*Lets talk with Sudruma Panda who hails from Baragarh , Odisha for Suryodaya_Sambhranta_Saraswat_Samman – 2022*
ପ୍ରିୟ
ସତୀର୍ଥ ସାହିତ୍ୟାତ୍ମନ
ସାଦରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଗ୍ରହଣ କରିବା ହେବେ। ଚଳିତ ବର୍ଷ ଆମ ପରିବାରର ଉଚ୍ଚ ମର୍ଯ୍ୟାଦା ସମ୍ପର୍ଣ୍ଣ ଅନ୍ତର୍ଜାତୀୟ ସ୍ୱୀକୃତି ପ୍ରାପ୍ତ ସମ୍ମାନ ସୂର୍ଯ୍ୟୋଦୟ-ସମ୍ଭ୍ରାନ୍ତ-ସାରସ୍ୱତ-ସମ୍ମାନ- ୨୦୨୨ ପାଇଁ ପାର୍ଥିପତ୍ର ଦାଖଲ ନିମିତ୍ତ ଆପଣଙ୍କ ନାମ ଆମ ପରିଚାଳନା କମିଟି , ଆଭ୍ୟନ୍ତରୀଣ କମିଟି ତଥା ଅନ୍ତର୍ଜାତୀୟ କମିଟି ଦ୍ୱାରା ମନୋନୀତ ହୋଇଛି। ସେଥିପାଇଁ ଆଉଥରେ ଅଭିନନ୍ଦନ।
ତଳେ ପଚାରାଯାଇଥିବା ପ୍ରଶ୍ନ ଗୁଡିକ ର ଉତ୍ତର ନିଜ ମନ ବିବେକ ଏବଂ ଉତ୍ତମ ଚିତ୍ତ ରେ ରଖିବେ।
ନାମ- *ଶ୍ରୀମତୀ ସୁଦ୍ରୁମା ପଣ୍ଡା*
ପିତା ମାତା ଙ୍କ ନାମ-
ପିତା- *ସ୍ବର୍ଗତ ଉଜ୍ବଳ କୁମାର ଦାଶ*
ମାତା– *ସ୍ବର୍ଗତା ବସନ୍ତ କୁମାରୀ ଦେବୀ*
ସ୍ୱାମୀ/ସ୍ତ୍ରୀ ଙ୍କ ନାମ– *ଶ୍ରୀଯୁକ୍ତ ସୁରେନ୍ଦ୍ର ମୋହନ ପଣ୍ଡା*
ମହୀସ୍ପର୍ଶ ତାରିଖ/ଜନ୍ମଦିନ– *୨୯ – ୩ – ୧୯୬୬*
ଶିକ୍ଷା ଗତ ଯୋଗ୍ୟତା– *ସ୍ନାତକ*
ମେଲ ଆଇଡି- [email protected]
୧- ନିଜ ସମ୍ପର୍କରେ ତଥା ଚର୍ଚ୍ଚା ଚର୍ଚ୍ଚିତ ନିଜ ଜୀବନ ବିଷୟରେ କିଛି କୁହନ୍ତୁ।
*ମୁଁ ଜଣେ ସାଧାରଣ ଗୃହିଣୀ । ଲେଖିବା ମୋ ନିଶା । ଏହା ବ୍ୟତୀତ ରୋଷେଇ କରିବାକୁ ଏବଂ ସିଲେଇ କରିବାକୁ ମୋତେ ବହୁତ ଭଲ ଲାଗେ । ମୁଁ ମୋର ଆବଶ୍ୟକ ସମସ୍ତ ସିଲେଇ କୁ ନିଜେ ହିଁ କରିଥାଏ । ପୁସ୍ତକ ପଠନ ସହିତ ସମାଜ ସେବା ରେ ରୁଚି ରଖେ ।*
୨- ସାହିତ୍ୟ ତଥା ଏହାର ଦୁନିଆ ଯାହାକୁ ସାରସ୍ୱତ ଦୁନିଆ କୁହାଯାଏ, ଆପଣଙ୍କ ବ୍ୟକ୍ତିଗତ ଜୀବନ ଉପରେ କେମିତି ପ୍ରଭାବ ପକାଇଛି ? କିଛି ବିଶେଷ ବ୍ୟକ୍ତିଗତ ଅନୁଭୂତି ବିଷୟରେ ଆମକୁ କହିବେ କି ?
