ମାତୃଭାଷା
◆×××◆×××◆
ମା’ ର ଗରଭୁ ଜନମି ଯେବେ ମୁ
ମାଟି ମାଆ କୁ ଛୁଇଁଲି
ସନ୍ତାନ ସମ ତୋଳିନେଲା କୋଳେ
ଖିଲି ଖିଲି ହସୁ ଥିଲି,
ତା ଛାତିରେ ପାଦ ରଖି
ଜୀବନ ଯାତ୍ରା ମୋ ଆରମ୍ଭ କରିଲି
ସମୟ ରହିଛି ସାକ୍ଷୀ ।
ଅମୃତ ପରଶ ସମ ବକ୍ଷ ରସ
ମୁଖେ ମୋର ମାଆ ଦେଲା
ମୋ ଅଳି ଅଝଟ କଟାଳ ଜିଙ୍ଘାସା
ସବୁ ସିଏ ସହି ନେଲା,
ତା କୋଳ ଝୁଲଣା କରି
ଆକାଶ ର ଚାନ୍ଦ ଦେଖାଇଲା ସିଏ
ତାକୁ କିଏ ହେବ ସରି ।
ଅମୃତ ବୋଳା ଭାଷା ଶିଖାଇଲା
ମୋ କଣ୍ଠେ ତୋଳିଲା ସୁର
ବାହୁ ବନ୍ଧନ ରେ ବାତ୍ସଲ୍ୟ ପ୍ରେମରେ
ଶିଖାଇଲା ମୋତେ ଗିର ,
ଲେଖନୀ ଧରାଇ ହାତେ,
ଶିଖାଇଲା ସିଏ ହୃଦୟ ର କଥା
ଲେଖିଲି ସାନନ୍ଦ ଚିତ୍ତେ ।
ତାହା ଅଟେ ମୋର ମାତୃଭାଷା ଜାଣ
ଗରବେ କହିବି ଆଜି
ତାହାର ଉନ୍ନତି କରିବି ସଦା ମୁଁ
ଜୀବନେ ଲଗାଇ ବାଜି
ଲିଖନେ ଅବା ପଠନେ
ସମଗ୍ର ବିଶ୍ୱରେ ରଖିବି ତା ଟେକ
କାମ୍ୟ ହେଉ ମୋ ଜୀବନେ ।
ମାତୃଭାଷା ଆଉ ମାତୃଭୂମି ମୋର
ସଦା ଅଟେ ବନ୍ଦନୀୟ
ତାହାରି ସେବାରେ ଅରପି ଜୀବନ
ଜିଣିବି କୋଟି ହୃଦୟ
କରିବି ବଜ୍ର ଶପଥ
ତା ସେବା ରେ ଦିନ ବିତାଇ ଦେଇ ମୁଁ
ଲଭିବି ସୁଗମ ପଥ ।
ଆଜିର ଦିବସ ପ୍ରତିଟି ହୃଦୟେ
ଦେଉ ଏହି ମହା ଶିକ୍ଷା
ଚରାଚର ବିଶ୍ୱେ ମୋ ଭାଷା ଉନ୍ନତି
ହେଉ ଆମ ମହା ଦୀକ୍ଷା
କୋଟି ହୃଦୟ କୁ ଛୁଇଁ
ପ୍ରତି ମୁଖେ ଭରୁ ଆନନ୍ଦ ଜୁଆର
ବିଶ୍ୱେ ଅଦ୍ୱିତୀୟ ରହି ।
~~~~~~◆◆◆~~~~~~
ପ୍ରତାପ କିଶୋର ରାଉତ
ତେନ୍ତୁଳିପଦୀ, ହାଟଡିହି କେନ୍ଦୁଝର
ମୋ-8327725033