ଶୀତୁଆ ସକାଳ
କାକର କାକର ଶିଶିର ଢାଳି
ଆସିଛି ଶୀତୁଆ ସକାଳ,
ପୂର୍ବ ଆକାଶେ ରବି ଆସେ ଉଇଁ
ଶିଶିର ଦିଶେ ବିନ୍ଦୁ ବର୍ଷା ଜଳ ।
ଗାଁ ରୁ ସହର ସବୁରି ସ୍ଥାନରେ
କୁହୁଡି ଯାଏ ଖେଳି,
ଚତୁର୍ଦ୍ଦିଗ ଦିଶେ ଶ୍ଵେତ ଧୂଆଁମୟ
ମନ ଯାଏ ସେଇଠି ହଜି ।
ଅନଳ ପାଖେ ଆଶ୍ରୟ ନେଉ
ତନୁକୁ ଲାଗେ ଉଷୁମ,
ଗାଉଁଲିଆ ଲୋକ ଏ ଆନନ୍ଦ ପାଆନ୍ତି
ତାଙ୍କ ପରି କିଏ ହେବ ସମ ?
ଥର ଥର ହୋଇ ପୂରୁବ ଦିଗକୁ
ଚାହିଁ ରହିଥାନ୍ତି ସଭିଏଁ,
ସୁବର୍ଣ୍ଣ ରଙ୍ଗୀନ ଧରି ବାହାରେ ଭାସ୍କର
କୋମଳ କିରଣେ କୋମଳ ଶୀତକୁ ଠେଲିଦିଏ ।
ନୀଳ ଆମ୍ବର ଲାଗେ ମନୋହର
ସ୍ବର୍ଣ୍ଣମୟ ଦିଶେ ଧାନ କ୍ଷେତ,
ଦେହସାରା ଖାଲି ଶିହରଣ ଖେଳେ
ଥିରି ଥିରି ହୋଇ ବଢେ ଯେବେ ଶୀତ ।
ଦେବାଶିଷ ଗୌଡ
ଚନ୍ଦାହାଣ୍ଡି, ନବରଙ୍ଗପୁର
ତ୍ରୁଟି ଥିଲେ ଜଣେଇବେ
ଧନ୍ୟବାଦ