*ସାହିତ୍ୟ ସହିତ ପ୍ରାୟ ସମସ୍ତେ ଜଡ଼ିତ ଥାଆନ୍ତି । ହୁଏତ ଏହାକୁ ଖୁବ୍ କମ୍ ଲୋକ ଅନୁଭବ କରିଥାନ୍ତି । ସାହିତ୍ୟ ଆମ ଜୀବନର ପ୍ରତି ପଦେ ପଦେ ରହିଛି । ସାହିତ୍ୟ କୁ ଛାଡି ସମାଜ ର ପରିକଳ୍ପନା କରି ହୁଏ ନା । ଆଉ ମୁଁ ଗୋଟିଏ ଏମିତି ପରିବାର ରୁ ଆସିଛି, ଯେଉଁଠି ସବୁବେଳେ ସାହିତ୍ୟ ଚର୍ଚ୍ଚା ହିଁ ହୋଇ ଆସୁଥିଲା । ମୋ ପିତା ଜଣେ ସାହିତ୍ୟାନୁରାଗୀ ମଣିଷ ଥିଲେ । ତାଙ୍କ ସହିତ ପ୍ରାୟ ଅନେକ କବି ଲେଖକଙ୍କ ବିଷୟରେ ଚର୍ଚ୍ଚା ହେଉଥିଲା । ଘରେ ଅନେକ ଗ୍ରନ୍ଥ ମହଜୁଦ ଥିବାରୁ ମୁଁ କିଛି କିଛି ପଡ଼ିବାର ସୁଯୋଗ ପାଇଥିଲି । ମୋ ମାଁ ଜଣେ ଅତି ସ୍ନେହି ଧର୍ମ ପରାୟଣା ଓ ଧୈର୍ଯ୍ୟ ଶୀଳା ସହିଷ୍ଣୁ ମହିଳା ଥିଲେ । ତାଙ୍କ ଠାରୁ ହିଁ ମୁଁ ଜୀବନର ସୂତ୍ର ପାଇଥିଲି । ମୋ ଜେଜେମା ମଧ୍ୟ ଭାରି ସ୍ନେହି ଓ ଭକ୍ତିମତୀ ଥିଲେ । ସବୁବେଳେ ପ୍ରାୟ ପୁରାଣ ପଢ଼ାରେ ସମୟ ଅତିବାହିତ କରୁଥିଲେ । ତେଣୁ ତାଙ୍କ ପାଖରୁ ପୁରାଣ ର ଅନେକ କଥା ଜାଣି ପାରିଥିଲି । ଏବଂ ଏହି ସବୁ ପରିବେଶ ମୋ ହାତରେ କଲମ ଧରାଇ ଥିଲା । ମୋର ବିବାହ ପରେ କିନ୍ତୁ ମୋତେ ସମୟ ମିଳି ନ ଥିଲା ସାରସ୍ବତ ସାଧନା ପାଇଁ । ତେଣୁ ଅନେକ ଦିନ ଯାଏଁ ମୋ ଲେଖନୀ ନିରବ ରହିଥିଲା । ମୁଁ ଯେତେବେଳେ କର୍ମମୟ ଜୀବନରୁ ଟିକିଏ ଅବସର ପାଇଲି , ମାନେ ମୋ ଶାଶୁ ଶଶୁର ଙ୍କ ଦେହାନ୍ତ ହେଲା ଏବଂ ପିଲା ମାନେ ପାଠ ପଢା ପାଇଁ ବାହାରକୁ ଗଲେ ମୋ ଅବସର ସମୟକୁ ସାହିତ୍ୟ ସାଧନାରେ ନିୟୋଜିତ କଲି । ଏଯାଏଁ ମୋର ତିନୋଟି ପୁସ୍ତକ ଲୋକାର୍ପିତ ହୋଇଛି । ଆହୁରି ଅନେକ ପ୍ରକାଶ ଅପେକ୍ଷାରେ ରହିଛି । ଏହି ନିକଟରେ ଦୁଇଟି ବହି ବାହାରିବ ।*
୩- ଆପଣ ମୁଖ୍ୟତଃ କବିତା/ଗଳ୍ପ/ପ୍ରବନ୍ଧ/ ରମ୍ୟରଚନା ନା ଅନ୍ୟକିଛି ଲେଖା ଲେଖି କରନ୍ତି?
*ମୁଁ ପ୍ରାୟ ଗଳ୍ପ ଓ କବିତା କୁ ବେଶି ପ୍ରାଧାନ୍ୟ ଦେଇଥାଏ । ଏହାର ଅର୍ଥ ନୁହେଁ ମୁଁ ପ୍ରବନ୍ଧ କି ରମ୍ୟରଚନା ଲେଖେନି ବୋଲି । କିନ୍ତୁ ପତ୍ର ପତ୍ରିକାରେ ପ୍ରକାଶିତ ହେବା ବ୍ୟତୀତ ଏଯାବତ ମୋର ଗଳ୍ପ କି ପ୍ରବନ୍ଧ ବହି ପ୍ରକାଶିତ ହୋଇପାରି ନାହିଁ ।*
୪-ଆପଣଙ୍କ ମତରେ ଭଲ କବିତାଟିଏ ବା ଗପଟିଏ ଆମେ କାହାକୁ କହିବା?
