛନ୍ତି, “ଆରେ ଆମରି ପିଲାଟା ତ, ଯଦି ଭଲ ପାଇ ବାହା ହେବାକୁ ଚାହୁଁଛି ସେପଟ ଗାଁ ନିଧିଆ ବାରିକ ଝିଅକୁ ; ଆମେ ଏଥିରେ ଅରାଜି ହେବାର କଣ ଅଛି ଯେ ! ଭଲ ହେଲା ଯେ ପୁଅ ଆଗରୁ ଜଣାଇ ଦେଇଛି l ଆଜିକାଲିକା ପିଲା, ଯଦି ବାହା ହୋଇ ସିଧା ଆସି ପହଁଚି ଥାଆନ୍ତା ଘରେ, ସେତବେଳକୁ ଆଉ କଣ ଚାରା ଥାଆନ୍ତା କିଛି ? ଆଉ, ଇଏ କି ପାଗଳାମି ସବୁ କରୁଚ ତୁମେ ? ପୁଅ ସେଠି ବିବାହ କଲେ ଘର ଛାଡି ଚାଲିଯିବି, ପାଗଳ ହେଇଯିବି l ଭଲ ଭାବେ ବୁଝିବାକୁ ଚେଷ୍ଟା କର l ଆମେ ସବୁ ଶିକ୍ଷିତ ବୁଦ୍ଧିଜୀବୀ ଲୋକ, ଆମ ସମାଜରେ ଏ ଜାତିଆଣ ମନୋଭାବ ଆଉ ରଖିଲେ ହେବ କି ! ବିବାହ ପାଇଁ ସମ୍ମତି ଦେଇ ବରଂ ଆମେ ନିଜର ଉଚ୍ଚ ଆଦର୍ଶ ଓ ମହାନୁଭବତା ଦେଖାଇବା ଉଚିତ୍ l”
ଓଃ ! ମଣିଷ କେତେ ବଡ଼ ଚିନ୍ତାରୁ ମୁକୁଳିଲା ଯାଇ ଏବେ l ନନାଙ୍କର ଏ ପ୍ରକାର ଉଚ୍ଚ ଚିନ୍ତାଧାରା, ଆଉ ମୁଁ ଅଯଥାରେ ବ୍ୟସ୍ତ ହେଉଥିଲି l ଏବେ ସବୁ ଦ୍ଵନ୍ଦ୍ଵକୁ ମନରୁ କାଢି ସୁଧାକର ନନା ଆମ ଘରୁ ଗଲା ପରେ ନନାଙ୍କ ପାଖକୁ ଗଲି l “ତୁମକୁ କିଛି କହିବାର ଅଛି, ନନା”
“ହଁ କହ, କଣ କହିବୁ କହ ”
“ମୁଁ….
ମୁଁ କଣ କହୁଥିଲି କି….
ନନା
ମୁଁ ବି ଜଣଙ୍କୁ ଭଲ ପାଏ,ଆଉ….
ତାକୁ ହିଁ ବିବାହ କରିବାକୁ ଚାହେଁ,
ଆମ ପାଖ ଗାଁର ଚଇତା ବାରିକଙ୍କ ଝିଅ ପୁଷ୍ପ…. ଆମେ ଦୁହେଁ ପରସ୍ପରକୁ….”
