*ଗୋଟିଏ ଛୋଟିଆ ପ୍ରଶ୍ନ?*
ପୁଅ ପଚାରିଲା ମାଆଙ୍କୁ ତାହାର
ଗୋଟିଏ ଛୋଟିଆ ପ୍ରଶ୍ନ
ଜାତିର ଜନକ ମହାତ୍ମାଗାନ୍ଧୀଙ୍କ
ଜଣା ଅଛି ଜନ୍ମ ଦିନ।
ବଡ ରହିଅଛି ସାନ ରହିଅଛି
ଅଛନ୍ତି ଜାତି ଦେବତା
ମୋ କୁନି ମନରେ କାହିଁ ଉଙ୍କିମାରେ
ଆନ ଏକ ପ୍ରଶ୍ନ କଥା।
କାହିଁକି ଜନନୀ ଚିହ୍ନ ବର୍ଣ୍ଣ ନାହିଁ
ନାହିଁ ଯେ ଜୟନ୍ତୀ ଗାଥା?
ଗାଆଁଠୁ ସହର ନାହିଁ ଜୟ ଧ୍ୱନୀ
ଜାତି ପିତା ପରି ମାତା।
ଶ୍ରେଣୀରେ ଗୁରୁଜୀ ଗୁରୁମା’ କୁହନ୍ତି
ଜାତିର ଜନକ ଗାନ୍ଧୀ
ଜାତି ଜନନୀ କି ଜନମି ନଥିଲେ
ଉତ୍କଳର ଗଳି କନ୍ଦି?
ମନଟା ଅବୁଝା ଅଝଟ ବି ହୁଏ
ଏହି କୌତୁହଳେ ଆଜି
କୁହ ମାଆ ତୁମେ କାହା ଠାରୁ ବୁଝି
କୁହ ବି ଗୁଗୁଲ୍ ଖୋଜି।
ଅମର ଅକ୍ଷରେ ଅମରତ୍ୱ ଯେହ୍ନେ
ଅବର୍ତ୍ତମାନରେ ଗାନ୍ଧୀ
ଜନନୀ କି କେହି ସାଜିଣ ନଥିଲେ
ଦେଶ ଜାତି ପାଇଁ ବନ୍ଦୀ।
ଦେଶ ଓ ଜାତିର ସ୍ୱାଧୀନତା ପାଇଁ
ଗାନ୍ଧୀ ଅବଦାନ ଶ୍ରେଷ୍ଠ
ସମସାମୟିକ ମହିଳା କେମିତି
ନୁହେଁ ଇତିହାସେ ଭେଟ?
ସାଧାରଣ ଜ୍ଞାନ ବହି ମୁଁ ଖୋଜିଲି
ଲେଖା ତ କେଉଁଠି ନାହିଁ
ଗୁରୁ ଗୁରୁଜନେ ପଚାରି ବୁଝିଲି
ନଦେଲେ ଉତ୍ତର କେହି।
ସମନ୍ୱିତ ଶିକ୍ଷା ଶିକ୍ଷାର ଆଳୟେ
ପୁଅ ଝିଅ ମିଶା ମିଶି
ଜାତିର ଜନକ ଗାନ୍ଧୀ ପରିଚୟ
ଜନନୀ କି ଗଲେ ରୁଷି?
ନୀହାରିକା ପଣ୍ଡା ,
ରାକମା, ଭାପୁର, ନୟାଗଡ଼