ଲୋହିତ ଗୋଧୂଳି
ଲୋହିତ ଗୋଧୂଳି ଧୂମ୍ରାଭ କୁଣ୍ଡଳୀ ରଚି ନଭ ବସୁଧାରେ,
ପ୍ରତୀଚୀଗାମୀ ସେ’ ପ୍ରଭାକର ହସେ ବିଞ୍ଚିଣ କନକ କରେ।
ସ୍ବର୍ଣ୍ଣାଭ କିରଣ ଅପରୂପ ଜାଣ କୋଟି କମନୀୟ ଆଭା,
ଇନ୍ଦ୍ରଧନୁ ରଙ୍ଗେ ଚିତ୍ରପଟ୍ଟ ଆଙ୍କେ ଅଂଶୁମାନ ବର୍ଣ୍ଣବିଭା।
ରବି ଅସ୍ତାଚଳେ ଧରିତ୍ରୀର କୋଳେ ନିଅନ୍ତି ମାଗି ମେଲାଣି,
କ୍ଷିତିଜ ଓ ମାଟି ଏକାକାର ହ୍ୱନ୍ତି ନୟନେ ଆସେ ଉଜାଣି ।
ହସେ ଖିଲି ଖିଲି ମଥାର ଟିକିଲି ଭାନୁ ସାଜି ଗଗନରେ,
ପ୍ରକୃତି ରାଣୀର ମଥାରେ ଚୁମ୍ବନ ଆଙ୍କି ମାହେନ୍ଦ୍ର ଲଗ୍ନରେ।
ମନ୍ଦ ମନ୍ଦ ବାତ ବହେ ହୋଇ ପ୍ରୀତ ପ୍ରୀତିର ପୀୟୂଷ ବୋଳି,
ଗହଳ ପଲ୍ଲବେ ବହଳ ପାଦପେ ଶୁଭେ ପିକର କାକଳି।
ଦିନ ଅବସାନେ ଗୋବତ୍ସା ପ୍ରସ୍ଥାନେ ସ୍ୱସ୍ଥାନେ ନିଜ ଗୃହରେ,
ନୀଡ଼ ଫେରେ ପକ୍ଷୀ ଅତି ନିରିମାଖି ପ୍ରଫୁଲ୍ଲିତ ବଦନରେ।
କୃଷ୍ଣଚୂଡ଼ା ରଙ୍ଗ ଓଢଣୀର ସଙ୍ଗେ ଚଉଁରାରେ ନବବଧୂ,
ସଞ୍ଜ ଦୀପ ଜାଳି ଦିଏ ହୁଳହୁଳି ମନାସି ସୁଖର ସିନ୍ଧୁ ।
ପିଲା ଖେଳ ସାରି ହର୍ଷ ଚିତ୍ତ ଧରି ବାହୁଡ଼େ ତରବରରେ,
ଶଙ୍ଖ ଘଣ୍ଟ ସ୍ୱନ ହୁଳହୁଳି ଶବ୍ଦ ଶୁଭେ ଗ୍ରାମ ମନ୍ଦିରରେ।
ପ୍ରଦୋଷେ ପ୍ରଣୟ ହୁଅଇ ଉଦୟ ମନ ହୁଏ ଆନମନା,
ବିଭାବରୀ କୋଳେ କୋହ ଲୁହ ଢାଳେ ପ୍ରତୀକ୍ଷାରେ ପ୍ରୀତିଲଗ୍ନା।
ନୀରବ ରୋଦନ କରଇ ଏ ମନ ଦିନକର ଅସ୍ତରାଗେ,
ଲୋହିତ ଗୋଧୂଳି ମନ ଦିଏ ଜାଳି ତନ୍ଦ୍ରା ହଜଇ ସରାଗେ ।
ବେଙ୍ଗାଲୁରୁ