ଯଦି ମୁଁ କହି ପାରନ୍ତି
ହେ ଈଶ୍ବର,
କାହିଁ ଦେଲ ନାହିଁ ମୋତେ ଜିଭଟିଏ ଶୁଆ ପରି
ହରି ନାମ ଭଜି କଟୁରୀ ଚୋଟରୁ ଯାଇଥାନ୍ତି ମୁଁ ତରି
କାହିଁ ଦେଲ ନାହିଁ ମୋତେ ସୌନ୍ଦର୍ଯ୍ୟ ମୟୁର ପରି
ନ୍ୟାୟ ପାଳିକାର ସୁରକ୍ଷା ବଳୟୁ ପାରନ୍ତା କିଏ ମାରି
କାହିଁ କଲ ନାହିଁ ତନୁ ବିଶାଳ ଗରୁଡ଼ ପରି
ଶକ୍ତିଭେଦ କରି ପାରିଥାନ୍ତା କିଏ କି ମୋ ଛାତି ଚିରି
ହେ ମଣିଷ,
ନ୍ୟାୟର ସଂଜ୍ଞା ଯଦି ପ୍ରଜାତି ଆଧାରରେ ଭିନ୍ନ
ବୁଦ୍ଧି, ବିବେକ ହେତୁ ତୁମେ ହିଁ ସୃଷ୍ଟିର ଶ୍ରେଷ୍ଠ ସୃଜନ
ଥରେ କହିବକି ମୋତେ ହେ ମହାମହିମ ଜନ
ଜୀବନର ଓଜନ ବି କଣ ତୁମଠୁ ଆମର ସାନ
ଥରେ ଚେତନା ଦ୍ୱାରକୁ ତୁମ କର ଉନ୍ମୋଚନ
ଥରୁଟେ ଶୁଣିନେବ ତୁମ ହୃଦୟ ବି କରେ ସ୍ପନ୍ଦନ
ହେ ପ୍ରକୃତି,
ଜୀବ ଜୀବର ରକ୍ଷା ଲାଗି ବଦଳାଉ ତା’ ରୂପ
ସେଥିରେ କି ବଦଳି ଗଲୁଣି ସାଜିଲୁଣି ସ୍ତବ୍ଧ ସ୍ତୁପ
ମୁଁ ବି ତୋହରି ସନ୍ତାନ, କଣ ଅଟେ ମୋର ପାପ
ପଣତେ ସ୍ଥାନ ମିଳିଲେ କାହିଁ ଲିଭନ୍ତା ଜୀବନ ଦୀପ
ପଣତକୁ ତୋର ଚିରି ଅଛି ଯେଉଁ ଦୈତ୍ୟ ରୂପ
ଧର୍ଷିତା ସିଏ ତୋ ସନ୍ତାନ ବିଶ୍ୱ ଭୁମଣ୍ଡଳର ନୃପ
ହେ ପାଠକେ,
କବିର କବିତା ନୁହଁଇ ଅଟେ ହୃଦୟ କଥା
ଜୀବ ହତ୍ୟା କରି ତୃପ୍ତ ଉଦର ଲାଗେନି ଟିକେ ବ୍ୟଥା ?
ତୃପ୍ତି ଲାଭେ କଣ ସଦା, ଶ୍ରେଷ୍ଠ ପ୍ରାଣୀର ଶ୍ରେଷ୍ଠତା
ଅନ୍ୟ ଜୀବ ପ୍ରତି କର୍ତ୍ତବ୍ୟ ଭୁଲିଗଲା କି ଆମ ମଥା
ନିଜର ଆତ୍ମା ଯେମିତି ଆତ୍ମା, ଭୁଲିଯାଅ ବିଭେଦତା
ଅନ୍ୟ ଆତ୍ମା ହତ୍ୟା ନଦିଏ ପୁଣ୍ୟ, ନୁହଁଇ ଏ ଅନ୍ୟଥା
×××××××
ହୃଦୟ ରଞ୍ଜନ ପରିଡ଼ା
ସୁନାପାଳ, ବିଂଝାରପୁର, ଯାଜପୁର