*ମାନସ ପଟର ନାୟିକା *
—————-
ମୁଁ ଅଟେ ନାୟିକା ମାନସ ପଟର
ବାସ୍ତବରେ ମୁଁ ଶୂନ୍ୟତା,
ଆଖି ମୁଦି ଦେଖ ଅବା ଆଖି ଖୋଲି
ନାନା ରଙ୍ଗେ ମୁଁ ସଜ୍ଜିତା।
ଛଳଛଳ କଳକଳ ନିନାଦିନୀ
ପୟସିନୀ ପରି ଝରି,
ତୃଷିତ ଆତ୍ମାକୁ ତୃପ୍ତ କଲାପରି
ଅମୃତ ସମ ମୁଁ ବାରି।
ରାଜା ଅବା ଯୋଗୀ,ରୋଗୀ ଅବା ଭୋଗି
ମାନସ ରାଜ୍ୟେ ମୋ ଘର,
ଯେପରି ଭାବରେ ମୋତେ ଯେ ସଜାଏ
ମୁଁ ଯେ ଆପଣାର ତା’ର।
ଅବାଧ ଗତି ମୋ କେ ରୋକି ପାରେନା
ଦୃତ ଇଲାକାକୁ କା’ର,
କ୍ଷଣିକ ମଧ୍ୟରେ ଭରିଦିଏ ମୁଁ ଯେ
ମନେ ଖୁସିର ଭଣ୍ଡାର।
ରକ୍ତମାଂସ ଦେହୀ ନୁହେଁ ସିନା ମୁଁ ତ
ଅତ୍ୟନ୍ତ ସୁନ୍ଦର ମୁହିଁ,
ଇପ୍ ସିତ ଜନକୁ ମୁଁ ଯାହା ଦିଏ
କେ ଦେଇ ପାରିବ ନାହିଁ।
ସପନରେ ଆସେ ଭାବନାରେ ବସେ
ଗଢ଼େ ସଉଧ ମୀନାର,
ଭଙ୍ଗାମନ ମଧ୍ୟେ ଯେବେ ପାଦ ଦିଏ
କରେ ଆଶାର ସଞ୍ଚାର।
ମୁଁ ଏକା କେବଳ ବାସ୍ତବ ସଂସାରେ
ବଞ୍ଚିବା ପାଇଁ ଆଧାର,
କଳ୍ପନା ବିନା କି ପୂର୍ଣ୍ଣତା ସମ୍ଭବ
ସବୁ ଅଟଇ ଅସାର।
——————
ତପସ୍ୱିନୀ ଜେନା
ଜଗତସିଂହପୁର