ଅସମ୍ପୂର୍ଣ୍ଣ
ମୁଁ ଏକ ଅସମ୍ପୂର୍ଣ୍ଣ ମଣିଷ,
ଯିଏ ଲୋଡ଼େ ସବୁବେଳେ ସମ୍ପୂର୍ଣ୍ଣତା,
ଭାଗ୍ୟ କୁ ଆଦରି ବଞ୍ଚୁଥିବା ସରଳ ହୃଦୟ ମୋର,
ସର୍ବଦା ଆପଣେଇବାକୁ ଭଲପାଏ ବାସ୍ତବତା ।
ଅବଶ୍ୟ ବାସ୍ତବତା କୁ ଗ୍ରହଣ କରିବା
ଏତେ ସହଜ ନୁହେଁ,
କଳ୍ପନା ରେ ମିଳେ ଅସୀମ ଆନନ୍ଦ,
ହେଲେ ବାସ୍ତବ ରେ ତାହା କେବେ ସତ୍ୟ ନୁହେଁ।
ସଂପୂର୍ଣ୍ଣତା କୁ ଖୋଜି ଖୋଜି ମୁଁ ଆଜି
ପଥଭ୍ରଷ୍ଟ,
ଅସମ୍ପୂର୍ଣ୍ଣ ହୋଇ ରହିବା ଟା କାହିଁକି କେଜାଣି,
ମୋତେ ଲାଗେ ଭାରି ଶ୍ରେଷ୍ଠ।
ଜୀବନ କୁ ଖୋଲବହି ପରି ରଖୁଥିବା ମଣିଷ,
ଆଜି ଲୁଚେଇ ରଖୁଛି କଥା ସବୁକୁ,
କାଳେ ପ୍ରଘଟ କରି ଦେଲେ, ମିଥ୍ୟା ଅପବାଦ ଆଉ
ଲାଞ୍ଛନା ର ଶିକାର ହେବ,
ସେ ଲାଗି ଭାରି ଡର ମୋର ଏହି କୁନି ହୃଦୟ କୁ।
ସବୁବେଳେ ସବୁ କଥାରେ ହସୁଥିବା ମଣିଷ ଟି,
ଆଜି କୋହ ଧରି କାନ୍ଦେ,
କାଳେ କାନ୍ଦଣା ଶୁଣି କିଏ କାରଣ ପଚାରିବ,
ସେ ଲାଗି ନିଜ ଭାଗ୍ୟ କୁ ସେ ନିଜେ ନିନ୍ଦେ।
ଜୀବନ ରେ ଦୁଃଖ କଣ ଜାଣିନଥିବା ଲୋକ ଟି,
ଆଜି ଜଞ୍ଜାଳ କୁ ସାଙ୍ଗରେ ନେଇ ଚାଲେ,
ଝୁଣ୍ଟି ପଡ଼ିଲେ ତାକୁ ଆଉ କଷ୍ଟ ହୁଏନି,
କାହିଁକି ନା ଏ ଅସମ୍ପୂର୍ଣ୍ଣତା ତା ସାଥୀ ହୋଇ ତା
ସହ ବୁଲେ।
ତେବେ ମୋତେ ଆଉ ଏ ଅସମ୍ପୂର୍ଣ୍ଣ ହେବା ରେ
ଦୁଃଖ ଲାଗେନା,
ବରଂ ଅନ୍ୟ ଠୁ ନିଜେ ନିଜକୁ ଅଲଗା ବୋଲି ଭାବି,
ମୋ ଆନନ୍ଦ ର ସୀମା ରୁହେନା।
ଯେମିତି ବଞ୍ଚିଛି, ସେମିତି ବଞ୍ଚିବି,
ନିଜ କୁ ନିଜ ଭିତରେ ଅହରହ ଖୋଜୁଥିବି।
ଶୁଭ ଲକ୍ଷ୍ମୀ ବେହେରା