ହଠାତ୍ ଅଧାରୁ ମୋତେ ଚୁପ୍ କରାଇ ଚିତ୍କାର କରି ଉଠିଲେ ନନା
“କଣ ! ସେ ବାରିକ ଘର ଝିଅ ଆମ ଘର ବୋହୂ ହେବ, ପାଗଳଙ୍କ ପରି କଥାବାର୍ତ୍ତା କରୁଛୁ, ଆମେ ମାନେ ଉଚ୍ଚ ବ୍ରାହ୍ମଣ ; ପଞ୍ଚାୟତ ସାରା ମୋର ସମ୍ମାନ, ଆମ ବଂଶର ଆଭିଜାତ୍ୟ କେମିତି, କଣ ତୋତେ ଜଣା ନାହିଁ, ଆହୁରି ବୁଝାଇବାକୁ ହେବ, ସେ ଝିଅ ତୋ ମୁଣ୍ଡକୁ ବିଗାଡି କଣ ପୂରେଇ ଦେଇଛି କେଜାଣି ! ତୁ ଏଇ ମୁହୂର୍ତ୍ତରୁ ସେ ଝିଅ ସହିତ ତୋର ସମ୍ପର୍କକୁ ଭୁଲିଯା, ସେ ଝିଅ କଦାପି ଏ ଘରର ବୋହୂ ହୋଇ ପାରିବନି l ଆରେ ସେ ସୁଧାକର କଥା ଅଲଗା, ଆମ କଥା ଅଲଗା l ଶୁଣେ ବାବା, ମୋ ମୁଣ୍ଡ ଛୁଇଁ ଶପଥ କରେ…. ଏକଥା ଯେମିତି ମୋ ଛଡ଼ା ଦ୍ଵିତୀୟ ବ୍ୟକ୍ତି କେହି ନ ଜାଣନ୍ତି, ମୋ ସମ୍ମାନ, ଆମ ଆଭିଜାତ୍ୟ, ପରମ୍ପରା ସବୁ ତୋ ହାତରେ, ମୋତେ କୌଣସି ପ୍ରଶ୍ନ କରେନା, ଯଦି ସେମିତି ତୁ ବାଧ୍ୟ କରୁ, ତାହେଲେ ମୁଁ ପାଗଳ ହେଇ ଆତ୍ମହତ୍ୟା କରିବାକୁ ସୁଦ୍ଧା ପଛେଇବିନି ଯେ” ତାଙ୍କ ମୁଣ୍ଡ ଉପରୁ ମୋ ହାତ କାଢି ଦେଇ କ୍ଷୀପ୍ର ଗତିରେ ବାହାରକୁ ଚାଲିଗଲେ ନନା l
ଆଉ ମୁଁ ଏବେ ବି ଉଚ୍ଚାରଣ ଓ ଆଚରଣର ଫରକ ଭିତରେ ସେ ପାଗଳାମି, ଆଦର୍ଶ ଆଉ ମହାନୁଭବତାଟିକକ ଖୋଜୁଥାଏ ହାଁ ଟେ କରି ଅନେଇ l
#ବୋଝ
ଚୁପ୍ ଚାପ୍ ବୈଠକ ଘରୁ ଛାତ ଉପରକୁ ଆସିବା ଛଡା ସେଇ ମୁହୂର୍ତ୍ତରେ ମୁଁ ଆଉ କଣ କରି ପାରିଥାନ୍ତି ?
ଆଭିଜାତ୍ୟର ସେ ଚାରିକାନ୍ଥ ଭିତରଟା ମୋତେ କାଇଁ କେମିତି କେମିତି ଲାଗୁଥିଲା ; ମୁଁ ଅଣନିଃଶ୍ଵାସୀ ନ ହେବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ସମର୍ଥ ହୋଇ ପାରୁନଥିଲି, ଛାତ ଉପରଟାରେ ବି ଯେମିତି ମୁଁ ଅନୁଭବ କରୁଥିଲି ସେଇ ଆମ ବଂଶର ଆଭିଜାତ୍ୟର ବାସ୍ନା l ସେଦିନ ଆକାଶକୁ ଚାହିଁ ଚାହିଁ ଢେର୍ ରାତି ହେବା ପରେ ମୁଁ ଆସିଲି ମୋ ରୁମ୍ କୁ l ପୁଷ୍ପ ଫୋନ୍ କରିଥିଲା, ମୁଁ ଉଠେଇ ପାରିଲିନି l ଫୋନର ଚାର୍ଜ ସରି କେତେବେଳେ ସୁଇଚ୍ ଅଫ୍ ହୋଇ ଯାଇଥିଲା ଆଉ ମୋ ଆଖିରେ ନିଦ ବି ଆସି ଯାଇଥିଲା, ମୁଁ ପ୍ରାୟ ଜାଣିନି l
