ଶୀର୍ଷକ: ତମେ ଆସିବ ବୋଲି ତ
ତମେ ଆସିବ ବୋଲି ତ….
ଆଜି ଗୋଡ ଆଉ ତଳେ ଲାଗୁନି
ମନ ଟା ଜମା ଘର ଧରୁନି
କେତେଥର ଦାଣ୍ଡ ଦୁଆରକୁ ଯାଇ ପୁଣି ଘରକୁ ଆସୁଛି
କିଛି କାମ ନ ଥିଲେବି କବାଟଟାକୁ ଆଉଜି ଅନାଇ ରହୁଛି ଦୁର ଦିଗବଳୟକୁ ଯୋଉଠି ଆମ ଗାଁ ରାସ୍ତା ଟା ଲମ୍ବି ଯାଇଛି ଦୂରକୁ ବହୁ ଦୂରକୁ
ତମେ ଆସିବ ବୋଲି ତ…..
ବାଡିପଟେ ଡାମରା କାଉ ଟା ସକାଳ ପହରୁ ଖାଲି ରାଉ ରାଉ ହଉଚି
କାନ ଅତଡା ହେଇ ଯାଉଚି
ବିରକ୍ତ ଲାଗିଲେ ବି ଘଉଡାଇବାକୁ ଜମା ଇଚ୍ଛା ହଉନି
ଇଚ୍ଛା ନଥିଲେ ବି ଚାଉଳ ପୋଷେ ଫିଙ୍ଗି ଦଉଚି ତା ମୁଁହ କୁ
ଖା’ ରେ କାଉ ଆଉ ରାବୁଥା ଏମିତି ରାଉ ରାଉ
ହୁଏତ ତୋ ରାବରେ ସେ ସଅଳ ଚାଲି ଆସନ୍ତି
ତମେ ଆସିବ ବୋଲି ତ…..
କ୍ଷୀର ହାଣ୍ଡିଟା ଚୁଲି ଉପରେ ଉତୁରିବାକୁ ବସିଲାଣି
ହେଲେ ସେଥିପ୍ରତି ଜମାରୁ ନିଘା ନାହିଁ
ଆଖି ଦୁଇଟି ରୋଷଘର କାନ୍ଥ ଉପରେ ଶୂନ୍ୟ ଭାବରେ ନିବଦ୍ଧ ଅଛି
ସତେ ଯେମିତି ସେଇ ଚୁନମରା କାନ୍ଥ ରେ ତୁମର ଛବିର କଳ୍ପନା ରେ ବିଭୋର
ପଛରୁ ବୋଉର ଡାକରେ ପ୍ରକୃତିସ୍ଥ ହେଲି
ଆଲୋ ହୁଣ୍ଡିଟା କ୍ଷିର ଉତୁରି ଚୁଲିରେ ପଶିଲାଣି
ସେଠି ଖୁଣ୍ଟଟା ଭଳି କଣ ଭାବୁଚୁ
ତମେ ଆସିବ ବୋଲି ତ……
ଉପହାର ଦେଇଥିବା ସେଇ କମକରା ଚାନ୍ଦି ସିନ୍ଦୁର ଫରୁଆଟା ଡ୍ରେସୀଂଗ ଟେବଲ ଡ୍ରରେ ସେମିତି ସାଇତି ରଖିଚି
ନିଜକୁ ଆଇନା ସାମନାରେ କେତେ ସଜେଇଲେବି
କୋଉଠି ନା କୋଉଠି କିଛି କମି ରହିଯାଉଛି
ତୁମେ ଆସିବ, ସାଙ୍ଗରେ ମୋ ବରାଦ ମୁତାବକ କାଶ୍ମୀରୀ କୁମକୁମ ନେଇ ଆସିବ ଆଉ ସଜେଇ ଦେବ ମୋ ସିନ୍ଥି
ସେଇ ହେବ ମୋ ଶିଙ୍ଗାର ର ପୂର୍ଣ୍ଣତା
ତମେ ଆସିବ ବୋଲି ତ…..
ବୋଉକୁ ଜମା ତର ସହୁନି
ସକାଳ ପହରୁ ଲାଗିପଡିଛନ୍ତି କାମରେ
ଚକୁଳି, ଆରିସା, ମଣ୍ଡା, କାକରା କେତେ କଣ
ବାଡିରୁ କଖାରୁ ଫୁଲ ଦିଟା ବି ଭଜା ହେଲା
ବୋଉ ତାଗିଦା କରି କହିଛନ୍ତି
ଦେଖ୍ ବୋହୁ ବିରିଆନୀରେ ଯେମିତି ଖାଣ୍ଟି ଗୁଆଘିଅର କମି ନ ରୁହେ
ତମେ ଆସିବ ବୋଲି ତ……
ସକାଳୁ ବାପା ଯାଇଛନ୍ତି ବଜାର
ଦେଶି ଚିକେନର ବିରିଆନୀ ହେବ
ମଟନ ଝୋଳବି ହେବ
ମାଛ ପକଡା ଦୁଇ ଖଣ୍ଡ ବି ହେବ
ପୁଅଟା ମୋର ଏତେ ଦିନପରେ ଘରକୁ ଫେରୁଚି
ସେଠି କଣ ଖାଉଛି ନ ଖାଉଛି କିଏ ଜାଣେ
ତମେ ଆସିବ ବୋଲି ତ…..
ସୀମାରେ ତୁମେ ସୀପାହୀ
ଦେଶ ମାତୃକାର ସୁରକ୍ଷା ପାଇଁ ତମେ ବଚନ ବଦ୍ଧ
ନିଜ କର୍ତ୍ତବ୍ୟରେ ତମେ କେବେବି ହେଳା କରିନାହଁ
ହେଲେ ନିଜ ପରିବାର ପ୍ରତି ବି ତୁମର କର୍ତ୍ତବ୍ୟ ରହିଛି
ତୁମର ସପରିବାର ତୁମର ଫେରିବା ବାଟକୁ ଚାହିଁ ରହିଛନ୍ତି
ତମେ ଆସିବ ବୋଲି ତ……
ନାରାୟଣ ମହାରଣା
ବାଲିମେଳା
ମାଲକାନଗିରି