*Lets talk with Research Scientist Ranjit Kumar Sahu who hails from USA , for Suryodaya_Sambhranta_Saraswat_Samman – 2022*
ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ- ରଞ୍ଜିତ କୁମାର ସାହୁ
ପିତା ମାତା ଙ୍କ ନାମ-
ପିତା- ଆର. କେ. ସାହୁ
ମାତା–ପି. କେ. ସାହୁ
ସ୍ୱାମୀ/ସ୍ତ୍ରୀ ଙ୍କ ନାମ–ଏସ . ସାହୁ
ମହୀସ୍ପର୍ଶ ତାରିଖ/ଜନ୍ମଦିନ–
ଶିକ୍ଷା ଗତ ଯୋଗ୍ୟତା–ଡ଼କ୍ଟୋରେଟ
ମେଲ ଆଇଡି- sahurkcutm@gmail.com
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
ମୁଁ ପେଶାରେ ଜଣେ ଜୀବ ବିଜ୍ଞାନ ଗବେଷକ ଏବଂ ସାହିତ୍ୟରେ ଏବଂ କଳାରେ ରୁଚି ରଖେ I ତେଣୁ ସମୟ ପାଇଲେ ମୁଁ ଲେଖା ଲେଖି କରେ I ମୁଁ ଇଂରାଜୀ, ହିନ୍ଦୀ ଏବଂ ଓଡ଼ିଆରେ ଲେଖିବାକୁ ଚେଷ୍ଠା କରେ ଏବଂ ଆଜି କାଲି ଓଡ଼ିଆକୁ ପ୍ରମୁଖ ଭାଷା ଭାବରେ ବ୍ୟବହାର କରୁଛି I ମୋର ପ୍ରଥମ ଲେଖା ବିଦ୍ୟାର୍ଥୀ ଦିନରୁ ବିଦ୍ୟାଳୟର ବାର୍ଷିକ ପତ୍ରିକାରେ ପ୍ରକାଶିତ ହୋଇଥିଲା ଏବଂ ମହାବିଦ୍ୟାଳୟ ଅଧ୍ୟୟନ ସମୟରେ ମଧ୍ୟ କାଁ ଭାଁ କିଛି ଲେଖା ଲେଖି କରୁଥିଲି I ୨୦୦୫ ରୁ ୨୦୦୭ ମଧ୍ୟରେ ମୋର ଲେଖା ଏକ ପ୍ରକାର ଆରମ୍ଭ ହୋଇ ସ୍ଥଗିତ ହୋଇ ଯାଇଥିଲା ଏବଂ ଏହା ପରେ ୨୦୧୬ ରୁ ପ୍ରାୟ ନିୟମିତ ଭାବରେ ଲେଖା ଲେଖି କରୁଛି I
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
ସାହିତ୍ୟକୁ ଅଧିକାଂଶ ଲୋକ ଏକ ଭିନ୍ନ ସ୍ରୋତ ଭାବରେ ବିଶ୍ଳେଷଣ କରନ୍ତି କିନ୍ତୁ ସାହିତ୍ୟ ମଣିଷର ସାମାଜିକ ଅସ୍ତିତ୍ଵର ଏକ ଅଭିନ୍ନ ଅଙ୍ଗ I ଏହା ଅବଶ୍ୟ ସତ ଅଧିକାଂଶ ସମୟରେ ସାହିତ୍ୟକୁ ଲିଖିତ ଭାବରେ ଚିହ୍ନଟ କରା ଯାଏ, କିନ୍ତୁ ମୌଖିକ ଭାବରେ ପ୍ରଚଳିତ ହୋଇ ପୁରୁଷ ପୁରୁଷ ଧରି ଚାଲି ଆସିଥିବା ସାହିତ୍ୟ ମଧ୍ୟ ଆମର ବ୍ୟକ୍ତିତ୍ଵ କୁ ପରିମାର୍ଜିତ କରିବାରେ ଅନେକ ଭୂମିକା ରଖିଥାଏ I ବୁଢୀମା କାହାଣୀ ମୁଣିରେ ଭରିଥିବା ସାହିତ୍ୟ ଆମ ମାନସର କଳ୍ପନାରେ ସେତିକି ପ୍ରଭାବ ପକେଇଥାଏ ଯେତିକି ଆଇସାକ ଆସିମଭଙ୍କ ଲିଖନ I ତେଣୁ ଯେଉଁ ମାନେ ନିଜର ଅଜା ଆଈ କିମ୍ବା ଜେଜେ ବାପା ଜେଜେମାଆଙ୍କ ନିକଟରେ ସମୟ ଅତିବାହିତ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି, ସେମାନେ ନିଶ୍ଚୟ ସ୍ଥାନୀୟ ସାହିତ୍ୟରେ ପ୍ରଭାବିତ I ଏହି ସନ୍ଦର୍ଭରେ ମାତୃଭାଷାର ପାରିବାରିକ କ୍ଷେତ୍ରରେ ବ୍ୟବହାରର ପ୍ରୟୋଗର ମହତ୍ଵ ଅନେକ କାରଣ ଏହାର ଶବ୍ଦକୋଷ ଗଠନରେ ଏବଂ ଭାଷାର ପ୍ରୟୋଗର ବିବିଧତାକୁ ହୃଦୟଙ୍ଗମ କରିବାରେ ସାହାଯ୍ୟ କରେ I କିନ୍ତୁ ଭାଷାର ଜ୍ଞାନ ସାହିତ୍ୟିକ ଜଗତରେ ଅଂଶୀଦାର ହେବା ଲାଗି ଯଥେଷ୍ଠ ନୁହେଁ I ସେଥି ଲାଗି ଏକ ପ୍ରୋତ୍ସାହନ ଆବଶ୍ୟକ ହୋଇ ଥାଏ ଏବଂ ସେହି ପ୍ରୋତ୍ସାହନ ର ସ୍ରୋତ ଟି କିଛି ବ୍ୟକ୍ତିଙ୍କୁ ହିଁ ମିଳିଥାଏ I ଅନେକ ସମୟରେ କୌଣସି ବ୍ୟକ୍ତିର ସଂସ୍ପର୍ଶ କିମ୍ବା କୌଣସି ଏକ ଘଟଣାରୁ ଆରମ୍ଭ ହୋଇ ଥାଏ ଜଣେ ସାହିତ୍ୟିକର ସୃଜନ ଯାତ୍ରା I ଦୀର୍ଘ 12 ବର୍ଷ ପରେ, ବୈଷୟିକ ଜୀବନର ବ୍ୟସ୍ତତା ମଧ୍ୟରେ ପୁଣି ସାହିତ୍ୟ ଜଗତକୁ ଫେରିବା ଲାଗି ଅନୁପ୍ରାଣିତ କରିଥିଲା ଏକ ସାକ୍ଷାତ, ଏକ କନିଷ୍ଠ ବନ୍ଧୁଙ୍କର ସାମାଜିକ ମାଧ୍ୟମରେ I ସେହି ପୁନଃ ଆବୃତ୍ତିରୁ ଆରମ୍ଭ ଏହି ଦ୍ଵିତୀୟ ପର୍ଯ୍ୟାୟର ର ମୋର ସାହିତ୍ୟ ଓ କଳାର ଅନ୍ଵେଷଣ !
