ଅନୁଭବରେ ଦିବ୍ୟସତ୍ତା
ହେ ମହୀମଣ୍ଡଳ ଜଗତର ବନ୍ଦ୍ୟ
ଭକ୍ତି ମୁକ୍ତି ପ୍ରୀତି ଖଣି
ସଂସାର ସାଗର ତାରଣ ତତ୍ପର
ସୃଷ୍ଟି ସ୍ଥିତି ଚୂଡାମଣି।
ଉଦୟ ଅସ୍ତରେ ଦିବସ ରଜନୀ
ଭାବୁକ ସୃଜକ ତୁମେ
ପ୍ରେମ ସୁଧାଢାଳି ବାଢେ ଶ୍ରଦ୍ଧାଞ୍ଜଳି
ଅନ୍ତର ଆତ୍ମସ୍ଥ ନମେ।
ନିୟମେ ଗମନ୍ତି ନୀଳାକାଶେ ଜ୍ୟୋତି
ଆହା ତବ ଇଙ୍ଗିତରେ
ବିଭିନ୍ନ ବିଶ୍ବାସ ବିଷୟା ବିଶେଷ
ରଚି ସ୍ୱୀୟ ତୂଳୀକାରେ।
ସାଧନା ସଂପତ୍ତି ବିନାଶି ବିପତ୍ତି
ମୂର୍ତ୍ତିମନ୍ତ ମହୀକୋଳେ
ତୁମ୍ଭ ଶ୍ରୀଚରଣ କମଳେ ମୋ ମନ
ଭ୍ରମର ରହୁ ନିଶ୍ଚଳେ।
ସୁର ନର ମୁନି ମୁଗ୍ଧ ସାଜିଯା’ନ୍ତି
ଚାହିଁଲେ ରୂପମାଧୁରୀ
ତୁମେ ହିଁ ତ ସୂକ୍ଷ୍ମ ତୁମେ ହିଁ ତ ସ୍ଥୂଳ
ମଧୁର ମୃଦୁ ଲହରୀ।
ହେ ବିଶ୍ବବିହାରୀ ବହୁରୂପ ଧରି
ରହିଛ ବ୍ୟାପୀ ସୃଷ୍ଟିରେ
ଜୀବେ ଅହରହ ଭକ୍ତି ପାଶେ ରହ
ତଥାପି କି ଦେଖିପାରେ?
ବରଷା ଋତୁର ବାରିବିନ୍ଦୁ ତୁମେ
ଶିଶିର ଶୁଭ୍ରତା କାନ୍ତି
ବସନ୍ତ ବୈଭବ ବିଚିତ୍ର ବର୍ଣ୍ଣାଳୀ
ପଞ୍ଚମତାନର ପ୍ରୀତି।
ବ୍ୟାୟାମଶାଳାରେ ବ୍ୟୁତ୍ପତ୍ତିର ବ୍ୟାସ
ଭକ୍ତିଅର୍ଘ୍ଯ ଶ୍ରଦ୍ଧା ଦୀପ୍ତି
ସରସ ସୁନ୍ଦର ସହାସ୍ୟ ଶୈଳୀରେ
ପ୍ରଯତ୍ନ ଯେ ଦନ୍ତପନ୍ତି।
ଯୁଗ -ଯୁଗାନ୍ତର ଭାବ ଓ ଭକ୍ତର
ଭବ୍ୟଧାରା ପ୍ରୀତି ଆଶା
ଅନୁଭବେ ସିନା ସବୁରି ଅନ୍ତର
ଦିବ୍ୟସତ୍ତାର ପିଆସା।
ଅନୁଭବରେ ଦିବ୍ୟସତ୍ତା
ରାକମା, ଭାପୁର, ନୟାଗଡ଼