ଶୁଭ ସକାଳ
କୁକୁଡ଼ାର ଡାକ ଆଉ ଶୁଭୁ ନାହିଁ
ଆଲାରାମ ଦେଇ ଉଠିବ
ଭାଇ ଭଉଣୀଏ ଆଜି ଗୁରୁବାର
ପିତାମାତା ପାଦ ସେବିବ ।।
ହେଳା କରିବନି ସଅଳ ଉଠିବ
ଲକ୍ଷ୍ମୀମାତା କୋପ କରିବେ
ତାଙ୍କ ନାମ ଧରି ତାଙ୍କୁ ହୃଦେ ସ୍ମରି
ନିଜ ନିଜ କର୍ମ କରିବେ ।।
ଛାଡଖାଇ ଗଲା ଯାହା ତ କରିଲ
ଧରମକୁ ସାରିଦେଲ
କେତେ ଭକତିରେ ମାସ ଗୋଟା ଯାକ
କାର୍ତ୍ତିକ ବ୍ରତ ପାଳିଲ ।।
ମୂରୁଜ ପକାଇ ଦୀପକୁ ଜଳାଇ
ଆକାଶ ଦୀପକୁ ଟାଙ୍ଗି
ଡଙ୍ଗା ଭସେଇଲ କାଳୀଙ୍କୁ ପୂଜିଲ
ଦେଇ ପୁଣି ପଣା ହାଣ୍ଡି ।।
ବଡ଼ ବଡୁଆଙ୍କୁ ଅନ୍ଧାରରେ ଡାକି
ଆଲୁଅରେ ବିଦା କଲ
ଆ କା ମା ବୈ ପାନ ଗୁଆ ଥୋଇ
କେତେ ଧରମ କରିଲ ।।
ଏମିତି ବାଉଳା ହୋଇଗଲ ତୁମେ
ପୂର୍ଣ୍ଣିମାର ପର ଦିନ
କୁକୁଡ଼ା ଛେଳିଙ୍କୁ ହାଣି ଗ୍ରାସ କଲ
ପୋଡ଼ି ଖାଇଲ ଧରମ ।।
କ’ଣ କଲରେ ନୀରିହଙ୍କୁ ମାରି
କେତେ ପାପ ଅରଜିଲ
କାହିଁକି ବେକାର ମାସ ଗୋଟା ଯାକ
କାର୍ତ୍ତିକ ବ୍ରତ ପାଳିଲ ?
ଛେଳି କୁକୁଡ଼ା ତ ବୈକୁଣ୍ଠକୁ ଗଲେ
ତମେ କ’ଣ ପାଇଲ
ଯେତିକି ଧରମ ଅରଜିଣ ଥିଲ
ଦବଲ ପାପ କରିଲ ।।
ଆଜି ପାଇଁ ମୋର ଏତିକି ବାରତା
ସମସ୍ତେ ମନରେ ହେଜ
ଯଦି ଭୁଲରେ ଦୋଷ କରୁଥିବି
ଦୋଷଗୁଣେ କ୍ଷମା ଦେବ ।।
ହେମନ୍ତ କୁମାର ସାହୁ। ମାହାଙ୍ଗା ।