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
ମୁଁ ଅନେକ ପ୍ରକାର ବିଷୟ ବସ୍ତୁ ଉପରେ ଲେଖା ଲେଖି କରେ, ମୁଖ୍ୟତଃ ଓଡ଼ିଆ ଏବଂ ଇଂରାଜୀରେ ଏବଂ ବେଳେ ବେଳେ ହିନ୍ଦୀରେ (କବିତା ଏବଂ କ୍ଷୁଦ୍ର ଗଳ୍ପ) ଲେଖେ I ଓଡ଼ିଆ ଏବଂ ଇଂରାଜୀରେ କିଛିଟା ସ୍ତମ୍ଭ ମଧ୍ୟ ଲେଖିବାର ସୁଯୋଗ ପାଇଛି I ବୈଷୟିକ ବିଷୟ ବସ୍ତୁ ଉପରେ ଅନ୍ୟ ଲେଖକ ମାନଙ୍କ କ ସହଯୋଗରେ ଲେଖିବାର ସୁଯୋଗ ମଧ୍ୟ ପାଇଛି I
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
ଯାହା ପାଠକଙ୍କ ମନରେ ସେମାନଙ୍କ ପରିସ୍ଥିତି ଏବଂ ପରିବେଶ ସହ ସଂଶ୍ଲିଷ୍ଟ ହୋଇ ସେମାନଙ୍କର ମନରେ ଏକ ଚିରସ୍ଥାୟୀ ପ୍ରଭାବ ପକାଏ ତାହା ଏକ ଭଲ ରଚନା I ବାସ୍ତବ ଜୀବନ ଉପରେ ଆଧାରିତ ହେଉ ଅଥବା କଳ୍ପନା ଉପରେ, ଯେଉଁ ଲେଖାଟି ପାଠକ କିମ୍ବା ଶ୍ରୋତାର ମନରେ ଚିନ୍ତନ ଏବଂ ସମୀକ୍ଷାକୁ ସୃଷ୍ଟି କରି ପାରେ ତାହା ଏକ ଉତ୍କୃଷ୍ଟ କୃତି I କାଳଜୟୀ ସାହିତ୍ୟର ଏକ ବିଶେଷତ୍ୱ ଅଟେ, ତାହା ମଣିଷର ଜୀବନର ସତ୍ୟ ଉପରେ ପ୍ରତ୍ୟେକ୍ଷ ଅଥବା ପରୋକ୍ଷ ଭାବରେ ଆଧାରିତ ହୋଇ ଥାଏ I ସରଳ ଭାଷାରେ ଅନେକ ଜଟିଳ ଭାବ ବ୍ୟକ୍ତ କରା ଯାଇ ପାରେ ଏବଂ ଯେଉଁ ରଚନା ସହଜରେ ହୃଦୟବୋଧ ହୁଏ ତାହା ଲୋକପ୍ରିୟ ହୁଏ I ସେହି ପ୍ରକାର ନିର୍ଦ୍ଧିଷ୍ଠ ଶୈଳୀରେ ରଚିତ କବିତା ସହଜରେ ମନେ ରୁହେ ଏବଂ ଏହି କାରଣରୁ ଆଜି ମଧ୍ୟ ପୁରାତନ ରଚନାର ଆଦର ରହିଛି I
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
ମୁଁ ପ୍ରାୟତଃ ପ୍ରକୃତି ଏବଂ ପରିବେଶ ଉପରେ ଲେଖେ I ଏହା ଦ୍ଵାରା ସମାଜରେ ପ୍ରକୃତି ପ୍ରତି ଦାୟିତ୍ଵ ଏବଂ ଆଦରର ଭାବନା ସୃଷ୍ଟି କରିବା ମୋର ଉଦ୍ଦେଶ୍ୟ I କିଛି ଆଧ୍ୟାତ୍ମିକ ଏବଂ ଭକ୍ତି ରଚନା ଏବଂ ଦାର୍ଶନିକ ଭାବରେ ପୂର୍ଣ୍ଣ ରଚନା ମଧ୍ୟ କରିଛି I ଏହା ବ୍ୟତୀତ ସାମାଜିକ ସମସ୍ୟା ଉପରେ କିଛି ଗଳ୍ପ ଏବଂ କବିତା ଲେଖିଛି I ବୈଷୟିକ ଲିଖନରେ ଅନେକ ସମୟରେ ଅନ୍ୟ ଲେଖକଙ୍କ ସହ ସାମାଜିକ ଦୃଷ୍ଟିକୋଣ ଏବଂ ପରିବେଶ ସମ୍ପର୍କରେ ଲେଖିଥାଏ ଲେଖିଥାଏ I ଏହା ବ୍ୟତୀତ ମନୋରଞ୍ଜନ ଲାଗି ପ୍ରେମ ଉପରେ ଆଧାରିତ କବିତା ଏବଂ ଗଳ୍ପ ମଧ୍ୟ ଲେଖେ I ଆଜି କାଲି ପ୍ରାୟ ଓଡ଼ିଆରେ ଲେଖୁଛି କାରଣ ଓଡ଼ିଆ ଭାଷାର ପ୍ରୟୋଗ କ୍ରମେ ହ୍ରାସ ପାଇବାରେ ଲାଗିଛି ଏବଂ ଅନ୍ୟ ଭାଷାର ପ୍ରଚଳନ ପ୍ରଭାବରେ ଓଡ଼ିଆ ଭାଷା ର ବ୍ୟବହାର କମିବାରେ ଲାଗିଛି I
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
