ହୃଦୟ ସ୍ୱରରେ
କଥା କୁହନ୍ତିନି ସ୍ୱରୂପ ଦିଶେନି ଥାଆନ୍ତି ଅଦୃଶ୍ୟ ଭାବେ,
ତୋଭିତରେ ଥାଇ ତତେ କହୁଥାନ୍ତି
ଆସିଥାନ୍ତି ଅନୁଭବେ l
କେଉଁଠି ରୁହନ୍ତି ମନ ଖୋଜୁଥାଏ
ଖୋଜନ୍ତି ସାଧକ ଗଣ,
ଭେଟ ହୁଏନାହିଁ ଏମିତି ଖୋଜିଲେ
ସରିସରି ଯାଏଦିନ l
ତପ ସାଧିଛନ୍ତି ଅନେକ ସାଧକ
ବାଧକ ହୋଇଛି ମନ,
ହୃଦୟ ତଟରେ ଭେଟି ପାରିଛନ୍ତି
ଈଶ୍ୱରଙ୍କୁ ଯୋଗୀ ଗଣ l
ସୁକ୍ଷ୍ମସତ୍ତା ସିଏ ବ୍ରହ୍ମନାମେ ବାସ
କରନ୍ତି ସକଳ ପ୍ରାଣେ,
ତାଙ୍କପାଇଁ ଜୀବ ଚଳ ଓ ଚଞ୍ଚଳ
ଜ୍ଞାନୀ ରଖିଥାନ୍ତି ଧ୍ୟାନେ l
ନିତ୍ୟସ୍ଥିର ପୁଣି ସ୍ଥବିର ସେ ସଦା
ମନ ଓ ପ୍ରକୃତି ଗଣ,
ଅସ୍ଥିର ହୁଅନ୍ତି ଏଣେତେଣେ ଭ୍ରମି
ଦୁଃଖେ ସୁଖେ ଯାଏ ଦିନ l
ନାନାମୁନି ନାନା ମତ ଦେଇଥାନ୍ତି
ଈଶ୍ୱରଙ୍କ ବିଷୟରେ,
ହୃଦୟ ସ୍ୱରରେ ଥାଏ ସତ୍ୟଭରି
କାନଡେରି ଶୁଣଥରେ l
ଦୁନିଆର ଉକ୍ତି ମିଛ ହୋଇପାରେ
ମିଛନୁହଁ ବ୍ରହ୍ମସତ୍ତା,
ଈଶ୍ୱର ଥାଆନ୍ତି ଜୀବନ ରୂପରେ
ଚିହ୍ନିଲେ ଜଗତ ଜିତା l
ସୁଜାତା ରାଉତ, ଓରାସାହି, ଚାନ୍ଦବାଲି, ଭଦ୍ରକ