.ଭୁଲି_ପାରେନା

ମୁଁ ହୁଏତ ମନେ ରଖି ପାରେନା
ପ୍ରଥମ ଦେଖାରେ
ତୁମେ କେଉଁ ହାତଘଣ୍ଟା ପିନ୍ଧିଥିଲ
ଗୋଲାପି କି ନୀଳ,
ଟାଇଟାନ୍ କି ସୋନାଟା,
ପୁଣି ସେଥିରେ ଅବସ୍ଥିତି
ତିନୋଟିଯାକ କଣ୍ଟାର

ହଁ, କିନ୍ତୁ ଭୁଲି ବି ପାରେନା
ଆବେଗ ସେ ସମୟର..

ମୁଁ ଆହୁରି ମନେ ରଖି ପାରେନା
ସାଙ୍ଗ ହୋଇ ପ୍ରଥମ ଥର ପାଇଁ
ମନ୍ଦିର ଗଲା ଦିନ
ତୁମ ମଥାର ବିନ୍ଦିର ରଙ୍ଗ
କୃଷ୍ନ କି ଶୁଭ୍ର,
ତୁମ ଫୁଲପକା ଚୁନୁରିର ବାସ୍ନା
ଆଉ ତୁମ ମୁକୁଳା କେଶର ଫାଙ୍କରୁ
ମୋ ସହ ସେଦିନ
ଘଡିଏ ଘଡିଏ ଲୁଚକାଳି ଖେଳୁଥିବା
ତୁମ କାନଫୁଲର ଆକୃତି, ଆକାର

ହଁ, କିନ୍ତୁ ଭୁଲି ବି ପାରେନା
ସେଦିନ ସେ ଦୀପ ଜାଳି ତୁମ ସହ
ହଜାରେ ଜନ୍ମ ସାଥିରେ ରହିବା ପାଇଁ
କରିଥିବା ଆକୁଳ ପ୍ରାର୍ଥନାର ସ୍ବର….

ମୁଁ ଅନେକ୍ ଥର ମନେ ରଖେନା
ସେଇ ସବୁ ପହିଲି ସ୍ମୃତିର
ପହିଲି ଦେଖା, ପହିଲି ଛୁଆଁର
ଅଭୁଲା ଦିନସବୁ ସାଥେ ତୁମ ଜନ୍ମଦିନ

ହଁ, କିନ୍ତୁ ଭୁଲି ବି ପାରେନା
ତୁମକୁ ଦେଖିବା ପରେ, ଛୁଇଁବା ପରେ
ଅସମ୍ଭବ ଭାବେ ବଢି ଯାଇଥିବା
ମୋର ସେ ହୃତ୍ ସ୍ପନ୍ଦନ….

ଆଉ ଏବେ ମୋତେ ଲାଗେ
ମୁଁ ହୁଏତ ଭୁଲି ଯାଇ ପାରେ
ସମଗ୍ର ପୃଥିବୀ ଆଉ
ଯାବତୀୟ ପାର୍ଥିବ ଜୀବନ ;
ଯେହେତୁ ଭୁଲିଯିବାଟା ବୋଧେ
ପ୍ରେମର ପ୍ରମୁଖ ଲକ୍ଷଣ !

ହଁ କିନ୍ତୁ କଦାପି ଭୁଲି ପାରେନା
ତୁମ ଆତ୍ମା ସହ ତଲ୍ଲୀନ ହୋଇ
ଏକାକାର ହୋଇଯିବାର
ସେ ସ୍ଵର୍ଗୀୟ, ଶାଶ୍ୱତ ଆକର୍ଷଣ….

@ଅଂଶୁମାନ ସାହୁ, ଜଗତସିଂହପୁର

.

 261 total views,  1 views today

Leave a Reply

Your email address will not be published. Required fields are marked *