ପରଦିନ ସକାଳେ ଉଠି ଦେଖେ ତ ଫୋନ ସୁଇଚ୍ ଅଫ୍, ଚାର୍ଜ ବସେଇ ନିତ୍ୟକର୍ମ ସାରି ଆସି ଫୋନ୍ ଖୋଲେ ତ ପୁଷ୍ପର କେତେ ମିସଡ୍ କଲ୍ ଆଉ ମେସେଜ୍ l ଫୋନ୍ କରିବାର ସାହସ ନ କରି ପାରି ମେସେଜ୍ ପଢିଲି l ” ଏତେ ଥର ଫୋନ୍ କରୁଛି, ଉଠାଉନା କାହିଁକି ଯେ, ଜାଣିଛ…. ମୁଁ ତ କେତେ ଡରୁଥିଲି, ବାପା ଆମର ଏତେ ସୁନ୍ଦର୍ ଲୋକ, ଆଉ ତୁମେ ତାଙ୍କ ସ୍ଵଭାବକୁ ଏତେ କଠୋର ବୋଲି ମୋତେ କହୁଥିଲ, ମୋ ପିଉସୀଝିଅ ଭଉଣୀଙ୍କୁ ତୁମ ସାହିର ସୁଧାକର ନନା ନିଜ ପୁଅ ସହ ବିଭା ଦେଇ ବୋହୂ ଭାବରେ ଗ୍ରହଣ କରିବାକୁ ଖୁସିରେ ରାଜି ହୋଇଛନ୍ତି, ଆଉ ଏସବୁ କେବଳ ଆମ ବାପାଙ୍କ ଉଚିତ୍ ପରମର୍ଶ ଯୋଗୁ l ବାପା ଯଦି ଏତେ ଭଲ ସେ ଉଦାରମନା ହୋଇ ତାଙ୍କୁ ନ ବୁଝାଇଥାନ୍ତେ, ତାହେଲେ କଣ ସୁଧାକର ନନା କେବେ ଆମ ଜାତିରୁ ଝିଅ ବୋହୂ କରି ନେଇଥାନ୍ତେ ! ବାପାଙ୍କ ଏ କଥାକୁ ନେଇ କେତେ ଚର୍ଚ୍ଚା ଆଜି ଆମ ଗାଁ ରେ l ସତରେ ଆମର ଭାଗ୍ୟ l ଆମ ବିବାହ ପାଇଁ ବି ତ ବାପା କେତେ ଖୁସି ହୋଇ ରାଜି ହେବେ l ତୁମେ ଏଥର ନିଶ୍ଚିତ ହୋଇ ତାଙ୍କୁ ଖୁସିରେ ଏସବୁ କହି ପାରିବ l ବାପାଙ୍କ ପରିକା ବ୍ୟକ୍ତିଙ୍କ ବୋହୂ ହୋଇ ମୁଁ ଗର୍ବିତ ହେବି l”
ପୁଷ୍ପର ଏଇ ତକ ମେସେଜ୍ ପଢି ସାରି ଆଉ ତାକୁ ଫୋନ୍ କରି କିଛି କହିବାର ଶକ୍ତି ନଥିଲା ମୋ ପାଖେ l
କେମିତି ବା କୁହନ୍ତି ତାକୁ, ସେ ଗର୍ବିତ ହୋଇ ମାନି ସାରିଥିବା ଆମ ବାପା ମାନେ ମୋ ନନା ଯେ ଗତରାତିରେ ତା ପ୍ରେମ ଆଉ ତାକୁ ଭୁଲିଯିବାକୁ ମୋତେ ଯେ ଶପଥ କରେଇଛନ୍ତି ତାଙ୍କ ସମ୍ମାନ, ଆଭିଜାତ୍ୟ ଓ ପରମ୍ପରାର ବୋଝତକ ମୋ ହାତକୁ ଟେକି ଦେଇ l
ମୁଁ ସେମିତି ଦୋଛକିରେ ଛିଡା ହୋଇଥାଏ ଅସରନ୍ତି ବେଳ ଯାଏଁ…..
@ଅଂଶୁମାନ୍ ସାହୁ
I’ll straight away snatch your rss as I can’t find your email membership hyperlink or publication assistance.Do you might have any? Kindly let me recognise as a way that I may subscribe.Many thanks.