*ଶ୍ରୀ ରାଧା ଶରଣମ*
**************
ଡଃ ପ୍ରିୟମ୍ବଦା ସାମଲ
************
ତୁମେ ଦିବ୍ୟ ପ୍ରାଣା ଭବ୍ୟ ଚେତନାର
ପବିତ୍ର ପ୍ରକୃତି ରୂପ
ଅପ୍ରାକୃତ ପ୍ରେମ ସଙ୍ଗୀତ ସୁରର
ଶତତାଳ ଝଙ୍କୁରିତ।
ତୁମରି ପ୍ରାଣର ଦିବ୍ୟ ଚେତନାରେ
ନିନାଦିତ ଗୋପପୁର
ଭବ୍ୟ ପ୍ରୀତିଧାରା ପ୍ରାଣର ସ୍ଫୁଲିଙ୍ଗ
ଝରୁଥାଏ ନିରନ୍ତର।
ଆକୁଳିତ ପ୍ରାଣ ବ୍ୟାକୁଳିତ ମନ
କାହ୍ନୁର ଦର୍ଶନ ପାଇଁ
ବନ ଉପବନ ହସି ଉଠୁଥାଏ
ତୁମରି ପରଶ ପାଇ।
ରାଧା ରାଣୀ ତୁମେ ପ୍ରକୃତି ସ୍ୱରୂପା
ତୁମ ପ୍ରାଣେ ଦିବ୍ୟ ରସ
ସେ ରସ ପାଇଲେ ପ୍ରାଣରେ ପୂର୍ଣ୍ଣତା
ମନରେ ଆସେ ସରସ।
ରାସଶ୍ୱରୀଙ୍କର ପାଦର ଦର୍ଶନେ
ଶତ ଶତ ନରନାରୀ
ନାଲି ଅଳତାରେ ରୁଣୁ ଝୁଣୁ ଧ୍ଵନି
ମନକୁ ନେଉଛି ହରି।
ଦରଶନ ପାଇଁ ଦିବ୍ୟ ପାଦ ସତେ
ଲାଗଇ ମନରେ ମୋହ
ଲାବଣ୍ୟ ଝରାସେ ଦର୍ଶନ ମାତ୍ରକେ
ସର୍ବ ପାପ ହୁଏ କ୍ଷୟ।
ମାନମୟୀ ରାଧା ଭବ୍ୟ ଚେତନାର
ଅଫୁରନ୍ତ ଧାରା ପ୍ରେମ
ଶତ ସଉଭାଗ୍ୟ ଜୀବନେ ମିଳଇ
ରାଧା ପଦେ ଶରଣମ।
***************