ସାହିତ୍ୟ ଲେଖି ହୁଏନା ଏହା ଲେଖି ହୋଇ ଯାଏ I କିନ୍ତୁ ସାହିତ୍ୟ ମଧ୍ୟ ଏକ ସାଧନା I ଯେପରି ଭାବରେ ନୃତ୍ୟ ଆଉ ସଙ୍ଗୀତର ନିୟମିତ ଅଭ୍ୟାସ ଦ୍ଵାରା ତାହାକୁ ଏକ ସ୍ଵତଃ ପ୍ରବୃତ୍ତିରେ ପରିବର୍ତ୍ତନ କରା ଯାଏ ପାରେ, ସେହି ପରି ନିୟମିତ ଲେଖିବା ଦ୍ଵାରା ସ୍ଵତଃ ଲିଖନର ସମ୍ଭାବନାରେ ବୃଦ୍ଧି ହୁଏ ଏବଂ ଛୋଟ ଘଟଣା ଅଥବା ଦୃଶ୍ୟଟିଏ ମଧ୍ୟ ଲେଖିବାକୁ ଅନୁପ୍ରାଣିତ କରେ I ତେଣୁ ସାହିତ୍ୟ ଲେଖି ହୁଏନା କିନ୍ତୁ ଲେଖି ହୋଇଯିବାର ଅଭ୍ୟାସଟିଏ ନିଜ ଭିତରେ ନିଶ୍ଚୟ ସୃଷ୍ଟି କରା ଯାଇ ପାରେ, ଉଦ୍ଦେଶ୍ୟ ଏବଂ ଅନୁଶାସନ ଦ୍ଵାରା I ସେହି କାରଣରୁ ଅନେକ ପ୍ରସିଦ୍ଧ ରଚୟିତାଙ୍କର ଏକାଧିକ କାର୍ଯ୍ୟ ଦେଖିବାକୁ ମିଳେ ଏବଂ ଯେଉଁ ମାନଙ୍କର ଅଳ୍ପ ରଚନା ଥାଏ ତାହା ଆକାରରେ ବୃହତ ହୋଇ ଥାଏ I ସାହିତ୍ୟର ଉତ୍ପତି ସ୍ଵତଃ ହୋଇ ପାରେ କିନ୍ତୁ ଏହାର ସୃଜନ ଲାଗି ଶ୍ରମ ଆଉ ନିଷ୍ଠା ନିତାନ୍ତ ଆବଶ୍ୟକ I
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
ପାଠକଙ୍କ ଆଦର ଏବଂ ସମ୍ମାନ ପ୍ରତ୍ୟେକ ସାହିତ୍ୟିକ ଲାଗି ମହତ୍ଵ ରଖିଥାଏ I ମାନପତ୍ରଟିଏ ଅଥବା ପୁରସ୍କାର କିମ୍ବା ଉପାଧିଟିଏ ଯେ କୌଣସି ରଚୟିତାକୁ ଆନନ୍ଦିତ କରେ I ଆଜି କାଲି ଅନେକ ପ୍ରତିଯୋଗିତା ଆୟୋଜନ ହେବାରେ ଲାଗିଛି ଯାହା ଲେଖକ ଏବଂ କବିଙ୍କୁ ପ୍ରୋତ୍ସାହିତ କରେ I କିନ୍ତୁ ଯେଉଁ ମାନେ ନିୟମିତ ଲେଖନ୍ତି ସେମାନେ ପୁରସ୍କୃତ ହୁଅନ୍ତୁ ଅବା ନ ହୁଅନ୍ତୁ ଲେଖି ଚାଲି ଥାଆନ୍ତି ଯେହେତୁ ଏହା ମଧ୍ୟ ଏକ ପ୍ରକାର ସାଧନା I ତେଣୁ ଯେଉଁ ମାନେ ଏହି ଶ୍ରେଣୀରେ ଆସନ୍ତି ସେମାନେ ସାରସ୍ଵତ ସାଧକ ଏବଂ ସେମାନଙ୍କର ପ୍ରତ୍ୟେକ କୃତିକୁ ସେହି ସାଧନାର ପ୍ରୟତ୍ନ ରୂପରେ ମାନିବାକୁ ହୁଏ I ତେଣୁ ସାଧକର ସଫଳତା ଯେମିତି ସାଧନାରେ ମଗ୍ନ ହେବାରେ ଥାଏ ସେହି ପରି ସାରସ୍ଵତ ସାଧାକଟିଏ ପ୍ରତ୍ୟେକ ସୃଷ୍ଟି ସମ୍ପୂର୍ଣ୍ଣ ହେଲା ପରେ ଏକ ଆତ୍ମସନ୍ତୋଷ ପ୍ରାପ୍ତି କରି ଥାଏ I ଏହା ପ୍ରଥମ ପୁରସ୍କାର ଅଟେ I ଯଦି ସେହି କୃତିଟିକୁ ପାଠକ ବୃନ୍ଦ ଆଦର କରନ୍ତି ଏବଂ ତାହା ଯେଉଁ ଉଦ୍ଦ୍ୟେଶରେ ସୃଷ୍ଟି ହୋଇଛି ସେହି ଲକ୍ଷ ପୂରଣ କରି ପରେ (ଯେମିତି କି ସାମାଜିକ ଜାଗରଣ ) ତାହା ମଧ୍ୟ ଏକ ପୁରସ୍କାର ଏବଂ କୁହା ଯାଇ ପାରେ ସାହିତ୍ୟିକ ଜଣଙ୍କ ନିଜର ପ୍ରଚେଷ୍ଠାରେ ସଫଳ ହୋଇଛନ୍ତି I ନିଜର କୃତି ଲାଗି ପୁରସ୍କାରଟିଏ ପାଇବା ଅବା ସମ୍ବର୍ଦ୍ଧିତ ହେବା ବ ମଧ୍ୟ ଏକ ସାରସ୍ଵତ ସାଧକର ସଫଳତା ବୋଲି କୁହା ଯାଇ ପାରେ I
