*ସଲିଳ ସସ୍ମିତା*
ଝୁରି ହୁଏ ଭାରି ଜହ୍ନ ସ୍ମୃତି କଇଁ
ସଞ୍ଜ ଆସିଗଲେ ନଇଁ
ଧରଣୀ ଗାଲିଚା ବିଶ୍ରାମ ବେଳାରେ
କଇଁ ହସେ ଜହ୍ନ ଚାହିଁ ।
ଭଗ୍ନ ହୁଏ ସବୁ ନୀରବ ଖେଦ ତା’
ପ୍ରୀତି ଶିହରଣ ଜାଗି
ପ୍ରେମ ପରଶର ପ୍ରତୀକ୍ଷାର ସାକ୍ଷୀ
ସଲିଳ ତରଙ୍ଗ ଭାଙ୍ଗି ।
ରଜନୀ ପରଶେ ସ୍ମୃତି ଶତଗୁଣା
ଅମାନିଆ ମନ ନେଇ
ହୃଦୟ ସ୍ପନ୍ଦନେ ନବ ରୂପଛଟା
ଆଖି ଆଇନାର ପାଇଁ ।
ପୀରତି ପିତୁଳା ପ୍ରକୃତି ଅବଳା
ପ୍ରେମର ପ୍ରତ୍ୟାଶା ନେଇ
ଢାଳନ୍ତି ଶଶାଙ୍କ ଶୁଭ୍ର ଜ୍ୟୋତ୍ସ୍ନାରାଶି
ତାରାମେଳେ ଉର୍ଦ୍ଧ୍ବେ ଥାଇ।
କଇଁ ସହ ଜହ୍ନ ମିଳନ ମୁହୂର୍ତ୍ତ
ଶାଶ୍ବତ ସନ୍ଦେଶ ଦେଇ
ପ୍ରେମୀଯୁଗଳଙ୍କ ପ୍ରୀତିର ପିପାସା
ସୃଷ୍ଟିରେ ରହିଛି ଜୀଇଁ।
ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ବତ
ଦୁଇ ଆତ୍ମା ମନ ନେଇ
ଅଭୁଲା ମୁହୂର୍ତ୍ତ ପ୍ରୀତି ସମ୍ବଳିତ
ଜୀବନ ଜାଗୃତି ପାଇଁ ।
ଜହ୍ନର ନିମନ୍ତେ କଇଁର ପାଖୁଡା
ସଲିଳ ପୃଷ୍ଠରେ ମେଲି
ଜଳାଶୟେ ଜହ୍ନ ଜାଗତିକ ଦୃଷ୍ଟି
ସଲିଳ ସସ୍ମିତା ବୋଲି ।
ଶିକ୍ଷୟିତ୍ରୀ ନୀହାରିକା ପଣ୍ଡା
ରାକମା ,ଭାପୁର ,ନୟାଗଡ଼