ବାଃ ୟେ’ ସିନ୍ଦୂର
ବାଃ ୟେ’ ସିନ୍ଦୂର !! ଆହାଃ କି ସୁନ୍ଦର!!
କୁହ ଗୋ’ ତୁମେ ସିନ୍ଦୂର,
କେଉଁ ଦେବତାର ପୂଣ୍ୟ ଆଶିଷ ରେ
ହେଲ ଗୋ’ ଏତେ ସୁନ୍ଦର ??
ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର….
ସାତ ଫେରା ସାତ ବଚନର ସାଥେ
ହୋମ ନିଆଁ ସାକ୍ଷୀ ଯା’ର,
ବିବାହ ବେଦୀରେ ସ୍ୱାମୀ ପିନ୍ଧାନ୍ତି ଯେ
କନ୍ୟା ସିମନ୍ତେ ସିନ୍ଦୂର ।।
ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର…
ସାତ ଜନ୍ମ ପାଇଁ ସମର୍ପିତ ହୋଇ
ସେତୁ ବାନ୍ଧି ସମ୍ପର୍କର,
ସିନ୍ଦୂର ବିନ୍ଦୁରେ ସମ୍ପୂର୍ଣ୍ଣା ହୁଅଇ
ଗଢ଼ ଯେ’ ନୂଆ ସଂସାର ।।
ବାଃ ୟେ’ ସିନ୍ଦୂର…. ଆହାଃ କି ସୁନ୍ଦର…
ମଥାର ସିନ୍ଦୂର ସୁରକ୍ଷା କବଚ
ଅଟେ ସଧବା ନାରୀର,
ନାରୀର ଅସ୍ମିତା ନାରୀର ମର୍ଯ୍ୟାଦା
ଆଭୁଷଣ ସତୀତ୍ଵର ।।
ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର…
କୁଆଁରୀରୁ ନାରୀ କରେ ରୂପାନ୍ତର
ଅମୋଘ ଅସ୍ତ୍ର ନାରୀର,
ଟୋପାଏ ସିନ୍ଦୂର କିଣିପାରେ ପର
କରେ ରକ୍ତଠୁଁ ନିଜର ।।
ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର…
ନାରୀ ସିମନ୍ତର ନାରୀ ସମ୍ମାନର
ମଥାମଣି ସୌନ୍ଦର୍ଯ୍ୟର,
ଦିଏ ପରିଚୟ ଶୃଙ୍ଗାର ବିଜୟ
ଅହ୍ୟ ସୁଲକ୍ଷଣୀ ତା’ର।।
ବାଃ ୟେ’ ସିନ୍ଦୂର…. ଆହାଃ କି ସୁନ୍ଦର…
ଏ ନାଲି ସିନ୍ଦୂର ସୁଲଭ ସୁନ୍ଦର
ଅମୁଲ ମୁଲ ମୂଲ୍ୟର,
ବହୁମୂଲ୍ୟ ହୀରା ସୁନା ମୁକ୍ତା ପରା
ସମତୁଲ ନୁହେଁ ତା’ର ।।
ବାଃ ୟେ’ ସିନ୍ଦୂର…. ଆହାଃ କି ସୁନ୍ଦର…
ଶକ୍ତି ସ୍ୱରୂପିଣୀ ସମୃଦ୍ଧି ଦାୟିନୀ
କୃଷ୍ଣଚୂଡ଼ା ନାଲି ରଙ୍ଗର,
ସ୍ୱାମୀ ଓ ସ୍ତ୍ରୀ ଙ୍କର ଦୃଢ଼ ବିଶ୍ୱାସର
ସନ୍ତକ ଯେ’ ପ୍ରଣୟର ।।
ବାଃ ୟେ’ ସିନ୍ଦୂର… ଆହାଃ କି ସୁନ୍ଦର…
ତୋ’ରୂପ ବେଭାରେ ହୋଇ ଯେ ବିଭୋରେ
ଏକମନ ଦ୍ୱି ଆତ୍ମାର,
ସ୍ବାମୀ ଆୟୁଷରେ ତୋ ଆୟୁଷ ଶେଷ
ଇହଲିଳା ତ୍ୟାଗ କର ।।
ବାଃ ୟେ’ ସିନ୍ଦୂର…. ଆହାଃ କି ସୁନ୍ଦର…
ସଧବା ନାରୀଯେ ଜୁଇ ନିଆଁ ପାଏ
ମାଖି ହଳଦୀ ସିନ୍ଦୂର,
କାହା ଅଭିଶାପେ ଦୁଃଖ ଓ ସନ୍ତାପେ
ଚାଲିଯାଏ ସ୍ୱର୍ଗପୁର ।।
ବାଃ ୟେ’ ସିନ୍ଦୂର…. ଆହାଃ କି ସୁନ୍ଦର…
ସିନ୍ଦୂର ଟୋପାରେ ପ୍ରିୟ ମୁହଁ ଦିଶେ
ଚାନ୍ଦ ମୁଖ ଯେ’ ତାଙ୍କର,
ଅହର୍ନିଶି ସେହି ଅଧୀର କରଇ
ଅଟେ ଚିହ୍ନ ସୋହାଗ ର ।।
ବାଃ ୟେ’ ସିନ୍ଦୂର…. ଆହାଃ କି ସୁନ୍ଦର..
*ବେଙ୍ଗାଲୁରୁ*