ପ୍ରେମ ହିଁ କେବଳମ୍
ପ୍ରେମ,
ଅସମର୍ଥ ମଧ୍ୟେ ସାମର୍ଥ୍ୟର ବୀଜ
ବାରିଶେ ଫୁଟିବ ବାରିରୁହ ଆଜ
ପ୍ରେମ ସୁଧା ନୀଧି ଢାଳି ତତ୍ପରେ
ମରୁଭୂମି ହେବ ସବୁଜ ସବୁଜ।
ଖଡ୍ଗ ଥୋଇ ପ୍ରେମ ବାଣ୍ଟୁଥିବ ରାଜ
ଶତ୍ରୁ ମିତ୍ର ସାଜି ହୋଇଯିବ ନିଜ
ମନସ୍ତାପ କରି ବିଟ ଓ ବିଟାଳ
ପ୍ରେମ ପ୍ରୀତି ମାଖି ହେବେ ସଜବାଜ।
ଶକ୍ତି,ସାମର୍ଥ୍ୟ ର ଅହଙ୍କାର ହେଜ
ବୁଣ କ୍ଷୁଦ୍ର କ୍ଷୁଦ୍ର ପ୍ରେମ ପ୍ରୀତି ବୀଜ
ଦ୍ରୁମ ମହାଦ୍ରୁମ ହୋଇ ଦିନେ ପୁଣ
ସଭିଙ୍କ ହୃଦୟେ କରୁଥିବ ରାଜ।
ଯେବେ ଦୃଶ୍ୟମାନ ପ୍ରେମ ଖାଲି ପ୍ରେମ
ତେବେ ପୂର୍ଣ୍ଣ ସ୍ପୃହା ଗାନ୍ଧୀ ରାମରାଜ୍ୟ
କ୍ରୋଧାନ୍ଧ, ରାଗାନ୍ତ,ରାଗାନ୍ଵିତ ତ୍ୟାଗୀ
ବୋଲ ମାନୁଥିବ ସେ ରାଗୁଆ ଗଜ।
ରାଗ,ଦ୍ୱେଷ,ହିଂସା ଦୂରେ ଚାଲିଯିବ
କୁକର୍ମ ପାଇଁକି ମନେ ଭୟ ଲାଜ,
ଯେବେ ପ୍ରେମ ହୃଦେ କରୁଥିବ ବାସ
ଜୀବନ,ଜୀବିକା ହୋଇବ ସହଜ।
ପ୍ରୀତିରଞ୍ଜନ ନାୟକ
ରାଜକନିକା,କେନ୍ଦ୍ରାପଡ଼ା
Pritiranjan Nayak