ସେଇ ପିଲା ବେଳ କଥା
******************
ମାଆ ବାଢ଼ି ଦିଏ ପଖାଳ ସାଙ୍ଗକୁ
ବଢ଼ି ଚୁରା ଆଳୁ ପୋଡ଼ା
ବେଣୀ ବାନ୍ଧିଦିଏ ଯତନେ ମୋହର
ଦୁଇ କରେ କରି ଯୋଡ଼ା ।।
ଫୁଲ ବାନ୍ଧୁ ବାନ୍ଧୁ କହିଦିଏ ମାଆ
ଚଗଲା ହବୁନି ଜମା
ଗୁରୁ ହେଉଛନ୍ତି ଈଶ୍ୱର ସମାନ
ପ୍ରଣାମ କରିବୁ ମାମା ।।
ପାଠ ପଢି ଭଲ ମଣିଷ ହୋଇଲେ
ସଭିଏଁ ହୋଇବେ ଖୁସି
ସାଙ୍ଗ ସାଥି ମେଳେ କଳି କରିବୁନି
ପଢ଼ିବୁ ସାଥିରେ ବସି ।।
ବୁଝାଇ ପଠାଏ ବିଦ୍ୟାଳୟକୁ ସେ
ଚାହିଁ ରହିଥାଏ ବାଟ
ଖାଇଛି କି ନାହିଁ ଝିଅ ତାର କିଛି
ଅଣ୍ଡାଳି ଦିଅଇ ପେଟ ।।
ମନରେ ରହିଛି ମନେ ରହିଥିବ
ସେଇ ପିଲା ବେଳ କଥା
ମାଆର ଶରଧା ମାଆ ହାତ ରନ୍ଧା
ଏବେ ବି ଲାଗଇ ମିଠା ।।
ସତରେ ତା ପାଖେ ବଡ଼ ମୁଁ ହୋଇନି
ଆଜି ଯାଏଁ ଅଛି ଛୋଟ
ନ ଖାଇଥିଲେ ମୁଁ ଚାହିଁ ରହିଥାଏ
ଏବେ ବି ଅଣ୍ଡାଳେ ପେଟ ।।
ଲକ୍ଷ୍ମୀପ୍ରିୟା ସେଠୀ
ଦେଉଳି,ଯାଜପୁର
ସତରେ ଏଇ କବିତାଟି ପଢୁପଢୁ ମୋ ଛୋଟବେଳର ସ୍ମୃତି ମନେପଡିଲା । କହିବାକୁ ଗଲେ, ଉକ୍ତ କବିତାଟି “ଚିରସବୁଜ” । ମୁଁ କାହିଁକି ; ଯେ କେହି ପଢିଲେ ବି ସେ ଏକଥା କହିବ ହିଁ କହିବ । ସତରେ ଖୁବ୍ ସୁନ୍ଦର ଏବଂ ଅନନ୍ୟ କବିତା ।ଧନ୍ୟବାଦ