*Lets talk with Manju Rani Behera who hails from Balangir , Odisha for Suryodaya_Sambhranta_Saraswat_Samman – 2022*
ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ-ମଞ୍ଜୁ ରାଣୀ ବେହେରା
ପିତା ମାତା ଙ୍କ ନାମ-
ପିତା- ଜଗଦୀଶ ବେହେରା
ମାତା– ଆରତୀ ବେହେରା
ସ୍ୱାମୀଙ୍କ ନାମ– ସଞ୍ଜୀବ କୁମାର ସାହୁ
ମହୀସ୍ପର୍ଶ ତାରିଖ/ଜନ୍ମଦିନ–10 -6 -1991
ଶିକ୍ଷା ଗତ ଯୋଗ୍ୟତା–ଓଡିଆ ସ୍ନାତକୋତ୍ତର
ମେଲ ଆଇଡି- [email protected]
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
*ମୋ ନାଁ ମଞ୍ଜୁ ରାଣୀ ବେହେରା। ମୋର ଜନ୍ମ ମାଟି ବଲାଙ୍ଗୀର ଜିଲ୍ଲା କୁରୁଲ ଗ୍ରାମରେ। ବର୍ତ୍ତମାନ ମୁଁ ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ଗ୍ରାମର ବୋହୁ। ମୁଁ ଜଣେ ଗୃହିଣୀ। କାର୍ଯ୍ୟ ବ୍ୟସ୍ତତା ଭିତରୁ କେବେ କେମିତି ସମୟ ବାହାର କରି ଲେଖା ଲେଖି କରିଥାଏ।ଯେହେତୁ ଛୋଟ ବେଳୁ ସାହିତ୍ୟ ପ୍ରତି ମୋର ଅହେତୁକ ଦୁର୍ବଳତା ଥିଲା। କିନ୍ତୁ କଲେଜ ସମୟରୁ କବିତା ଲେଖିବା ଆରମ୍ଭ କରିଥିଲେ ବି ସେଇଟା କେବଳ ଡାଏରୀର ପୃଷ୍ଠା ଭିତରେ ହିଁ ସୀମିତ ରହୁଥିଲା କେବେ କୌଣସି ଜାଗାରେ ପ୍ରକାଶିତ ହୋଇ ନ ଥିଲା।ଆଉ ବିବାହ ପରେ ଗୋଟେ ପ୍ରକାର ଲେଖା ଲେଖି କରିବା ଛାଡ଼ି ଦେଇଥିଲି କିନ୍ତୁ ମୋ ସ୍ବାମୀଙ୍କ ପ୍ରୋତ୍ସାହନରେ ପୁଣି ଥରେ ସାହିତ୍ୟର ଯାତ୍ରା ଆରମ୍ଭ କରି ପାରିଛି।*
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
*ଦେଖନ୍ତୁ ପ୍ରଥମେ ତ ମୁଁ ଜଣେ ପାଠିକା ତା ପରେ ଯାଇ ଜଣେ ଲେଖିକା।କାହିଁକି ନା ମୋ ମତରେ ପାଠକରୁ ହିଁ ଜଣେ ଲେଖକ/ଲେଖିକା ହୋଇଥାଏ। ନିଶ୍ଚିତ ଭାବରେ ଏହି ସାରସ୍ଵତ ଦୁନିଆ ମୋ ବ୍ୟକ୍ତିଗତ ଜୀବନ ଉପରେ ପ୍ରଭାବ ପକେଇଛି। ବିଭିନ୍ନ କବି,ଲେଖକ/ଲେଖିକା,କଥାକାରଙ୍କର ସୃଜନୀ ପାଠ କରି ତାଙ୍କ ଭାବ,ଆବେଗ,ସାମାଜିକ ଚିନ୍ତାଧାରାର ଦୃଷ୍ଟିକୋଣ ମୋ ଜୀବନରେ ତଥା ମୋ ସାହିତ୍ୟ ସର୍ଜନାରେ ଏକ ନୂତନ ଦିଗ ଉନ୍ମୁକ୍ତ କରିଛି। ବିଶେଷ ଅନୁଭୂତି କହିଲେ ମୋର ସାରସ୍ଵତ ଯାତ୍ରା କେବଳ ଆରମ୍ଭ ମାତ୍ର। ଏହି ସାହିତ୍ୟିକ ଜୀବନ ଚର୍ଯ୍ୟାର ସ୍ୱଳ୍ପ ରାସ୍ତାର ପଥିକ ହୋଇ ମଧ୍ଯ ସମୟ ଅଭାବ ସତ୍ତ୍ୱେ ମୁଁ ଯେବେ ଫେସବୁକ୍ ପୃଷ୍ଠା “ନୂତନ ଆଶା”ସଂସ୍ପର୍ଶର ଆସିଲି ବହୁତ୍ କିଛି ଜାଣିବାକୁ ପାଇଲି। ବିଭିନ୍ନ ପତ୍ରିକା ତଥା ଖବକାଗଜରେ ଲେଖା ପ୍ରକାଶିତ କରିବାର ସୁଯୋଗ ପାଇଲି।ଆଉ ଏହାର ସମ୍ପାଦନା ମଣ୍ଡଳୀ ତଥା ସୁପ୍ରିୟା ପଣ୍ଡା ନାନୀ, ସଞ୍ଜିତା ପ୍ରଧାନ ନାନୀ ଆଉ ସାନ ଭାଇ ପ୍ରସେନଜିତ୍ ସେଠୀଙ୍କ ପାଖରୁ ଅନେକ କିଛି ଶିଖି ଆଗକୁ ବଢିବାର ପ୍ରେରଣା ପାଇଛି।*
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
*ମୁଁ ଆଗରୁ କେବଳ କବିତା ଲେଖୁଥିଲି କିନ୍ତୁ ପରେ ପରେ ଗଳ୍ପ ଓ କିଛି ଅଣୁ ଗଳ୍ପ ଲେଖିବାର ପ୍ରୟାସ କରିଛି।*
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
*ମୋ ମତରେ ଭଲ କିମ୍ବା ଖରାପ ଲେଖା ସେମିତି କିଛି ନ ଥାଏ।ସମସ୍ତଙ୍କ ସୃଜନୀ ଅନନ୍ୟ। ସମସ୍ତଙ୍କ ଲେଖାର ସ୍ୱାତନ୍ତ୍ରତା ଭିନ୍ନ ଭିନ୍ନ ହୋଇଥାଏ। କିନ୍ତୁ ସାହିତ୍ୟମନସ୍କ ହୋଇ ଉଦ୍ଦେଶ୍ୟ ମୂଳକ ଲେଖା ତଥା ହୃଦୟକୁ ଛୁଇଁ ପାରୁଥିବା ସର୍ଜନା ହିଁ ପାଠକଙ୍କ ହୃଦୟରେ ଛାପ ଛାଡିଯାଏ।*
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
*ସାହିତ୍ୟ ହିଁ ସମାଜର ଦର୍ପଣ ଏଇ କଥା ସମସ୍ତେ ଜାଣନ୍ତି।ପ୍ରାୟତଃ ସବୁ ଲେଖକ/ଲେଖିକାଙ୍କ ରଚନା ସମାଜର ହିତ ନିମନ୍ତେ ହିଁ ସୃଷ୍ଟି ହୋଇଥାଏ। ନିଜ ଲେଖା ମାଧ୍ୟମରେ ସବୁବେଳେ ସମାଜକୁ ଖୁସିର ବାର୍ତ୍ତା ଦବା ପାଇଁ ଚେଷ୍ଟା କରିଥାଏ, ସମ ସାମୟିକ ପରିସ୍ଥିତିରେ ନିଜ ଜୀବନ ସହିତ ତାଳ ଦେଇ ଚାପ ମୁକ୍ତ ହୋଇ ଜିଇଁବାର କୌଶଳ ଓ ବିଭିନ୍ନ ରୁଚିକୁ ନେଇ ନିଜ ଜୀବନକୁ ଉପଭୋଗ କରିବାର ପ୍ରୟାସ କରନ୍ତୁ।*
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
*ସାହିତ୍ୟ ଆପେ ଆପେ ସୃଷ୍ଟି ହୋଇଯାଇ ମନରେ ତାର ପ୍ରତିଛବି ଛାଡିଯାଏ ଆଉ ଆମେ ତାକୁ ନିଜ ଭାବ ,ଆବେଗର ଡୋରରେ ବାନ୍ଧି ଶଦ୍ଦର ମୁକୁତାରେ ସଜେଇ ଏକ ସୁନ୍ଦର ସୃଜନୀର ମାଳା ତିଆରି କରୁ।କିନ୍ତୁ କେବେ କେବେ ଏମିତି ପରିସ୍ଥିତି ବି ଆସେ ସମୟ ଅଭାବ ଓ କମ୍ ଅଧ୍ୟୟନ ଯୋଗୁଁ ଶଦ୍ଦ ସବୁ ବୋଲ ମାନନ୍ତି ନାହିଁ ତେଣୁ ଲେଖିବାକୁ ପଡ଼ିଥାଏ।*