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
ମୁଁ ଆଜି କାଲି ଅଧିକାଂଶ ସମୟରେ ସମୟର ଅଭାବରୁ ଇଣ୍ଟେର୍ନେଟରେ ହିଁ ପଢା ପଢି କରେ I ପିଲାଦିନେ ଅନେକ ପତ୍ରିକା ପଢ଼ୁଥିଲି ଯେମିତି ମନପବନ, ଜହ୍ନ ମାମୁଁ, କୁନି ରାଇଜ, ଶିଶୁ ରାଇଜ I ପରେ ପରେ ଆଲୋକ, ପୌରୁଷ ଇତ୍ୟାଦି ଓଡ଼ିଆ ପତ୍ରିକା ମଧ୍ୟ ପଢ଼ୁଥିଲି I ଆଜି କାଲି ଅନ ଲାଇନ୍ ରେ ଖବର କାଗଜରେ ବାହାରୁଥିବା ଲେଖା ପଢେ I
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
ମାଆ ସରସ୍ଵତୀଙ୍କ ଆଶୀର୍ବାଦ ବିନା ଲିଖନର ସମ୍ଭବ ନୁହେଁ, ଏହା ମୋର ଦୃଢ ବିଶ୍ଵାସ (ତାହା ଯେ କୌଣସି ବିଷୟବସ୍ତୁ ଉପରେ ହେଉ ଏବଂ ଯେ କୌଣସି ଶୈଳୀରେ ହେଉ) I ଭକ୍ତି ରଚନା ଲାଗି ନିଶ୍ଚୟ ଆଧ୍ୟାତ୍ମିକ ସଚେତନତା ଏବଂ ଇଶ୍ଵରୀୟ କୃପାର ଆବଶ୍ୟକତା ରହିଛି I
ଏବଂ ଶେଷରେ ସାହିତ୍ୟର ସୃଷ୍ଟି ମଧ୍ୟ ସେହି ସ୍ରଷ୍ଠାଙ୍କର କୃତି ଯିଏ ସମଗ୍ର ସୃଷ୍ଟିର ସଂଚାଳକ ଅଟନ୍ତି I ଅନେକ ସମୟରେ ମୋର ବ୍ୟକ୍ତିଗତ ଅନୁଭବ ରହିଛି ଅଧା ନିଦରୁ ଉଠି ଜଗନ୍ନାଥଙ୍କ ଲାଗି ଦୁଇ ପଦ ଲେଖିବାର ଯଦିଓ ମୁଁ ବହୁତ କମ ଭକ୍ତି ରଚନା କରିଛି I
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
ସଂସ୍କୃତ ପରେ ଓଡ଼ିଆ ଭାଷାରେ ଭାରତୀୟ ଶାସ୍ତ୍ରୀୟ ଭାଷାରେ ସର୍ବାଧିକ ପାଣ୍ଡୁଲିପି ଚିହ୍ନଟ ହୋଇଛି ତେଣୁ ଓଡ଼ିଆ ଭାଷାର ଐତିହ୍ୟ ଏବଂ ଶାସ୍ତ୍ରୀୟତା ଉପରେ କୌଣସି ସନ୍ଦେହର ସମ୍ଭାବନା ନାହିଁ I କିନ୍ତୁ ପ୍ରାଚୀନ ସାହିତ୍ୟରେ ଲିଖନ ଶୈଳୀରେ ସୌନ୍ଦର୍ୟ ଥିଲା ଏବଂ ଅନେକ ଗ୍ରନ୍ଥ କବିତା ରୂପରେ ଥିଲା ଯେମିତିକି ପୁରାଣ ଗୁଡିକ I କୌଣସି ଲିଖନରେ ବ୍ୟାକରଣ ଜନିତ କିମ୍ବା ବନାନ ଜନିତ ତ୍ରୁଟି ନଥିଲା I ଯେହେତୁ ଅଧିକାଂଶ ଲିଖନରେ ଉଚ୍ଚାରଣରେ ସ୍ପଷ୍ଟତା ଥିଲା ଲିଖନରେ ମଧ୍ୟ ସଠିକତା ଥିଲା I କାଳକ୍ରମେ ଏହି ବନାନ ଜନିତ ତ୍ରୁଟି ବଢ଼ିବାରେ ଲାଗିଛି ଯେହେତୁ ପ୍ରାଥମିକ ଶିକ୍ଷା ସମୟରେ ଲିଖନ, ପାଠନ ଏବଂ ପଠନ ମଧ୍ୟରେ ଥିବା ସମ୍ପର୍କକୁ ଗୁରୁତ୍ୱ ଦିଆ ଯାଉ ନାହିଁ I ଭାଷା ଜ୍ଞାନକୁ ବୈଷୟିକ ଜ୍ଞାନ ଠାରୁ ନ୍ୟୁନ ମାନ ଦିଅ ଯାଉଛି ! ଏହା ଅବଶ୍ୟ ସତ ଯେ ଓଡି଼ଆ ଭାଷାରେ ସ୍ଥାନୀୟ ଭାଷାର ପ୍ରଭାବ ରହିବ କିନ୍ତୁ ଯେତେ ଦୂର ସମ୍ଭବ ଉଭୟ ଉଚ୍ଚାରଣ ଏବଂ ବ୍ୟାକରଣ ଉପରେ ଆଜି କାଲିର ଲେଖକ ଲେଖିକାଙ୍କୁ ଙ୍କ ଧ୍ୟାନ ଦେବାକୁ ପଡ଼ିବ I ପୁରାତନ ସାହିତ୍ୟରେ ଓଡି଼ଶାର ସଂସ୍କୃତି ଏବଂ ପରମ୍ପରାର ଛାପ ଦେଖିବାକୁ ମିଳେ I