*ମୋ ମତରେ ଯେଉଁ କବିତା ବା ଗଳ୍ପ ପାଠକର ହୃଦୟ ମନକୁ ଛୁଇଁଲା ଏବଂ ବୋଧଗମ୍ୟ ହୋଇ ସମାଜ ପାଇଁ କିଛି ଗୋଟାଏ ବାର୍ତ୍ତା ରହିଲା ତାକୁ ହିଁ ଭଲ କବିତା ବା ଭଲ ଗଳ୍ପ ଟିଏ ବୋଲି କହି ପାରିବା । ମୁଁ ମୋ ଲେଖା ରେ ବେଶି କ୍ଳିଷ୍ଟ ଶବ୍ଦ ବ୍ଯବହାର କରେନାହିଁ । ଯେମିତି ସମସ୍ତେ ବୁଝି ପାରି ଉପଭୋଗ କରିବେ ସେଥିପ୍ରତି ମୁଁ ବିଶେଷ ଧ୍ୟାନ ଦେଇଥାଏ ।*
୫- ଆପଣ ଆପଣଙ୍କ ଲେଖା ମାଧ୍ୟମରେ ସମାଜକୁ କଣ କହିବାକୁ ଭଲପାଆନ୍ତି?
*ସାହିତ୍ୟ ହେଉଛି ସମାଜର ଦର୍ପଣ । ଜଣେ ସାହିତ୍ୟିକ ଲେଖା ମାଧ୍ୟମରେ ସମାଜରେ ସୁଧାର ଆଣି ଥାଏ ବା ଦିଗଦର୍ଶନ ଦେବା ପାଇଁ ସକ୍ଷମ ହୋଇ ଥାଏ । ଏଣୁ ଲେଖା ସବୁ ବେଳେ ପରିମାର୍ଜିତ ହେବା ଦରକାର । ଦ୍ବିଅର୍ଥ ବୋଧକ ଶୈଳୀ ଯଦି ରହେ ତାହେଲେ ତାହା ଅଶ୍ଳୀଳ ନହୋଇ ଶାବଳିଳ ହେବା ଆବଶ୍ୟକ ।*
୬-ସାହିତ୍ୟ ଲେଖି ହୋଇଯାଏ ଅଥବା ଲେଖିବାକୁ ପଡେ ; ଆପଣଙ୍କ ବ୍ୟକ୍ତିଗତ ଅନୁଭୂତି ଏ ନେଇ ?
*ସାଧାରଣତଃ ଜଣେ ସାହିତ୍ୟିକ ନିଜର ହୃଦୟ ର ଉଦ୍ବେଳନ କୁ ଯେତେବେଳେ ଭାଷାରେ ରୂପ ଦିଏ, ତାହା ସାହିତ୍ୟ ହୋଇ ଜନ ସମ୍ମୁଖରେ ଛିଡ଼ା ହୁଏ । ତେଣୁ ସାହିତ୍ୟ ଲେଖିବା ପାଇଁ କୌଣସି ବିଶେଷ କଷ୍ଟ ବା ପରିଶ୍ରମ କରିବାକୁ ହୁଏ ନାହିଁ । ତାହା ସମୟ ସୁବିଧା ଦେଖି ଆପେ ଚାଲି ଆସେ ।*
୭- ଜଣେ ଆଦର୍ଶ ସାହିତ୍ୟିକ ଭାବେ ସାରସ୍ୱତ ଧ୍ୟେୟ ଯାତ୍ରାରେ ସାରସ୍ବତୀୟ ସଫଳତା କହିଲେ କଣ ବୁଝନ୍ତି? ଆପଣ ଏପରି କିଛି ସଫଳତା ର ଅଧିକାରୀ/ଅଧିକାରିଣୀ ହୋଇଛନ୍ତି କି ? ସେ ବିଷୟରେ ଜଣାଇବା ହେବେ।
*ଜଣେ ଆଦର୍ଶ ସାହିତ୍ୟିକ ଆମେ ତାହାଙ୍କୁ କହିବା ଯିଏ ସମାଜ ପାଇଁ ତାଙ୍କ ଲେଖା ମାଧ୍ୟମରେ କିଛି ଦେଇ ଯାଇଛନ୍ତି । ଯେଉଁ ସାହିତ୍ୟ ଆବାଳବୃଦ୍ଧବନିତା ସମସ୍ତଙ୍କ ପ୍ରିୟ ହୋଇ ସମସ୍ତ ଙ୍କୁ ଆମୋଦିତ କରିବା ସହିତ କିଛି ଶିକ୍ଷଣୀୟ ବାର୍ତ୍ତା ବହନ କରେ, ତାକୁ ହିଁ ସଫଳ ସାହିତ୍ୟ କହି ପାରିବା । ମୁଁ ସବୁବେଳେ ଏହାକୁ ହିଁ ଦୃଷ୍ଟିରେ ରଖି ମୋ ଲେଖନୀ ଚାଳନା କରିବାକୁ ଚେଷ୍ଟା କରେ । ମୋ ଚେଷ୍ଟା କେତେ ଦୂର ସଫଳ ହୋଇଛି ତାହା କେବଳ ପାଠକ ହିଁ କହିପାରିବେ ।*
୮- ଆପଣଙ୍କ ର ପ୍ରିୟ ତତ୍କାଳୀନ ସାହିତ୍ୟ ପତ୍ରିକାଗୁଡ଼ିକ କ’ଣ?
