“ତୁମେ କାହିଁକି ଆସ ହେ ମୃତ୍ୟୁ”
~~~~~~~~~~~~~~
ଏ ସୃଷ୍ଟିରେ ଜନ୍ମ ଆଉ ମୃତ୍ୟୁହିଁ ଚିରନ୍ତନ ସତ୍ୟ
ଘାଟରେ ଡ଼ଙ୍ଗା ଲାଗିଯାଏ ପାରିହେବାପାଇଁ
ଏ ପାରିରୁ,ସେପାରି,ସେପାରିରୁ ଏପାରି
ଏମିତି ଚାଲିଥାଏ ଅହରହ ବାଜିମାତ ଖେଳ
କେତେ ସ୍ବପ୍ନ ଭରିଥାଏ ଜୀବନ କାଳରେ
ନୂଆ ବସ୍ତ୍ର ,ପୁରୁଣା ହୋଇ ପିନ୍ଧୁ ପିନ୍ଧୁ ଚିରିଯାଏ
ଏ ଘଟରୁ ସେ ଘଟରୁ ଆତ୍ମା ରୂପାନ୍ତର ହୁଏ
ଦେହକୁ ଖୋଜୁ ଖୋଜୁ ଆତ୍ମା ଯାଏ ଉଭେଇ
ସଞ୍ଜ ହେଉ ବା ସକାଳ,ମାଟି ଅବା ଆକାଶ
ନିୟତିର ପ୍ରତି ମୁହୂର୍ତ୍ତ ଛାଇ ଆଲୁଅର ଖେଳ
ଏ ସୁନ୍ଦର ମଧୁମୟ ବିଶ୍ୱର ଆକର୍ଷଣରେ
ପ୍ରଲୋଭିତ ହୁଏ ବଞ୍ଚିବାକୁ ନିଜ ଇଚ୍ଛାରେ
ଗାଇବାକୁ ନିଭୃତ କୋଣର ମଧୁର ବୀଣା
କେତେବେଳେ ଝଙ୍କୃତ ହୁଏ ତ ପୁଣି ଛିଡିଯାଏ
ଏ ଜୀବନ ହୁଏ ହାହାକାର ଶେଷ ଆୟୁଷର
ଆଖି ମୁଦିହୋଇ ଆସେ ଅନ୍ଧକାର ଭରିଯାଏ
ଆଉ ପୁଣି ଫେରିବାର ଆଶା ନ ଥାଏ
ତୁମେ କାହିଁକି ଆସ ହେ ମୃତ୍ୟୁ ଦିଅ ଉତ୍ତର ।
ସଂଯୁକ୍ତା ସାହୁ
ରାହାମା
ଜଗତସିଂହପୁର ।
i like this well post