ଆଧୁନିକ ଲିଖନରେ ଅଧିକାଂଶ ରଚନା ଆଜି କାଲିର ସମାଜ, ଜୀବନ ଶୈଳୀ ଏବଂ ପରିସ୍ଥିତି ଉପରେ ଆଧାରିତ I ଏହା ଦ୍ୱାରା ଅବଶ୍ୟ ସାହିତ୍ୟର ଭଣ୍ଡାରରେ ବୃଦ୍ଧି ସହିତ ବିବିଧତା ଆସିଛି I ଆଜିକାଲି ବହିଃ ଭାଷାର ମିଶ୍ରଣ ଦେଖିବାକୁ ମିଳୁଛି ଏବଂ କିଛି ପ୍ରାଚୀନ ଲିପି ଲୁପ୍ତ ମଧ୍ୟ ହୋଇଛି ଯେମିତିକି (ଲୁ ଅକ୍ଷର ) I ଲୋକଙ୍କ ରୁଚି ମଧ୍ୟ ବଦଳିଛି ଏବଂ ଆଜିକାଲି ଭକ୍ତି ଏବଂ ଆଧ୍ୟାତ୍ମିକ ଲେଖା କମିଛି ଏବଂ ଅଧିକାଂଶ ଲିଖନ ଲୋକପ୍ରିୟତାକୁ ଆଖିରେ ରଖି ସୃଷ୍ଟି କରା ଯାଉଛି I
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
ଆତ୍ମତୃପ୍ତି ହିଁ ସର୍ବଶ୍ରେଷ୍ଠ ପୁରସ୍କାର କାରଣ ପ୍ରତ୍ୟେକ କୃତି ଆତ୍ମାର ଡାକରେ ସୃଷ୍ଟି ହୋଇ ଥାଏ I ଅନେକ ସମୟରେ ସ୍ରଷ୍ଠା ଯେଉଁ କୃତି ଟିକୁ ନିଜର ସର୍ବଶ୍ରେଷ୍ଠ ଭାବି ଥାଏ, ତାହା ସମାଜରେ ଆଦୃତ ହୋଇ ପାରେନା ଏବଂ ଅନେକ ସମୟରେ ପୁରସ୍କୃତ ଲେଖାଟିଏ ରଚୟିତାର ସବୁ ଠାରୁ ପ୍ରିୟ ହୋଇ ନଥାଏ I ଯେଉଁ ରଚନାଟି ଉଭୟ ପ୍ରାପ୍ତ କରାଏ ତାହା ନିଶ୍ଚୟ ସଫଳତ୍ତମ ସାଧନାର ପ୍ରତୀକ I
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
ଭାଷା ଓ ସାହିତ୍ୟ ପରିବର୍ତ୍ତନଶୀଳ ଅଟେ ଏବଂ ସମୟ ସହିତ ଏଥିରେ ଅନେକ ଜିନିଷ ବଦଳିଥାଏ ଯେଉଁଥିରୁ ସବୁଠାରୁ ମୁଖ୍ୟ ହେଲା ଶବ୍ଦକୋଷର ପରିବର୍ତ୍ତନ ଯାହା ଭାଷାର ଦୈନନ୍ଦିନ ପ୍ରୟୋଗ ଦ୍ଵାରା ନିର୍ଦ୍ଧାରିତ ହୁଏ I ଧୀରେ ଧୀରେ ଓଡ଼ିଆ ଭାଷାରେ ମଧ୍ୟ ଇଂରାଜୀ, ହିନ୍ଦୀ ଏବଂ ଅନ୍ୟ ଭାଷାର ଶବ୍ଦ ସବୁ ପ୍ରୟୋଗ ହେବାକୁ ଲାଗିଛି ଯାହା ଅଧିକାଂଶ ସମୟରେ ଗଦ୍ୟରେ ଦେଖା ଯାଏ I ପୁରାତନ କବିତାର ଭାଷା ଅଧିକ ସୁଦୃଢ ଥିଲା କାରଣ ସେତେବେଳେ ଛନ୍ଦରେ ଲେଖା ଯାଉଥିଲା ଏବଂ ନିର୍ଦ୍ଧିଷ୍ଟ ଶୈଳୀ ରେ ଲେଖିବାକୁ ଗୋଟିଏ ଶବ୍ଦର ବିଭିନ୍ନ ସମ ଆର୍ଥିକ ଶବ୍ଦ ରହୁଥିଲା I ଉଦାହରଣ ସ୍ଵରୂପ ଆକାଶ, ନଭ, ଗଗନ ଇତ୍ୟାଦିର ପ୍ରୟୋଗ ଶୈଳୀର ପ୍ରଯୁର୍ଯ୍ୟ ଦ୍ଵାରା ନିର୍ଦ୍ଧାରିତ ହେଉଥିଲା I ଆଜି କାଲି ଛାୟାବାଦୀ ଆଉ ଛନ୍ଦମୁକ୍ତ ଲିଖନ ଯୋଗୁଁ ଅନେକ ଶବ୍ଦର ପ୍ରୟୋଗ ଆବଶ୍ୟକ ହେଉ ନାହିଁ I ଯୁବ ପିଢ଼ି ମାନେ ଅନ୍ୟ ଭାଷାର ଶବ୍ଦର ପ୍ରୟୋଗ କୁ ଆଧୁନିକତାର ପରିଚୟ ଭାବରେ ଦେଖୁଛନ୍ତି ତେଣୁ ମଧ୍ୟ ଅନ୍ୟ ଭାଷାର ଶବ୍ଦର ଅପମିଶ୍ରଣ ପରିଲକ୍ଷିତ ହେଉଛି ମୁଖ୍ୟତଃ କବିତା ରଚନାରେ I କିନ୍ତୁ ସାହିତ୍ୟ ଏକ ଗତିଶୀଳ ଆଉ ପ୍ରଗତିଶୀଳ ସ୍ରୋତ ଏବଂ ଏଥିରେ ଲେଖକ ଲେଖିକା ଯାହା ପ୍ରକ୍ଷେପଣ କରିବେ ତାହା ସେଥିରେ ବହିବ I ଆଶା କରୁଛି ଓଡ଼ିଆ ଭାଷାର ମେରୁଦଣ୍ଡ ସୁଦୃଢ ରହିବ ଏବଂ ବିଭିନ୍ନ ସ୍ରୋତରୁ ରୁ ଆସୁଥିବା ବିବିଧତା ଏହାର ଭବିଷ୍ୟତର ସାହିତ୍ୟକୁ ଅଧିକ ବିବିଧ ଏବଂ ଆକର୍ଷକ କରିବ I
୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?\
ନୂତନ କବି କବୟିତ୍ରୀ ମାନଙ୍କୁ ପୁରାତନ ରଚନା ସବୁ ପଢିବାକୁ ପଢିବା ସେମାନେ ଯେ କୌଣସି ଶୈଳୀରେ ଲେଖନ୍ତୁ ନା କାହିଁକି କାରଣ ପୁରାତନ ରଚନା ପଢିବା ଦ୍ୱାରା ଚିନ୍ତନର ମଧ୍ୟ ସୃଜନା ହୋଇ ଥାଏ I ଏହା ବ୍ୟତୀତ ନିଜ ରଚନାକୁ ବାରମ୍ବାର ପଢି ସଂଶୋଧନ ଏବଂ ସମ୍ପାଦନ କରିବାର ପ୍ରୟାସ କରିବାକୁ ପଡିବ ଯାହା ଦ୍ଵାରା ବନାନ ଜନିତ ତ୍ରୁଟି ଦୂର ହେବ, ବ୍ୟାକରଣ ସୁଦୃଢ଼ ହେବ ଏବଂ ଶେଷରେ ଲିଖିତ ରଚନାଟିକୁ ପୁନଃ ଲିଖନ ଦ୍ଵାରା ଅଧିକ ଉତ୍କୃଷ୍ଟ ରଚନାରେ ରୂପାନ୍ତର କରିବାର ସୁଯୋଗ ମିଳିବ I “ପ୍ରତ୍ୟେକ କବିତା ଏକ ସାଧନା” ଏହି ମନୋବୃତ୍ତି ରଖିବାକୁ ପଡ଼ିବ I ଶୀଘ୍ର ଲୋକପ୍ରିୟ ହେବା କିମ୍ବା ସଫଳତା ପାଇବାର ଉଦ୍ଦେଶ୍ୟ ନ ରଖି ସୁନ୍ଦର ରଚନାଟିଏ ସୃଷ୍ଟି କରିବାର ଲକ୍ଷ ରଖି କବିତା ରଚନା କରିବା ଦରକାର I ନୂତନ ଲେଖକ ଲେଖିକା ମାନଙ୍କୁ ଏହା ମଧ୍ୟ ଧାନ ଦେବା ଉଚିତ ଯେ ସେମାନେ କେବଳ ଲେଖୁ ନାହାନ୍ତି , ନିଜର ରଚନା ଦ୍ଵାରା ଭାଷାର ସଂରକ୍ଷଣ ଏବଂ ପ୍ରସାରଣ ମଧ୍ୟ କରୁଛନ୍ତି I ତେଣୁ ନିରନ୍ତର ଓଡ଼ିଆ ଭାଷା ଜନିତ ସାହିତ୍ୟର ରଚନା ପଢିବାକୁ ପଡିବ ଏବଂ ଓଡ଼ିଆ ଭାଷା ଏବଂ ସାହିତ୍ୟ ପ୍ରତି ନିଜର ଦାୟିତ୍ଵ ତୁଲେଇବାକୁ ହେବ I
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
ଓଡ଼ିଆ ଭାଷାକୁ ଆଗକୁ ନେବାକୁ ଅନେକ ପଦକ୍ଷେପ ନେବାକୁ ପଡ଼ିବ I ଏଥି ମଧ୍ୟରୁ କିଛିଟା ସମ୍ଭବ ପଦକ୍ଷେପ ହୋଇପାରେ,
◆ ପ୍ରାଥମିକ ଶିକ୍ଷା ସମୟରେ ପିଲାଙ୍କୁ ଉଚ୍ଚାରଣ ଏବଂ ବ୍ୟାକରଣରେ ବଳିଷ୍ଠ କରିବାକୁ ପଡ଼ିବ I ଭାଷାର ସଂରକ୍ଷଣ ଏବଂ ପ୍ରସାରଣ ପାଇଁ ଏହାର ପଠନ, ଲିଖନ ଏବଂ କଥନ ଉପରେ ଗୁରୁତ୍ଵ ଦେବାକୁ ପଡ଼ିବ I
◆-. ଓଡ଼ିଶାରେ ପୁସ୍ତକାଳୟରେ ପ୍ରଚଳନ ନାହିଁ ଏବଂ ଏହାକୁ ଅଭିନବ ଭାବରେ ସୃଷ୍ଟି କରିବାକୁ ପଡ଼ିବ I ଆଜି ମଧ୍ୟ ଆମେରିକା ଭଳି ଉନ୍ନତ ଦେଶରେ ପ୍ରତ୍ୟେକ ସହରରେ ଅନେକ ପୁସ୍ତକାଳୟ ଅଛି ଏବଂ ଲୋକ ମାନେ ଯାଇ ବିଭିନ୍ନ ବିଷୟରେ ଶିକ୍ଷା କରନ୍ତି I ସେହି ପରି ଭାବରେ ଓଡ଼ିଶାରେ ପ୍ରତେକ ସହର ହେଉ କିମ୍ବା ଗ୍ରାମ ହେଉ ପୁସ୍ତକାଳୟ କୁ ଆନୁସାଙ୍ଗିକ ବ୍ୟବସ୍ଥାର ଏକ ନିତାନ୍ତ ଅଭିନ୍ନ ଅଙ୍ଗ କରିବା ଉଚିତ ଏବଂ ସେଥିରେ ଓଡ଼ିଆ ଭାଷାର ରଚନା ସବୁ ରହିବା ଦରକାର I