ଏବଂ ଆପଣଙ୍କ ର ପ୍ରିୟ ପିଲାଦିନର ପୁସ୍ତକ ଗୁଡ଼ିକ କ’ଣ ?
*ମୋ ପିଲା ଦିନ ଗୁଡିକ ରେ ପତ୍ରିକା ହିସାବରେ ମୁଁ ଶିଶୁ ଲେଖା, ଜହ୍ନ ମାମୁଁ, ଇତ୍ୟାଦି ପଢିବାର ସୁଯୋଗ ପାଇଥିଲି । କିନ୍ତୁ ଏହା ବ୍ୟତୀତ ବହୁତ ଛୋଟ ଛୋଟ ପୁସ୍ତକ ଯେପରିକି ମହାପୁରୁଷଙ୍କ ଜୀବନୀ, ପୁରାଣ ର ଛୋଟ ଛୋଟ କାହାଣୀ ଗୁଡ଼ିକ ପଢ଼ି ମୁଁ ବିଶେଷ ଭାବରେ ପ୍ରଭାବିତ ହୋଇଥିଲି । ବାପା ଙ୍କ ଲାଇବ୍ରେରୀ ରେ ଅନେକ କାବ୍ୟ କବିତା ପୁସ୍ତକ ରହିଥିଲା । ତେଣୁ ମୁଁ ପିଲାବେଳେ ଏସବୁକୁ ପଢ଼ିବାର ସୁଯୋଗ ପାଇଥିଲି ।*
୯- ଶୁଣାଯାଏ ଆମ ଭାଷା ସାହିତ୍ୟରେ ଅହେତୁକ ଅଦୃଶ୍ୟ ଶକ୍ତି ଅନ୍ତର୍ନିହିତ ହୋଇ ରହିଛି ବୋଲି, ତେବେ ଆପଣଙ୍କର ଏପରି କିଛି ଅନୁଭବ ତଥା ଅନୁଭୂତି ରହିଛି କି ଉପରୋକ୍ତ ଉକ୍ତି କୁ ସତ୍ୟ ପ୍ରମାଣିତ କରିବା ପାଇଁ ?
*ଆମ ଭାଷା ସାହିତ୍ୟ ରେ ନିଶ୍ଚୟ କିଛି ଅହେତୁକ ଅଦୃଶ୍ୟ ଶକ୍ତି ରହିଛି । ମୋ ଭିତରେ ଅନ୍ତର୍ନିହିତ ଥିବା କଳା ସେତେବେଳେ ତ୍ବରାନ୍ବିତ ହେଲା ଯେତେବେଳେ ମୋତେ ମୋ ଦୀକ୍ଷା ଗୁରୁ ଶ୍ରୀଯୁକ୍ତ ଶଶିଭୂଷଣ ପାଣିଗ୍ରାହୀ ଙ୍କ ସାନ୍ନିଧ୍ୟ ପ୍ରାପ୍ତ ହେଲା । ସେ ଜଣେ ଉଚ୍ଚ କୋଟୀର ସାହିତ୍ୟିକ । ତତ୍ ସହିତ ଜଣେ ନିଃସ୍ଵାର୍ଥପର ସମାଜସେବୀ । ତାଙ୍କ ପ୍ରଭାବ ରେ ମୁଁ ଖୁବ୍ ଶୀଘ୍ର ପ୍ରଭାବିତ ହୋଇ ଗଲି ଏବଂ ଲେଖା ର ଧାରା କୁ ବୁଝିବାକୁ ଲାଗିଲି । ଏହା କ’ଣ ଅହେତୁକ ନୁହେଁ ?*
୧୦- ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ଓ ଅଧୁନା ସାହିତ୍ୟ ମଧ୍ୟରେ ଫରକ କଣ ? ଏହାଦ୍ବାରା ସମାଜ ଉପରେ କେଉଁସବୁ ସକାରାତ୍ମକ ତଥା ନକରାତ୍ମକ ପ୍ରଭାବ ପଡୁଛି ସେ ବିଷୟରେ କିଞ୍ଚିତ ଆଲୋଚନା ରଖିବା ହେବେ କି ?
*ଆମ ପ୍ରାଚୀନ ପାରମ୍ପରିକ ସାହିତ୍ୟ ସବୁ ବେଳେ ଗୋଟିଏ ନିର୍ଦିଷ୍ଟ ଧାରାରେ ଗତି କରି ତାର ଶାବଳିଳତା କୁ ବଜାୟ ରଖି ଆସିଛି । କିନ୍ତୁ ଆଧୁନିକ ସାହିତ୍ୟ ରେ ନିର୍ଦିଷ୍ଟ କିଛି ଧାରା ରହୁନାହିଁ । ଆଜିର ଯୁଗରେ ଜଣେ ଗଣମାଧ୍ୟମ କୁ ଆଧାର କରି ନିଜକୁ ନିଜେ ପ୍ରତିପାଦିତ କରିବା ପାଇଁ ବ୍ୟସ୍ତ । ସାଧନା ଯାହା ହେଉ ପଛେ ପ୍ରଶଂସା ସାଉଁଟି ସାହିତ୍ୟିକ ହୋଇ ଯାଉଛନ୍ତି । ତେଣୁ ସାହିତ୍ୟ ରେ ଶୁଦ୍ଧି ରହୁ ନାହିଁ । ପ୍ରାଚୀନ କାଳରେ ସାହିତ୍ୟିକ ସାଧନା କୁ ମୂଳ କରି ଲକ୍ଷ ସାଧନ କରୁଥିବା ବେଳେ ଆଜି କାଲି ରାତାରାତି ସାହିତ୍ୟିକ ହେବା ପାଇଁ ସମସ୍ତେ ବ୍ୟଗ୍ର । ତେଣୁ ନିଶ୍ଚିତ ଭାବରେ ଏହା ଏକ ଚିନ୍ତାର ବିଷୟ ।*
୧୧ – ପାଠକୀୟ ଆଦୃତି, ପୁରସ୍କାର ନା ଆତ୍ମସନ୍ତୋଷ ଆପଣଙ୍କ ସାରସ୍ଵତ ସାଧନା ଓ ସୃଜନଶୀଳତା ଏମାନଙ୍କ ମଧ୍ୟରୁ କଣ ଆକାଂକ୍ଷା କରୁଥାଏ ?
*ପୁରସ୍କାର ନିଶ୍ଚିତ ଭାବରେ ପ୍ରେରଣା ଯୋଗାଏ । କିନ୍ତୁ ପୁରସ୍କାର ପଛରେ ଧାଇଁବାକୁ ମୁଁ ପସନ୍ଦ କରେ ନାହିଁ । କୌଣସି ସୃଜନ ଯଦି ପାଠକୀୟ ସ୍ବୀକୃତି ତଥା ଆଦୃତି ପାଇଲା ତାହାହିଁ ସ୍ରଷ୍ଟା ର ପ୍ରକୃତ ପୁରସ୍କାର । ଲେଖା ଉନ୍ନତ ମାନର ହେଲେ ପୁରସ୍କାର ତା ପଛେ ପଛେ ଗୋଡ଼ାଇବ । ତେଣୁ ନିଜ ଲେଖାକୁ ସୁନ୍ଦର ଓ ଶାବଳୀଳ କରି ସାଧନା ଜାରି ରଖିବାକୁ ମୁଁ ପସନ୍ଦ କରେ ।*
୧୨-ଓଡ଼ିଆ ଭାଷା, ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ; ଆପଣ କେମିତି ଦେଖନ୍ତି ?
*ଆଗ ସମୟରେ ଜଣେ ଲେଖକ ବା କବିର ବହି ଖଣ୍ଡେ ପ୍ରକାଶିତ ହେବା ପାଇଁ ଅନେକ ବାଧାବିଘ୍ନ ର ସମ୍ମୁଖୀନ ହେବାକୁ ପଡୁଥିଲା,କାରଣ ସେତେବେଳେ ଏତେ ଉନ୍ନତ ମାନର ଛାପାଖାନା ନଥିଲା ବା ଅତି କମ୍ ଥିଲା । କିନ୍ତୁ ଏବେ ଅତି ସହଜରେ ବହି ଖଣ୍ଡେ ପ୍ରକାଶିତ ହୋଇଯାଉଛି କାହିଁକି ନା ଏବେ ଆଉ ଛାପାଖାନାର ଅଭାବ ନାହିଁ । କିନ୍ତୁ ପାଠକଙ୍କ ସଂଖ୍ୟା ଦେଖିବାକୁ ଗଲେ ଆଗ ତୁଳନାରେ ଏବେ ଖୁବ୍ କମ୍ । ଲୋକେ ବହି ପଢ଼ା କୁ ନିଜ ଅଭ୍ୟାସରେ ପରିଣତ କରିବାକୁ ଚାହୁଁ ନାହାନ୍ତି । ଟିଭି ମୋବାଇଲ ଏବେ ସମସ୍ତଙ୍କର ରୁଚି ବଦଳାଇ ଦେଇଛି । ତେଣୁ ଲେଖକଙ୍କ ସଂଖ୍ୟା ବୃଦ୍ଧି ପାଇଲେ ସୁଦ୍ଧା ପାଠକଙ୍କ ଆଗ୍ରହ କମି କମି ଯାଉଛି । ଅତଃ ସେଥିପ୍ରତି ସମସ୍ତଙ୍କ ଧ୍ୟାନ ରହିବା ଆବଶ୍ୟକ ।*
୧୩-ଯେଉମାନେ ନୂଆ ଆସୁଛନ୍ତି କବିତା କ୍ଷେତ୍ରକୁ ସେମାନଙ୍କୁ ଆପଣ କ’ଣ କହିବେ?
*ଯେଉଁ ମାନେ ନୂଆ ଆସୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ସ୍ବାଗତ ଜଣାଇବି । କାହିଁକି ନା ନୂଆ ସୃଷ୍ଟି ନହେଲେ ଲେଖାର ଧାରା ସ୍ଥିର ହୋଇ ରହିଯିବ । ତେଣୁ ସାରସ୍ବତ ଭଣ୍ଡାର କୁ ଋଦ୍ଧିମନ୍ତ କରିବାପାଇଁ ନୂଆ ଲୋକଙ୍କ ପ୍ରବେଶ ନିତାନ୍ତ ଆବଶ୍ୟକ । କିନ୍ତୁ ମୁଁ ସମସ୍ତ ଙ୍କୁ ଏଇଆ କହିବି କି, ପ୍ରତ୍ଯକେ ନିଜ ନିଜ ସୃଜନ ର ସମୀକ୍ଷା ପ୍ରଥମେ ନିଜେ କରି, ତାର ମାନକୁ ନିଜେ ପରଖି ପାଠକଙ୍କୁ ଅର୍ପଣ କରନ୍ତୁ । ଭାଷା ରେ କୌଣସି ପ୍ରକାର ବୁଝାମଣା ନରହୁ । ଶବ୍ଦ ରେ ନୀରୁତା ରହୁ । ତେବେ ଯାଇ ଯେଉଁ ସାହିତ୍ୟ ସୃଷ୍ଟି ହେବ ତାହା କାଳଜୟୀ ହୋଇ ଯୁଗ ନିର୍ଣ୍ଣୟ କରିବ ।*
୧୪- ଓଡ଼ିଆ ସାହିତ୍ୟର ଭୂତ ଭବିଷ୍ୟତ ସମ୍ବନ୍ଧରେ କିଛି ନୃତନ ଯୋଜନା କଣ ହେବା ଉଚିତ ?
*ଓଡ଼ିଆ ସାହିତ୍ୟର ଭୁତ ଭବିଷ୍ୟତ ସବୁ ତ ଆମର ଆଗାମୀ ପୀଢ଼ି ର ସାହିତ୍ୟିକ । ତେଣୁ ସେମାନେ ଯେତେ ସଜାଗ ରହିବେ ନିଜ ମାତୃଭାଷା ପ୍ରତି,ତାର ଭବିଷ୍ୟତ ସେତିକି ଜାଜ୍ଜ୍ୱଲ୍ୟମାନ ହେବ, ଏଥିରେ ସନ୍ଦେହ ନାହିଁ ।*
୧୫- କେବେଠାରୁ ଆପଣଙ୍କୁ କବି ହେବାର ପରିଚୟ ମିଳିଲା ବୋଲି ଆପଣ ଅନୁଭବ କରୁଛନ୍ତି?
*ମୁଁ ଏଯାଏଁ ଭାବୁନାହିଁ ଯେ ମୁଁ ଜଣେ କବି ହୋଇ ପାରିଛି ବୋଲି । କାହିଁକି ନା ମୁଁ ଏଯାବତ୍ ସେହି ବିଶାଳ ସମୁଦ୍ର ରୁ ବାଲି ଗରଡା ଟିଏ ମଧ୍ୟ ସାଉଁଟି ପାରିନାହିଁ । ଅନେକ ଅନୁଷ୍ଠାନ ମୋତେ ଅନେକ ଉପାଧି ଦେଇ ସମ୍ମାନିତ କରିଛନ୍ତି, କିନ୍ତୁ ମୁଁ କେବେ ସେସବୁକୁ ମୋ ନାମ ସହିତ ଯୋଡ଼ି ନାହିଁ କିମ୍ବା ମନେ ରଖିବାକୁ ଚେଷ୍ଟା ବି କରିନାହିଁ । ଜଣେ ଉତ୍ତମ ଛାତ୍ର ହିଁ ଗୋଟିଏ ଉତ୍ତମ ଗୁରୁ ରେ ପରିଗଣିତ ହୋଇଥାଏ । ତେଣୁ ମୁଁ ସବୁବେଳେ ଛାତ୍ରୀ ଟିଏ ହୋଇ ରହିବାକୁ ହିଁ ପସନ୍ଦ କରିବି ।*
୧୬-ଆଜିକାଲି ସାହିତ୍ୟରେ ଅନଲାଇନର ପ୍ରବେଶକୁ ଆପଣ କେତେଦୂର ଗ୍ରହଣ କରିପାରୁଛନ୍ତି ?
