ମେଘ
ଅରୁଣ କୁମାର ମହାପାତ୍ର
ଫେରିଛି ଗ୍ରୀଷମ ଥମୁଛି ଗରମ
ଶୁଭୁଚି ଆଦ୍ୟ ଝଙ୍କାର
ଆକାଶେ ଦିଶଇ ମାଳ ମାଳ ମେଘ
ଧରିତ୍ରୀ ଚାହୁଁଛି ନୀର।
ଫାଟି ଯାଇ ଧରା ଖୋଲି ଦେଇ ମୁହଁ
ସତେକି ଆବେଗଭରେ
ଦେଇଛି ଛାତିରୁ ସବୁ ଜଳ ରାଶି
ଆଜି ଆଶା ବର୍ଷା ଧାରେ।
କାହିଁକି କେଜାଣି ମେଘ ଆସେ ନେଇ
ଭୟଂକର ରୂପ ସାଥେ
ଘଡ଼ଘଡ଼ି କମ୍ପେ ବିଜୁଳି ଚମକେ
ଭୟରେ ସମୟ ବିତେ।
ଆକାଶ ଧରିତ୍ରୀ ନିବିଡ ବନ୍ଧୁତା
ଜଣେ ଦିଏ ଜଣେ ନିଏ
ଆବଶ୍ୟକତାକୁ ପୁରଣ କରିବା
ନିର୍ଣ୍ଣୟ ଅବଶ୍ୟ ଥାଏ।
ଜୀବ ଜଗତର ଜୀବନ ଆଧାର
ସୃଷ୍ଟିର ଆରମ୍ଭ ଜଳ
ମେଘ ଆସେ ଯାଏ ବିଭିନ୍ନ ରୂପରେ
କଳା ଧଳା ମାଳ ମାଳ।
ମୟୁରର ନୃତ୍ୟ ଚାତକ ଆକାଂକ୍ଷା
ଜୀବନ ଜିଇଁବା ଇଚ୍ଛା
ଜଳଧାର ହୋଇ ବହିଯାଏ ମେଘ
ପୁରା ହୁଏ ମନବାଞ୍ଛା।
ଜଗାଏ ସପନ ଚାଷୀ ମାନସରେ
ଶସ୍ୟମୟ ହେବ ମାଟି
ବୁଣିଲେ ବୀଜକୁ ହସିବ ଫସଲ
ସବୁଜିମା ପରିପାଟୀ।
ଅସ୍ତରାଗର ସୁନେଲି ପ୍ରକାଶ
ମେଘ ମହ୍ଲାରର ସାଥେ
ଫେରିଥାନ୍ତି ରବି ଛାଡି ବେଳାଭୂମି
ନିଜର ଗନ୍ତବ୍ୟ ପଥେ।
ବୈଜ୍ଞାନିକ ଅଧିକାରୀ
ଅଶ୍ୱପୁରମ ତେଲେଙ୍ଗାନା