◆. ସଂସ୍କୃତି, ଲୋକ କଳା ଏବଂ ସାହିତ୍ୟର ଅତୁଟ ସମ୍ପର୍କ ରହିଛି I ପୂର୍ବରୁ ଥିବା ଭାଗବତ ଟୁଙ୍ଗି, ଦାସ କାଠିଆ ଇତ୍ୟାଦି ଯାହା ଭାଷାର ସାମାଜିକ ପ୍ରସାରଣ ଏବଂ ବ୍ୟବହାର କୁ ସୁଦୃଢ ରଖିଥିଲା, ସେଗୁଡିକୁ କୌଣସି ପ୍ରକାର ପୁନଃ ସ୍ଥାପନ କରିବାକୁ ପଡିବ I
◆. ଶେଷରେ ପ୍ରତ୍ୟେକ ଓଡ଼ିଆଙ୍କୁ ଓଡ଼ିଶାରେ ଓଡ଼ିଆରେ ହିଁ କଥା ହେବାକୁ ପ୍ରୟତ୍ନ କରିବାକୁ ହେବ ବିଶେଷ କରି ଯେତେବେଳେ ସେମାନେ ଅନ୍ୟ ଓଡ଼ିଆଙ୍କ ସହ ବାର୍ତ୍ତାଳାପ କରନ୍ତି !
◆. ଅନୁବାଦ ଦ୍ଵାରା ଓଡ଼ିଆ ସାହିତ୍ୟକୁ ଅନ୍ୟ ଭାଷାର ଲୋକଙ୍କ ପାଖରେ ପହଞ୍ଚେଇବା ଏବଂ ଅନ୍ୟ ଭାଷାର ଲେଖାକୁ ଓଡ଼ିଆରେ ଅନୁବାଦ କରିବା ଦ୍ଵାରା ମଧ୍ୟ ଓଡ଼ିଆ ସାହିତ୍ୟର ସମ୍ପ୍ରସାରଣ ହୋଇ ପାରିବ I
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
ମୁଁ ଛାତ୍ର ଜୀବନରୁ ଲେଖୁଛି ଏବଂ ଅତୀତରେ ଆକାଶବାଣୀରୁ ମଧ୍ୟ କିଛିଟା କବିତା ପ୍ରସାରଣ ହୋଇ ଥିଲା I
କିଛି କିନ୍ତୁ ମୋର ପ୍ରକୃତ ପରିଚୟ 2005 ରେ ମୋର ପ୍ରଥମ କବିତା ସଙ୍କଳନର ପ୍ରକାଶନ ପରେ ମିଳିଥିଲା, ଯୁକ୍ତ ରାଷ୍ଟ୍ର ଆମେରିକାରେ ଏବଂ ଏହା ପରେ ମୁଁ ଅଳ୍ପ ବହୁତ କରି ଲେଖୁଥିଲି ଯଦିଓ ନିୟମିତ ଭାବରେ ନୁହେଁ I 2017-2018 ରୁ ମୋର ଓଡ଼ିଶାରୁ ଓଡ଼ିଆ ଭାଷାରେ ପ୍ରକାଶନ ହେବାରେ ଲାଗିଛି ଏବଂ ଏକ ପ୍ରକାର ଅନବରତ ରହିଛି I
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
ଅନଲାଇନ ସାହିତ୍ୟ ଏକ ସତ୍ୟତା ଏବଂ ସାହିତ୍ୟରେ ବୈଷୟିକ ଉନ୍ନତିର ପ୍ରଭାବକୁ ଅଦେଖା କରି ହେବନି I ମୌଖିକ ରୁ ତାଳ ପତ୍ର, ତାଳ ପତ୍ରରୁ କାଗଜ ଏବଂ କାଗଜରୁ କମ୍ପୁଟର, ସାହିତ୍ୟ ପ୍ରସାରଣର ମାଧ୍ୟମ ହିଁ ଅଟେ I କିନ୍ତୁ ଅନେକ ସମୟରେ ପୁସ୍ତକ ପଢ଼ିବାର ଆନନ୍ଦ ଅନଲାଇନ୍ ରେ ମିଳେ ନାହିଁ I ଭଲ ରଚନାଟିଏ ଯେ କୌଣସି ମାଧ୍ୟମରେ ନିଜର ପ୍ରଭାବ ଦେଖେଇବ ଏବଂ ପାଠକଙ୍କ ଦ୍ଵାରା ଆଦୃତ ହେବ I ଅନଲାଇନ ପ୍ରଣାଳୀ ସୃଷ୍ଟି ହେବା ଦ୍ଵାରା ରା ସାହିତ୍ୟ ଅଧିକ ସରଳ ଏବଂ ସୁବିଧା ଭାବରେ ସମାଜରେ ପ୍ରଚଳିତ ହୋଇ ପାରୁଛି ଯାହା ବାଞ୍ଛନିୟ I ଓଡ଼ିଆ ଭଳି ଭାଷାକୁ ଏହା ଗୋଟିଏ ରାଜ୍ୟରେ ସୀମିତ ନ ରଖି ଦେଶ ବିଦେଶରେ ପହଞ୍ଚେଇବାରେ ମଧ୍ୟ ସାହାଯ୍ୟ କରିଛି I
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
