ବାପା!
ବାପା ! ତୁମେ ହିଁ ତ ଏକାକୀ
ମହାନୁଭବତାର ମମତାରେ
ନିଜର ସନ୍ତାନର ଚରିତ୍ରକୁ କର ଚିତ୍ରିତ
ଅବୁଝା ଅଝଟମନର ବୁଝାମଣା ନେଇ
କେବେ ହେଲେ ହୁଅନାହିଁ ବ୍ୟସ୍ତ କି ବିବ୍ରତ।
ପ୍ରୀତିପ୍ରତିଦାନେ ପାଳନପୋଷଣ
ତୁମର ପଟୁତା
ବିନାଦ୍ୱିଧାରେ ଶରୀରରୁ ନିଗାଡିଦିଅ
ବୁନ୍ଦା ବୁନ୍ଦା ସ୍ୱେଦରୂପୀ ଶୋଣିତର ଧାର
ଅମାୟିକ ତୁମ ମାନବିକତା।
ଇଚ୍ଛାରେ ଉଙ୍କିମାରେ ପିଲାଙ୍କ ବିଦ୍ବତ୍ତା
ତୁମଠାରୁ ତୁମ ସୃଜନୀ ହିଁ ପ୍ରାଥମିକତା।
କେମିତି ରକ୍ତ ମାଂସଧାରୀ ମଣିଷ ତଥାପି
ବେଦନାର ବିଷଜ୍ୱାଳା ସହିପାର?
ନୀଳକଣ୍ଠ ପରି ସତ୍ୟ ଶିବ ସୁନ୍ଦରତାର ସ୍ୱପ୍ନରେ
ସୃଷ୍ଟିର ସୁରକ୍ଷା ପାଇଁ ତ ମୂର୍ତ୍ତିମନ୍ତ ଅବତାର
ସୂକ୍ଷ୍ମଦୃଷ୍ଟିରେ ତୁମ ପରିଚୟ ବାପା ସିନା
ସ୍ଥୂଳଦୃଷ୍ଟିରେ କି ଆକାଶ କି ସାଗର ସବୁଠୁ ଅନେକ ଉର୍ଦ୍ଧ୍ଵରେ
ମୋପାଇଁ ମର୍ତ୍ତ୍ୟରେ ମୋ ପ୍ରକୃତ ପୂଜାର ପ୍ରତିମା
ମୁଁ ମନେକରେ ।
ତୁମ ସେହି ଶିକ୍ଷକତା ଜୀବନାଦର୍ଶରେ
ଆଜି ମୋ ଜୀବନ କେଦାର ମନେହୁଏ ସବୁଜିମା ।
ତୁମର ସେହି ସଂଶୋଧନ ଧାରା
ସୁନ୍ଦର ଜୀବନ ଗଠନପାଇଁ
ନାଲିଆଖିର ତାଗିଦ୍ ଭାରା
ଆଜି ମୋର ଭାରି ମନେପଡେ ବାପା
ଶବ୍ଦକୋଷ ଶକ୍ତିହୀନ କେମିତି ଦେବି ପୂର୍ଣ୍ଣଚ୍ଛେଦ ବା କମା।
ତୁମ ରକ୍ତ ମାଂସ ଅସ୍ଥିଗ୍ରନ୍ଥି ଶ୍ରମ ସ୍ୱେଦର ପ୍ରତିଦାନର
ମୁଁ ସଂପୂର୍ଣ୍ଣ ଗ୍ରହୀତା।
ମୋ ଇଚ୍ଛା ମୋ ସ୍ୱପ୍ନ ମୋର ହସଖୁସି
ତୁମର ପ୍ରତିଟି ସ୍ପନ୍ଦନର ସ୍ମୃତିର ଆବେଗରେ ସାଇତା।
ମୁଁ ଏକାନ୍ତରେ କେବେ କେବେ ନୁହେଁ
ପ୍ରତିମୁହୂର୍ତ୍ତରେ ଭୁଲି ବି ପାରେନା
ତୁମେ ସାଜିଥିଲ ମୋ ଜୀବନର ଆଦର୍ଶ,ପ୍ରମୁଖ ପଥପ୍ରଦର୍ଶକ ।
ତୁମେ ପରା ନିଶ୍ଚେ ଜଣେ ପିତୃତ୍ବର ଉପଲବ୍ଧିରେ
ନିଜର ଜୀବନ ଜିତାପଟକୁ ପଛକରି
ପୂର୍ଣ୍ଣ ପରିବାରକୁ ଜୀବନ୍ତ କରିବାର
ପ୍ରକୃତ ପ୍ରାଞ୍ଜଳ ପାଠ୍ୟପୁସ୍ତକ ।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ରାକମା, ଭାପୁର, ନୟାଗଡ଼