ଶୀର୍ଷକ – ଦେବୀ ବାସନ୍ତୀ
ରାଗ – କେଦାର କାମୋଦୀ
( ଖଣ୍ଡିଯେ ଖଣ୍ଡି ତୋର – ବୃତ୍ତେ )
ତ୍ରେତୟା ଯୁଗ ସେତ ବସନ୍ତ କାଳ
ଶ୍ୟାମଳ ବର୍ଣ୍ଣେ ଶୋଭା ଧରଣୀ କୋଳ ଯେ।।୧
ପିତୃସତ୍ୟ ପାଳନେ ପ୍ରଭୁ ଶ୍ରୀରାମ
ପଞ୍ଚବଟୀରେ ଥାନ୍ତି ସନ୍ୟାସୀ ସମ ଯେ ।।୨
ରାବଣ କଲା ସେଠୁ ସୀତା ହରଣ
ବିକଳେ ଖୋଜୁଛନ୍ତି ପଦ୍ମ ନୟନ ଯେ ।।୩
ଜଟାୟୁ ଠାରୁ ଶୁଣି ସମସ୍ତ ବାର୍ତ୍ତା
ଦୁର୍ଗାଙ୍କୁ ସୁମରନ୍ତି ଜାନକୀ କର୍ତ୍ତା ଯେ ।।୪
ସମୁଦ୍ର ଲଂଘି ବାକୁ ହୁଅ ସଦୟ
ଶରଣ ପଶେ ରଘୁ କୁଳ ତନୟ ଯେ ।।୫
ମୃଣ୍ମୟ ମୂର୍ତ୍ତି ଗଢି ବାସନ୍ତୀ ରୂପ
ପୂଜନ୍ତି ଭକ୍ତି ଭାବେ କରନ୍ତି ତପଃ ସେ ।।୬
ନୀଳ କମଳ ଶହେ ଆଠ ମଧ୍ୟରୁ
ଚୋରାଇ ନେଲେ ମାତା ପୁଷ୍ପ ଡାଲାରୁ ଯେ ।।୭
ପରୀକ୍ଷା ପାଇଁ ମାତା ରାମଙ୍କ ଭକ୍ତି
ଏପରି କଲେ ଦୁର୍ଗା ଯେ ଆଦି ଶକ୍ତି ସେ ।।୮
ଚିନ୍ତିଲେ ମନ ମଧ୍ୟେ ପଦ୍ମଲୋଚନ
ପଦ୍ମ ବଦଳେ ଦେବି ନିଜ ନୟନ ଯେ ।।୯
ଚକ୍ଷୁ ଉପାଡ଼ି ବାକୁ ଧରନ୍ତେ ତୀର
ପ୍ରସନ୍ନ ହୋଇ ମାତା ଧରିଲେ କର ସେ ।।୧୦
ତୁମ ପୂଜାରେ ରାମ ହେଲି ସନ୍ତୁଷ୍ଟ
ପୂରଣ ହେବ ସ୍ବତଃ ତୁମ ଅଭିଷ୍ଟ ଯେ ।।୧୧
ରାମ ହସ୍ତେ ରାବଣ ହେଲା ନିହତ
ଉଦ୍ଧାରିଲେ ବୈଦେହୀ କୌଶଲ୍ୟା ସୁତ ସେ ।।୧୨
ଚଇତ୍ର ଶୁକ୍ଳ ପକ୍ଷ ପ୍ରତିପଦାରୁ
ବାସନ୍ତୀ ରୂପେ ମା’ଙ୍କୁ ପୂଜନ କରୁ ଯେ ।।୧୩
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର ।