ଚୈତ୍ରର ଏ ମାହେନ୍ଦ୍ର ବେଳାରୁ
ଆଜି
ଚୈତ୍ରର ଶୁକ୍ଳ
ଦଶମୀ ତିଥିର ଏକ
ଶୁଭ ମୁହୂର୍ତ୍ତରେ
ବ୍ରାହ୍ମଣୀ ଭେକମାନଙ୍କ
ସମ୍ମିଳିତ କର୍କଶ ରଡିରେ
ଗୁଞ୍ଜରି ଉଠିଲା ପ୍ରଭାତ।
ମୁଁ ଶିବ ପୂଜାରେ
ମନ୍ତ୍ରମନସ୍କ ଥିଲି
ହାତରେ ଥିଲା ତାମ୍ରପାତ୍ର
ଜଳାଭିଷେକରେ
ଫୁଲ ଚନ୍ଦନ ବିଲ୍ବ ପତ୍ର
ଅକ୍ଷତରେ ଅର୍ଚ୍ଚନାରତ
ମୋର ତନୁ ମନ ପ୍ରାଣ
ମଙ୍ଗଳମୟଙ୍କ ଆରଧନାରେ
ପୂର୍ବାକାଶର କଅଁଳିଆ କିରଣରେ
ପତ୍ର ପୁଷ୍ପମାନେ ଆନନ୍ଦିତ ଥିଲେ।
ନା ବର୍ଷା ହେଉଛି
ନା ବର୍ଷା ହେବାର ସମ୍ଭାବନା
ସୂଚାଉଛି ନୀଳଗିରି ପାହାଡର
ଘନ ନୀଳ ରୂପ
ଯାହା ମୋତେ ସର୍ବଦା
ମୋହାଛ୍ଛନ କରେ
ତାର ରୂପ ଲାବଣ୍ୟରେ।
ତେବେ ଏ ଅସମୟ ଭେକମାନଙ୍କ
ଶାହାନାଈ କ’ଣ ପାଇଁ
ମନରେ ଅନେକ ପ୍ରଶ୍ନ
ଯାହା ଅସମାହିତ
ମୁହୂର୍ତ୍ତର ମେଘର
ଅବର୍ତ୍ତମାନରେ
ଗ୍ରୀଷ୍ମ ଆସୁଛି ବିବିଧ ବାଦ୍ୟ
ରୋଷଣୀର ପଟୁଆର ଧରି
କାଳ ବୈଶାଖୀ ନେତୃତ୍ବରେ।
ଭେକର ଏ ସତର୍କର ସ୍ବର
କାହା ପାଇଁ ମଣିଷ ନା
ଅତିକ୍ରମଣ କରୁଥିବା
ଅସମୟ ସମୟ ପାଇଁ ।
ମହାକାଶେ କାହିଁ
ଚାଲି ନାହିଁ ବାଦଲର
ସଂଗୁପ୍ତ ପ୍ରୀତି ଅଭିସାର
ଶୁଭୁ ନାହିଁ ବେଦମନ୍ତ୍ର
ମଙ୍ଗଳର ଶୁଭ ଶାହାନାଈ
କିପାଇଁ ରେ ନିର୍ବୋଧ ମଣ୍ଡୁକ
ଅସମୟେ ଛାଡୁଅଛି ରଡି।
ମୁଁ ହୁଏତ ଜାଣି ନାହିଁ
ମୋ ପାଖରେ ନାହିଁ ସମାଚାର
ମନ୍ତ୍ରୀ ଅବା ରଜାପୁଅ
ବିବାହର ଆଦ୍ୟପର୍ବ
ମଙ୍ଗଳର ଶୁଭ ଶଙ୍ଖ
ଦେଉଅଛୁ ପ୍ରଭାତ କାଳରେ।
ରୌଦ୍ରତାପେ ସନ୍ତାପିତ
ଧରଣୀର ବୁକୁ
ଜଳବିନ୍ଦୁର ମହାର୍ଘ ସ୍ପର୍ଶରେ
ଧନ୍ୟହେବ ଚାତକର
ଅନନ୍ତ ପ୍ରତୀକ୍ଷା ।
ରଡି ଛାଡ୍ ରଡି ଛାଡ୍
ଇନ୍ଦ୍ର ପ୍ରୀତିଲାଭ କରୁ
ଝରିପଡୁ ଅମୃତର ବର୍ଷା
ଶୁଭ ଶାହାନାଈ ବାଜୁ
ଚୈତ୍ରର ଏ ମାହେନ୍ଦ୍ର ବେଳାରୁ।
—-xxx—-
ସଦସ୍ୟ, ଓଡିଶା ସାହିତ୍ୟ ଏକାଡେମୀ
ସାରସ୍ବତ ନିବାସ
ଗୌଡଦିଆ,ସିମୁଳିଆ,ବାଲେଶ୍ବର
ଓଡିଶା – ୭୫୬ ୧୨୬
ରଚନାକାଳ- ୧୧.୦୪.୨୦୨୨,ଅପରାହ୍ଣ ୩.୪୫
ଭ୍ରାମ୍ୟଭାଷ -୯୪୩୭୩୭୨୧୬୬