*ଆଜିକାଲି ସାହିତ୍ୟ ରେ ଅନଲାଇନ୍ ପ୍ରବେଶ ଯୋଗୁଁ ନିଶ୍ଚିତ ଭାବରେ ସାହିତ୍ୟ ର ପ୍ରଚାର ପ୍ରସାର ଦିଗରେ କିଛିଟା ଉନ୍ନତି ହୋଇ ପାରିଛି । କେତେକ କବି ଓ ଲେଖକ ନିଜକୁ ପରିଚିତ କରିବାକୁ ସକ୍ଷମ ହୋଇପାରିଛନ୍ତି । କିନ୍ତୁ ସାହିତ୍ୟ ରେ ଆଉ ନିରୁତା ପରିଲକ୍ଷିତ ହେଉନାହିଁ । ଯାହା ଇଚ୍ଛା ତାହା ଲେଖା ହେଉଛି, ଯାହାଫଳରେ ସାହିତ୍ୟ ର ମାନ ହ୍ରାସ ପାଉଥିବାର ଅନୁମାନ ହେଉଛି ।*
୧୭- ଆମ ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ସମଗ୍ର ବିଶ୍ଵ ସାହିତ୍ୟ ଜଗତର ଆଜି ଏକ ସୁନାମଧନ୍ୟ ସାହିତ୍ୟ ଅନୁଷ୍ଠାନ ରୂପେ ପରିଗଣିତ । ଆପଣଙ୍କ ମତାମତ କଣ। କିଛି ସୁଚିନ୍ତିତ ବାର୍ତ୍ତା ଦିଅନ୍ତୁ।
*ସୂର୍ଯ୍ୟୋଦୟ ଭାଷା ପ୍ରତିଷ୍ଠାନ ଆଜିକା ତାରିଖ ରେ ଖୁବ୍ ଆଗକୁ ଅଗ୍ରସର ହେଉଛି । ଅନେକ ନୂଆ ପ୍ରତିଭାଙ୍କୁ ଜନ୍ମ ଦେଇଛି ଏହି ଅନୁଷ୍ଠାନ । କେବଳ ଓଡ଼ିଆ ନୁହେଁ ଇଂରାଜୀ ସାହିତ୍ୟର ମଧ୍ୟ ଉନ୍ନତି ରେ ସହଯୋଗ ରଖି ଆସୁଛି ଏଥିରେ ଦ୍ବୀମତ ହେବାର ନାହିଁ । କିନ୍ତୁ ଲେଖା ରେ ଶୁଦ୍ଧତାକୁ ଆଖି ଆଗରେ ରଖି ଆଗେଇଲେ ଅନୁଷ୍ଠାନ ଆହୁରି ସୁନାମ ଅର୍ଜନ କରିପାରିବ । ଏହି ଅନୁଷ୍ଠାନ ପ୍ରତି ମୋର ମଧ୍ୟ ଅନୁରାଗ ରହିଛି । ତେଣୁ ମୁଁ ଏହି ଅନୁଷ୍ଠାନ ର ଉନ୍ନତି କାମନା କରୁଛି ।*
୧୮- ଆପଣଙ୍କ ଦ୍ଵାରା କିଛି ସଂକଳନ ପ୍ରକାଶିତ ହୋଇଛି କି ଏହା ସମ୍ପର୍କରେ କିଛି କୁହନ୍ତୁ?
*ମୋର ପ୍ରଥମ କବିତା ସଙ୍କଳନ (ଅନ୍ତରର ଭାଷା) ପ୍ରକାଶ ପାଇଥିଲା ୨୦୧୬ରେ । ତାପରେ ୨୦୨୧ରେ ଗୋଟିଏ କାବ୍ୟ (ଶ୍ରୀ ଦଧିବାମନ ଲୀଳ ମୃତ) ଏବଂ ଗୋଟିଏ ଖଣ୍ଡ କାବ୍ୟ (ଶ୍ରୀ ଦଧିବାମନ ଙ୍କ ଗମ୍ଭିରୀ ବିଜେ) ପ୍ରକାଶିତ ହୋଇସାରିଛି । ଏବେ ଆଉ ଗୋଟିଏ ଭଜନ ସଙ୍କଳନ ଏବଂ ଗୋଟିଏ କବିତା ସଙ୍କଳନ ପ୍ରକାଶ ପାଇଁ ଯୋଜନା ଚାଲିଛି ।*
୧୯- ଆପଣଙ୍କ ର କୌଣସି ଲେଖା ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ର website (slfpoets.com) ରେ ପ୍ରକାଶିତ ହୋଇଛି କି। ଯଦି ହଁ ତେବେ ଆପଣ ଏହି website ବିଷୟରେ କିଛି କଥା ରଖିବେ କି?