ପ୍ରତ୍ୟେକ ସଂସ୍ଥା ର ସୃଷ୍ଟି ସମୟରେ ଗୋଟିଏ ଜିନିଷ ମନେ ରଖିବା ଉଚ୍ଚିତ, ସଂସାରରେ କୌଣସି ଜିନିଷ ଚିରସ୍ଥାୟୀ ନୁହେଁ, କିନ୍ତୁ ସଂସ୍ଥା ଯେଉଁ ନୂତନ ଦିଗ ଆଉ ପଥ ସୃଷ୍ଟି କରିବ ତାହାର ଯଥାର୍ତତା ଏବଂ ଉପଯୋଗୀତାକୁ ଦୀର୍ଘଜୀବୀ କରିହେବ ନିଷ୍ଠା ଏବଂ ଶ୍ରମ ଦ୍ଵାରା I ଏହି ପରିପ୍ରେକ୍ଷି ରେ ସଂସ୍ଥାର ଲକ୍ଷ ବ୍ୟକ୍ତି ବିଶେଷ ନ ହୋଇ ଉଦ୍ଦେଶ୍ୟ ବିଶେଷ ହେବା ନିତାନ୍ତ ପ୍ରୟୋଜନ ଯାହା ଦ୍ୱାରା କୌଣସି ସଦସ୍ୟର ଉପସ୍ଥିତି କିମ୍ବା ଅନୁପସ୍ଥିତି ଦ୍ଵାରା ଏହାର କାର୍ଯ୍ୟକ୍ରମରେ କୌଣସି ବ୍ୟାଘାତ ଘଟିବନି I ଏହା ଅତ୍ୟନ୍ତ ଆନନ୍ଦର କଥା ଏହି ସଂସ୍ଥା ଆଜି ବିଶ୍ଵର ବିଭିନ୍ନ ସ୍ଥାନରେ ପ୍ରସାର କରି ପାରିଛି ଏବଂ ଆଦୃତ ହେବାରେ ଲାଗିଛି I ଏଥିରେ ଅନେକ ଯୁବ ପିଢ଼ିର କବି କବୟିତ୍ରୀ ମାନେ ଜୋଡିତ ହେଇଛନ୍ତି ଯାହା ବହୁତ ଭଲ ହେଇଛି I ସୁର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନକୁ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ I
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
ମୋର କିଛି କବିତା ସଂକଳନ ପ୍ରକାଶିତ ହୋଇଛି ଇଂରାଜୀ, ଓଡ଼ିଆ ଏବଂ ହିନ୍ଦୀ ଭାଷାରେ I ମୁଁ ଆଜି କାଲି କବିତା ଉପରେ ଅଧିକ ଗୁରୁତ୍ୱ ଦେଉଛି ଏବଂ ସଙ୍କଳନ ବଦଳରେ ବିଭିନ୍ନ ପତ୍ରପତ୍ରିକା କୁ ଏବଂ ଅନଲାଇନ ପ୍ରକାଶନ ଉପରେ ଧ୍ୟାନ ଦେଉଛି I ଅଧିକାଂଶ ସମୟରେ ଓଡ଼ିଆରେ ଲେଖୁଛି I ଷ୍ଟୋରୀ ମୀରରରେ ୱଏବସାଇଟ ରେ ମଧ୍ୟ ଅନେକ ଲେଖା ପ୍ରକାଶିତ ହେଇଛି I ଅନେକ ଇ-ପତ୍ରିକା କୁ ନିଜ ଲେଖା ଦେଉଛି I
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
ମୋର ଗୋଟିଏ କବିତା ପ୍ରକାଶିତ ହୋଇଛି ଏବଂ ଏହାର ଫେସବୁକ ପେଜ୍ ରେ ଗୋଟିଏ କବିତା ମଧ୍ୟ ଦେଇଛି I ମୁଁ ଏହି ଗ୍ରୁପର ଜଣେ ନୂତନ ସଭ୍ୟ ତେଣୁ ଅଧିକ ଲେଖା ପ୍ରକାଶିତ ହୋଇ ନାହିଁ I
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ?
ସୂର୍ଯୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଦେଶ ବିଦେଶରେ ଥିବା ସଭ୍ୟବୃନ୍ଦ ଏହାର ଆନ୍ତର୍ଜାତିକତାର ଏକ ପ୍ରମାଣ I ହୁଏତ ବହୁଭାଷୀ ସାହିତ୍ୟ ପ୍ରତିଷ୍ଠାନ ହୋଇଥିବାରୁ ଏହାର ଆନ୍ତର୍ଜାତିକ ଵ୍ୟାପନରେ ଅଧିକ ବୃଦ୍ଧି ହେବ ଏବଂ ଅନ୍ୟ ଦେଶରୁ ମଧ୍ୟ ସଦସ୍ୟ ମାନେ ଜୋଡିତ ହେବେ I
ରଞ୍ଜିତ କୁ ସାହୁ
ଯୁକ୍ତରାଷ୍ଟ୍ର ଆମେରିକା
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335
151 total views, 1 views today