ବୁଦ୍ଧ
ବୈଶାଖ ମାସର ପୂର୍ଣ୍ଣିମା ତିଥିରେ
ଜନ୍ମିଲ ଏ ଧରାଧାମେ
ସିଦ୍ଧାର୍ଥ ନାମଟି ରଖିଲେ ଜ୍ୟୋତିଷ
ପରିଚିତ ବୁଦ୍ଧ ନାମେ l
ପୁରୋହିତ ତୁମ ଜାତକକୁ ଦେଖି
କହିଲେ ପିତାଙ୍କୁ ତୁମ
ସନ୍ୟାସୀ ହୋଇବ ସନ୍ତାନ ଟି ତୁମ
ଏହା ଲଲାଟ ଲିଖନ l
ସେହିଦିନ ଠାରୁ ପିତା, ମାତା ତୁମ
ସତର୍କେ ଦିନ କାଟିଲେ
ରାଜ ଉଆସରେ ବିଳାସ, ବ୍ୟସନ
ତୁମ ଚତୁର୍ପାଶେ ଦେଲେ l
ରାଜ ଉଦ୍ୟାନରେ ଶର ବିଦ୍ଧ ହଂସ
ଦେଖି ବିଚଳିତ ହେଲ
ଜୀବନ ରକ୍ଷାରେ ପୁରୁଷତ୍ୱ ଥାଏ
ଏକଥା ଶିଖାଇ ଦେଲ l
ଅଳପ ବୟସେ ସୁଶ୍ରୀ ଯଶୋଧାରା
ସହ ବିବାହ କରିଲେ
ସଂସାର ସୁଖରେ ବନ୍ଧନେ ମଜ୍ଜିଲେ
ସନ୍ୟାସୀ ନହେବ ଭଲେ l
ବାଟେ ଯାଉ ଯାଉ ରୋଗୀ, ବୃଦ୍ଧ ଆଉ
ମୃତ୍ୟୁ କୁ ଆଖିରେ ଦେଖି
ସନ୍ୟାସୀ ହୋଇଲ ପତ୍ନୀ, ପୁତ୍ର ତେଜି
ରାଜ ସୁଖକୁ ବରଜି l
କାମନା ବିନାଶେ ଦୁଃଖର ବିନାଶ
ଏହି ବାର୍ତ୍ତା ପ୍ରଚାରିଲ
ବୌଦ୍ଧ ଧର୍ମ ବାଣୀ ପ୍ରଚାର କରିଯେ
ସିଦ୍ଧାର୍ଥ ରୁ ବୁଦ୍ଧ ହେଲ l
ଶୁଭ ଜନ୍ମଦିନ ଆଜି ଅଟେ ତୁମ
ପ୍ରଭୁ ବୁଦ୍ଧ ଅବତାର
ଅହିଁସା ମାର୍ଗରେ ଆଗକୁ ବଢନ୍ତୁ
ଏ ସାରା ସଂସାର ନର l
ଉର୍ମିଳା ମହାପାତ୍ର
କୋଷାଗୁମୁଡା, ନବରଙ୍ଗପୁର