କାହାକୁ କହିବି ମନର କଥା
ମାୟାର ସଂସାର ଅଟେ ନର୍କପୁର
ଯେଝା ବାଟେ ଯେଝା ଚାଲିଲେ
କିଏ ପୁଅ ବୋହୁ କିଏ ଭାଇ ବନ୍ଧୁ
ନିଜ ସ୍ଵାର୍ଥେ ନିଜେ ମାତିଲେ ।।
ଆନ କଥା ବୁଝି କାର୍ଯ୍ୟ ମେଣ୍ଟାଇବା
ପାଇଁ ବା ସମୟ କାହିଁ
ଯଦିବା ସମୟ ରହୁଛି ହାତରେ
ମନ ମଧ୍ୟେ ତାହା ନାହିଁ ।।
ଶଶୁର ଗଡ଼ଇ ରୋଗ ଶଯ୍ୟା ପରେ
ବୋହୂ ନିଜ କାମେ ବ୍ୟସ୍ତ
ପୁଅ ସବୁ ଦେଖି ଆଖି ଫେରାଉଛି
ଭାବିଲେ କେତେ ଯେ କଷ୍ଟ ।।
ଘରଣୀ ବି ନିଏ ତାଙ୍କର ପକ୍ଷ ଯେ
ପୁଅ ମୋ ଚାକିରି କରିଛି
ଖଟି ଖଟି ଆସେ ଅଫିସରୁ ସିଏ
କେତେ ପରିଶ୍ରମ କରୁଛି ।।
ତମେ କାହିଁ ଘରେ ପଡି ରହିଅଛ
ଯାଇ ବୁଲାବୁଲି କରୁନ
ତମେ ଭୋଗିବନି ଆଉ କେ ଭୋଗିବ
ଛୁଆକି କରିବେ କହୁନ ?
ବୋହୂ ମୋର ଦିନ ସାରା ଖଟୁଅଛି
ତାକୁ ତ ହେଉନି ସମୟ
ମୋର ଦେହ ହାତ ଘୋଳାବିନ୍ଧା ହୁଏ
ବସି ଉଠିବାକୁ ମୋ ଭୟ ।।
ନିଜ କର୍ମ ନିଜେ କର ଦାମ ବାପା
କା ଉପରେ ଦୋଷ ଲଦନି
ପୁଅ ପୋଷୁଅଛି କେତେ ଟଙ୍କା ସାରି
ଆମକୁ ବାରଣ କରିନି ।।
ବୁଢ଼ା ପଡ଼ି ରହି ଚିତ୍କାର କରୁଛି
ଆହେ ପ୍ରଭୁ କଳା ଠାକୁର
ମୋ ପାଇଁ କିବା ପଥର ହୋଇଲ
ନ ବୁଝିଲ ମୋର ଅନ୍ତର ।।
ଏ ରୋଗରେ ପଡି ଘାଣ୍ଟି ହେଉଅଛି
କାହା ପାଶେ ନାହିଁ ସମୟ
ତୁମେ କୁହ ପ୍ରଭୁ କି ଭୁଲ ମୁଁ କଲି
କଷ୍ଟ ସହି ହୁଏ ଅଥୟ ।।
କେତେ କଷ୍ଟ କରି ପୁଅକୁ ମଣିଷ
କରିଥିଲି ମୁଁ ଖଟି ଖଟି
ସେଇ ପୁଅ ବୋହୂ ଚାହୁଁବି ନାହାଁନ୍ତି
ସମୟ କା ପାଶେ ନାହିଁଟି ।।
ପଇସା ଫୋପାଡି ଦେଲେ ସବୁ କାମ
ଯଦି ହେଇ ଯାଉ ଥାନ୍ତା
ପରିବାର କାହିଁ ରହନ୍ତା ସଂସାରେ
ଏକଲା ହୋଇ ମରନ୍ତା ।
ହେମନ୍ତ କୁମାର ସାହୁ। ମାହାଙ୍ଗା।