*ହଜିଲା ଧନ*
**********
ଭାସ୍କର ରାଉତ
***********
ଭାଙ୍ଗିଯିବା ମନ ଗଢ଼ିବାଟା ଜାଣ
ସହଜ ନୁହଇ ସେହି
ଭାଙ୍ଗିଗଲେ ମନ ଛପରା ସମାନ
ବିବୁଧେ ଅଛନ୍ତି କହି।
ଦେଖ ଏ ସଂସାର ଦିଶୁଛି ସୁନ୍ଦର
କତେ ଧନରତ୍ନ ତହିଁ
ପୁରି ରହିଅଛି କଳି ନହେଉଛି
ଶ୍ରେଷ୍ଠ ଗୋଟିଏ ଅଟଇ।
ଅନ୍ୟ ଯେତେ ଧନ ସବୁ ଅକାରଣ
ଜୀବନ ଧନ ପାଖରେ
ଧନର ବଳରେ ସବୁ କରିପାରେ
ଜୀବନ ରଖିନପାରେ।
ହଜିଗଲେ ଧନ ଖୋଜୁଥାନ୍ତି ଜନ
ବେଳେ ବେଳେ ମିଳିଯାଇ
ଜୀବନ ଧନଟି ହଜଇ ଯେବେଟି
ଖୋଜିଲେ ମିଳଇ ନାହିଁ।
ଜନନୀ ଜନକ ଧନଅଟେ ତାଙ୍କ
ସନ୍ତାନ ସନ୍ତତି ଯେତେ
ପାଶରୁ ଅନ୍ତର ହୋଇଲେ ତାହାର
ବ୍ୟାକୁଳେ ଖୋଜନ୍ତି କେତେ।
ପାଇଗଲେ ତାକୁ ଭିଡ଼ିଣ କୋଳକୁ
ଆନନ୍ଦେ ଭିଡ଼ି ରଖଇ
ତା ହଜିଲାଧନ ପାଇବାରୁ ମନ
ଅତ୍ୟନ୍ତ ଖୁସି ହୁଅଇ।
ସକଳ ଧନକୁ ଯତନେ ତାହାକୁ
ସୁରକ୍ଷା ଦେବ ଯୋଗାଇ
ବେଳ ଅବେଳରେ ସାହା ହୋଇବରେ
ନିଜ ଜୀବନରେ ସେହି।
*************