*Website ରେ ପ୍ରକାଶିତ ହୋଇଛି କି ନାହିଁ ମୁଁ ଠିକ୍ ଭାବରେ ଜାଣିନାହିଁ । କିନ୍ତୁ କେତେକ ଲେଖା ଆଦୃତି ପାଇଛି ।*
୨୦- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏକ ଆନ୍ତର୍ଜାତିକ ଭାଷା ସାହିତ୍ୟ ପ୍ରତିଷ୍ଠାନ ବୋଲି ଆପଣ କିପରି ପ୍ରମାଣିତ କରିବେ ?
*ଏହି ଅନୁଷ୍ଠାନ କୁ ମୋର ପ୍ରମାଣତା ର କୌଣସି ଆବଶ୍ୟକତା ନାହିଁ । କାରଣ ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ନିଜେ ହିଁ ନିଜର ପ୍ରମାଣ ।*
ସାହିତ୍ୟ କହିଲେ କଣ ବୁଝନ୍ତି ଏକ କବିତା ମାଧ୍ୟମରେ ପ୍ରକାଶ କରନ୍ତୁ
*ସ ହିତ ବୋଲି ତ ସାହିତ୍ୟ ତା ନାମ*
*ସଦା ଆସିଥାଏ କାମେ,*
*ଦୁନିଆଁ ନିମନ୍ତେ ଦିଗ ବାରେଣୀ ଏ*
*ଲୋକଙ୍କୁ ରଖେ ସଞ୍ଜମେ ।।*
*କେତେ କେତେ ଋଷି କେତେ ଯେ ମନିଷି*
*ଦୁନିଆଁ ର ହିତ ପାଇଁ,*
*ଗ୍ରନ୍ଥ ଇତିହାସ କାବ୍ୟ କବିତା ରେ*
*ବାଟ ଯାଇଛନ୍ତି ଥୋଇ ।।*
*ସାହିତ୍ୟ ଶିଖାଏ ଜୀଇଁ ବାର କଳା*
*ସାହିତ୍ୟ ଶିଖାଏ ଭାଷା,*
*ସାହିତ୍ୟ ବିହୁନେ ଏ ନର ସମାଜ*
*ହଜାଇବ ତାର ଦିଶା ।।*
*ସାହିତ୍ୟ ଆମକୁ ଶୃଙ୍ଖଳିତ କରେ*
*ସାହିତ୍ୟ ରୁ ମିଳେ ଜ୍ଞାନ,*
*ସାହିତ୍ୟ ବିନା ତ ବଞ୍ଚିବା ଆମର*
*ଅଟଇ ପଶୁ ସମାନ ।।*
*ସାହିତ୍ୟ ଥିବାରୁ ଆମେ ତିଷ୍ଠି ରହି*
*ବଢାଉ ଧରଣୀ ମାନ,*
*ତେଣୁ ସାହିତ୍ୟକୁ ଉଚିତ ମର୍ଯ୍ୟାଦା*
*ଦେବାକୁ ମୋ ନିବେଦନ ।।*
°°°°°°°°°°°°°°°°°°°°°°°°°°°°°°
*ସୁଦ୍ରୁମା ପଣ୍ଡା*
*ଭଟଲି ବରଗଡ଼*
ଆପଣ ଆପଣଙ୍କ ବହୁମୂଲ୍ୟ ଚର୍ଚ୍ଚା ଚର୍ଚ୍ଚିତ ଜୀଵନାୟନରୁ ସମୟ ବାହାର କରି ଆମକୁ ସାକ୍ଷାତକାର ଦେଇଥିବାରୁ ଆମେ ସୂର୍ଯ୍ୟୋଦୟ ପରିବାର ବୃନ୍ଦ ଆପଣଙ୍କ ପାଖରେ ଆମର କୃତଜ୍ଞତା ଜ୍ଞାପନ କରୁଛୁ।
ଇତି
ଆପଣଙ୍କ ପ୍ରତିଭାମୁଗ୍ଧ
ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ
ଅଡା, ବାଲେଶ୍ଵର ଓଡିଶା
+91 6371 596 159, +91 79781 49416,+91 99217 15179, +91 94381 84795, 9340045335