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
*ମୋ ମତରେ ସାରସ୍ଵତୀୟ ସଫଳତା କହିଲେ ଯାହା ପାଠକ ତଥା ଅନ୍ୟାନ୍ୟ ଲେଖକ/ଲେଖିକାଙ୍କ ହୃଦୟକୁ ଛୁଇଁ ଯାଏ ତାଙ୍କ ମନକୁ ଆନ୍ଦୋଳିତ କରିଥାଏ ସମାଜ ପାଇଁ କିଛି ବାର୍ତ୍ତା ପ୍ରେରଣ କରିଥାଏ ସେହି ସାହିତ୍ୟ କୃତି ହିଁ ସାରସ୍ଵତୀୟ ସଫଳତା ଦେଇଥାଏ। ମୁଁ ସେମିତି କିଛି ସଫଳତାର ଅଧିକାରିଣୀ ହୋଇଛି କି ନା ଏହା ମୋ ପାଠକଙ୍କ ମତାମତ ଉପରେ ନିର୍ଭର କରେ।*
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
*ମୋର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକା ଗୁଡ଼ିକ ହେଲା “କଥା”,”କାଦମ୍ବିନୀ”, “ସତ୍ୟବାଦୀ”।କେବେ କେବେ ସମୟ ମିଳିଲେ ପଢେ।ପିଲା ଦିନେ “ଜହ୍ନ ମାମୁଁ”, “ମୀନା ବଜାର” ଓ ବିଭିନ୍ନ ଶିଶୁ ପତ୍ରିକା ଗୁଡ଼ିକ ପଢ଼ିବାକୁ ଖୁବ୍ ଭଲ ଲାଗୁଥିଲା।*
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
*ନିଶ୍ଚିତ ଭାବରେ ଆମ ଭାଷା ସାହିତ୍ୟରେ ଅହେତୁକ ଅନ୍ତର୍ନିହିତ ଅଦୃଶ୍ୟ ଶକ୍ତି ରହିଛି।ଯେବେ ବି ଆମେ କୌଣସି ପୁରାତନ ଗ୍ରନ୍ଥ, ମହାକାବ୍ୟ କିମ୍ବା ଅନ୍ୟାନ୍ୟ ପୁସ୍ତକ ପଠନ କରୁ ଆମ ଭିତରେ ଏକ ଗଭୀର ବିଶ୍ୱାସ ଉତ୍ପନ୍ନ ହୁଏ ନିଜ ସଂସ୍କୃତି ପରମ୍ପରା ବିଷୟରେ ଅବଗତ ହୋଇ କୌଣସି ବିଦ୍ରୋହ କିମ୍ବା ଯୁଦ୍ଧ ତଥା ଅନ୍ୟାନ୍ୟ ବିପ୍ଳବଧର୍ମି ଆଲେଖ୍ୟ ପାଠ କରୁ ଲୋମ ଟାଙ୍କୁରି ଉଠେ। ଆମେ ଅନେକ କିଛି ଶିଖିବାକୁ ପାଇଥାଉ। ଜୀବନୋପଯୋଗୀ ବିଭିନ୍ନ ତଥ୍ୟ ଜାଣିବାକୁ ପାଇଥାଉ।ଏହାର ଅନ୍ୟ ଏକ ଦିଗ ମଧ୍ୟ ରହିଛି ଏହି ଭାଷା ସାହିତ୍ୟ ପାଇଁ ହିଁ ଜଣେ ସାଧାରଣରୁ ଅସାଧାରଣ ବ୍ୟକିତ୍ୱର ଅଧିକାରୀ ହୋଇ ପାରିଥାଏ। ମୁଁ ଜଣେ ସାଧାରଣ ଗୃହିଣୀ ଠାରୁ ଆଜି ଆପଣଙ୍କ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନରେ ସାକ୍ଷାତକାର ଦେବାର ସୁଯୋଗ ପାଉଛି ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିବାର ପ୍ରେରଣା ମିଳୁଛି ଏହାଠାରୁ ବଡ ଅନୁଭୂତି ଆଉ କଣ ହୋଇପାରେ।*
