ମୃତ୍ୟୁ ଦେବତା
““““““““““`
ତୁମ ଅପେକ୍ଷାରେ ରହିଛି ଅନାଇ
କେବେ ବା ତୁମେ ଆସିବ |
ଯିବା ପାଇଁ ପରା ବେଳ ମୋ ହେଲାଣି
ଆପଣାଇ ମୋତେ ନେବ ||
କୁଟା ଖିଅକର ବଳ ନାହିଁ ମୋର
ପାଦେ ନପାରଇ ଚାଲି |
ଭୂଇଁରେ ଲୋଟୁଚି ଆକାଶେ ଚାହିଁଚି
ଆସୁଚ କି ଝୁଲିଝୁଲି ||
ନିଷ୍ଠୁର ବୋଲିକି ସଭିଏଁ କୁହନ୍ତି
କରୁଛ ତା’କୁ ପ୍ରମାଣ |
ଅବେଳେ ଆସୁଛ ସାଥିରେ ନେଉଛ
କେତେ ବା କା’ର ଜୀବନ ||
ସହୋଦର ସବୁ ଛାଡ଼ିକି ଗଲେଣି
ପଛରେ ପଡ଼ିଛି ମୁହିଁ |
ଜ୍ଞାତି ପରିବାର ଆଡ଼ ଛାଡ଼ ହୋନ୍ତି
ମୋ ପାଇଁ ଆଦର ନାହିଁ ||
ଆଦରି ନିଅ ହେ ମ୍ରୁତ୍ୟୁର ଦେବତା
ତୁମ ସରି କେହି ନାହିଁ |
ଯନ୍ତ୍ରଣା ଦାଉରୁ ବର୍ତ୍ତିବା ନିମନ୍ତେ
ତୁମେ ପରା ଆସ ଧାଇଁ ||
କଞ୍ଚା ବା ପାଚିଲା ଯାହା ହୋଇଥାଉ
ସଙ୍ଗେ ତୁମ ନେବା ପାଇଁ |
କେତେବେଳେ କାହା ସମୟ ସରୁଚି
ପଞ୍ଜିକାକୁ ଦିଅ ଚାହିଁ ||
ସଭିଁ କୁ ଆଦରି ନେଇଥଅ ତୁମେ
କା’ଠାରେ ନଥାଏ ଘ୍ରୁଣା |
ସମୟର ଅନ୍ତେ ଆସିଥାଅ ପାଖେ
ହୁଅନାହିଁ ଆନମନା ||
କାହିଁକି ମୋ ପାଶେ ଆସୁନାହଁ ତୁମେ
ସରିନି କି ମୋର ବେଳ |
ସାଥେ ନେଇଯାଅ ହେଲିଣି ଅଥୟ
ସରାଇ ଦିଅ ମୋ କାଳ!
*ଅନିତା ବେହେରା
ବଡ଼ମ୍ବା,କଟକ