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
*ସାହିତ୍ୟ କାଲି ଥିଲା ଆଜି ଅଛି ଆଉ ରହିବ ବି।କିନ୍ତୁ ସମୟ ଅନୁସାରେ ମନୁଷ୍ୟର ପରିବର୍ତ୍ତନଶୀଳ ପ୍ରକୃତି ଓ ପ୍ରବୃତ୍ତି ଅନୁସାରେ ବଦଳୁଛି ତାର ରୂପରେଖ।ପ୍ରାଚୀନ ସାହିତ୍ୟରେ ଛନ୍ଦ ବଦ୍ଧ କବିତା, ଅଳଙ୍କାର ଯୁକ୍ତ କବିତା ଓ ଗଳ୍ପ, ଉପନ୍ୟାସ ଲେଖିବାର କୌଶଳ ମଧ୍ଯ ଭିନ୍ନ ଥିଲା କିନ୍ତୁ ବର୍ତ୍ତମାନ ବିଶେଷ ଭାବରେ ଗଦ୍ୟ କବିତାକୁ ଲୋକ ବେଶି ପସନ୍ଦ କରୁଛନ୍ତି।ସମାଜରୁ ହିଁ ସାହିତ୍ୟର ସୃଷ୍ଟି।ଯଦି ସମୟ ଅନୁସାରେ ସମାଜ ବଦଳୁଛି ତେବେ ସାହିତ୍ୟର ପ୍ରଭାବ ମଧ୍ୟ ବଦଳିବା ସ୍ଵାଭାବିକ।*
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
*ପୁରସ୍କାର ଆଗକୁ ବଢିବାର ପ୍ରୋତ୍ସାହନ ଦେଇଥାଏ କିନ୍ତୁ ମୋ ମତରେ ଜଣେ ଲେଖକ/ଲେଖିକା ପାଇଁ ପାଠକୀୟ ଆଦୃତି ହିଁ ତାଙ୍କ ସୃଜନଶୀଳତାକୁ ଆତ୍ମ ସନ୍ତୋଷ ପ୍ରଦାନ କରିଥାଏ।*
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
*ଓଡିଆ ଭାଷା ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ମଧ୍ୟ ଖୁବ୍ ଉଜ୍ଜଳ। ବର୍ତ୍ତମାନ ତ ଦେଖିବାକୁ ଗଲେ ଅନେକ ଯୁବ ପୀଢ଼ି ସାହିତ୍ୟ ଉପରେ ରୁଚି ରଖି ନିଜ ଭାଷା ସାହିତ୍ୟକୁ ଆଗେଇ ନେବାର ଏକ ସୁପ୍ରୟାସରେ ଆଗକୁ ବଢ଼ି ଚାଲିଛନ୍ତି।ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ମାନେ ଭିନ୍ନ ଭିନ୍ନ ଜାଗାରୁ ନୂତନ ପ୍ରତିଭା ଗୁଡ଼ିକୁ ଲୋକ ଲୋଚନକୁ ଆଣି ଆଗକୁ ବଢିବାର ପ୍ରେରଣା ଦେଉଛନ୍ତି। ଦେଖନ୍ତୁ , କୌଣସି ଜାଗାରେ ଲେଖା ପ୍ରକାଶିତ ନ ହେଲେ ଜଣେ ଖାଲି କାଗଜ ପୃଷ୍ଠା ଭିତରେ ତ ସୀମିତ ରଖି ପାରିବନି ଲେଖିକି।ଆଗରୁ ଯେମିତି ଖୁବ୍ କମ୍ ଲେଖା ସବୁ ପ୍ରକାଶିତ ହେଉଥିଲା କିଛି ହାତ ଗଣତି ପତ୍ରିକା କିମ୍ବା ଖବରକାଗଜମାନଙ୍କର ସାହିତ୍ୟ ପୃଷ୍ଠାରେ।ସେଇଟା ପୁଣି ବହୁତ୍ କମ ଲୋକଙ୍କ ଲେଖା ଚୟନ ଅନୁସାରେ।କିନ୍ତୁ ବର୍ତ୍ତମାନ ବହୁତ୍ ଗୁଡାଏ ପତ୍ରିକା,ଖବର କାଗଜ ଆଉ ବିଶେଷ ଭାବରେ ଡିଜିଟାଲ ପତ୍ରିକା ଯୋଗୁଁ ଲୋକ ଲେଖିବାକୁ ତଥା ଲେଖା ଦେବାକୁ କୁଣ୍ଠାବୋଧ କରୁ ନାହାଁନ୍ତି।*
୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
*ମୁଁ ତ ଏଇ କ୍ଷେତ୍ରରେ ନିଜେ ନୂଆ ମୁଁ ଆଉ କଣ କହିବି ମୁଁ ନିଜେ ଶିଖୁଛି ଆଉ ଶିଖି ଚାଲିଥିବି। କେବଳ ଏତିକି କହିବି ଲେଖିବା ଆଗରୁ ଏକ ଭଲ ପାଠକ ହେବା ନିହାତି ଜରୁରୀ।ତେଣୁ ଖୁବ୍ ଅଧ୍ୟୟନ କରନ୍ତୁ। କୌଣସି ପରିସ୍ଥିତିରେ ମଧ୍ୟ ହତୋତ୍ସାହିତ ନ ହୋଇ ଗଭୀର ଚିନ୍ତନ ଓ ମନନ ଦ୍ଵାରା ଲେଖା ଜାରି ରଖନ୍ତୁ।*
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
*ଓଡ଼ିଆ ଗଳ୍ପ,କବିତା,ପ୍ରବନ୍ଧ,ଉପନ୍ୟାସ ଆଦି ବିଭିନ୍ନ ବିଭାଗର ବହୁଳ ଅନୁପମ ସୃଷ୍ଟିରେ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିବାର ଆବଶ୍ୟକତା ରହିଛି।*
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
*କବିର ଆଖ୍ୟା ପାଇବା ବା ଏକ କବିର ପରିଚୟ ସୃଷ୍ଟି କରିବା ବହୁତ୍ ବଡ କଥା। ମୁଁ ତ ଏବେ ମାତ୍ର ଆରମ୍ଭ କରିଛି ତେଣୁ ମୋତେ ସେମିତି କିଛି ପରିଚୟ ମିଳିଛି ବୋଲି ଅନୁଭବ କରୁନି।*
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
*ସାହିତ୍ୟରେ ଅନଲାଇନର ପ୍ରବେଶ ନିଶ୍ଚିତ ଭାବରେ ଗ୍ରହଣୀୟ।କାରଣ ଆଜି କାଲିର ଡିଜିଟାଲ ଯୁଗ ଓ ବ୍ୟସ୍ତ ବହୁଳ ଜୀବନରେ ସମୟ ବାହାର କରି ପୁସ୍ତକ ପଠନ କରିବା ହୁଏତ ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନି।ସମସ୍ତେ ସୋସିଆଲ ମିଡ଼ିଆରେ ସବୁ ବେଳେ ସକ୍ରିୟ ରହୁଛନ୍ତି ତେଣୁ ସହଜେରେ ଲେଖା ସବୁ ପଢ଼ି ପାରୁଛନ୍ତି କିମ୍ବା ମତାମତ ମଧ୍ୟ ଦେଇ ପାରୁଛନ୍ତି। ଏବେ ଡିଜିଟାଲ ପତ୍ରିକା ଯୋଗୁଁ ବହୁତ୍ ଲେଖକ/ଲେଖିକାଙ୍କୁ ନିଜ ଲେଖା ପ୍ରକାଶିତ କରିବାର ସୁଯୋଗ ମିଳୁଛି।ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ଜଡିତ ହୋଇ ପାରୁଛନ୍ତି।*
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
*ହଁ ମୋ ପାଇଁ ଏହା ଏକ ଗର୍ବର କଥା ଯେ ମୁଁ ଏଭଳି ଏକ ସୁନାମଧନ୍ୟ ଅନ୍ତର୍ଜାତୀୟ ସାହିତ୍ୟ ଅନୁଷ୍ଠାନ ସହିତ ଯୋଡି ହୋଇ ରହିଛି। ମୋ ଭଳି ଆହୁରି ଅନେକ ଲେଖକ/ଲେଖିକା ତଥା ଯୁବ ସାହିତ୍ୟିକଙ୍କୁ ନିଜ ପ୍ରତିଭା ପାଇଁ ଭିନ୍ନ ଏକ ପରିଚୟ ପ୍ରଦାନ କରିଛି ଏହି ମଞ୍ଚ।ଏଥିପାଇଁ ଧନ୍ୟବାଦ ଦେବା ପାଇଁ ଚାହିଁବି ମନୋଜ ପଣ୍ଡା ଭାଇଙ୍କୁ ଯାହାଙ୍କ ସଂସ୍ପର୍ଶରେ ଆସି ମୁଁ ଆଜି ସୂର୍ଯ୍ୟୋଦୟ ସହିତ ଯୋଡ଼ି ହୋଇଛି।ଏମିତି ଲୁକ୍କାୟିତ ପ୍ରତିଭାଙ୍କୁ ସୁଯୋଗ ଦେଇ ସାହିତ୍ୟ କ୍ଷେତ୍ରରେ ବିଶ୍ଵ ଦରବାରେ ଆହୁରି ଉନ୍ନତିର ପଥେ ଅଗ୍ରସର କରୁ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ଅନୁଷ୍ଠାନ।*
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
*ନା ଏ ପର୍ଯ୍ୟନ୍ତ ମୋର କୌଣସି ସଙ୍କଳନ ପ୍ରକାଶିତ ହୋଇ ନାହିଁ।କିନ୍ତୁ ଆଗକୁ ଚେଷ୍ଟା ନିଶ୍ଚୟ କରିବି ଏକ କବିତା/ଗଳ୍ପ ସଙ୍କଳନ ପ୍ରକାଶ କରିବା ପାଇଁ।*
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
*ହଁ ଏହାର ପାକ୍ଷିକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ମୋର କିଛି ଲେଖା ଏହି ୱେବସାଇଟରେ ପ୍ରକାଶିତ ହୋଇଥିଲା।ୱେବସାଇଟ ପରିଚାଳନା କରୁଥିବା ସମସ୍ତ କର୍ମକର୍ତ୍ତାଙ୍କ ପରିଶ୍ରମ ନିଶ୍ଚିତ ପ୍ରଶଂସାଯୋଗ୍ୟ।*
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
*ଏଥିରେ ବିଶ୍ଵ ସ୍ତରୀୟ ଲେଖକ ତଥା ବିଭିନ୍ନ ଭାଷାର ଲେଖା ଗୁଡ଼ିକ ପ୍ରକାଶିତ ଓ ଅନୁବାଦ ମଧ୍ୟ ହୋଇଥାଏ। ବିଶ୍ଵର କୋଣ ଅନୁକୋଣର ବରିଷ୍ଠ ଲେଖକ,ସାହିତ୍ୟିକ ମାନେ ଏହି ଅନୁଷ୍ଠାନ ସହିତ ଜଡ଼ିତ ହୋଇ ଆମକୁ ଉତ୍ସାହିତ କରୁଛନ୍ତି।*
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
““”ସୃଷ୍ଟି ଓ ସ୍ରଷ୍ଟାଙ୍କ ଏକ ଅପୂର୍ବ ମିଳନ
ଚିନ୍ତା ଓ ଚେତନାର ଭାବ ସେ ଅନନ୍ୟ।
ସାହିତ୍ୟ ବିନା ଏ ସମାଜ ଯେ ଶୂନ୍ୟ
ଜଗତର ହିତେ ଏହି ସାହିତ୍ୟ ସାଧନ।
ବିପ୍ଲବର ବୀଜଟିଏ ମହାଦ୍ରୁମ ସାଜେ
କଲମର ମୁନ ଯେବେ ବିଦ୍ରୋହଟେ ରଚେ।”””
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335