ବିଶ୍ବଜୀବନ ହେ
ବିଶ୍ବଜୀବନ ହେ ବିଶ୍ବବନ୍ଧୁ ପରାତୁମେ…..
ବିଶ୍ବଜୀବନ ହେ ବିଶ୍ବବନ୍ଧୁ ପରାତୁମେ ….
କରୁଣା ସାଗର କୀର୍ତ୍ତି କାରିଗର
ସଦା ମୁଁ ଚରଣେ ନମେ। (ଘୋଷା)
ପ୍ରଣବ ପ୍ରଣତି ଆହେ ବିଶ୍ବପତି
ଯାହା ହୃଦେ ସାଇତିଛ
ଫୁଲରେ ସୁରଭି ପ୍ରାଣରେ ପ୍ରାଚୁର୍ଯ୍ୟ
ନିଜ ହାତେ ଖଞ୍ଜିଅଛ
ତୁମର ସର୍ଜନା ପ୍ରଭୁ ଏକା ସିନା
ନିମିତ୍ତ ମାତ୍ର ମୁଁ ବିଭୁ
ଆଶାର ଆଲୋକ କାର୍ତ୍ତିକ କୋଳରେ
ମୁକ୍ତିର ମୂରତି ପ୍ରଭୁ।
କି ଦେଇ ପୂଜିବି ଘୋରିସୋରି ହୁଏ
ମନ ନୀଳାଚଳ ଧାମେ….
ବିଶ୍ବ ଜୀବନ ହେ ବିଶ୍ବବନ୍ଧୁ ପରା ତୁମେ….
ବିଷୟା ବିଷମ ପ୍ରବୃତ୍ତି ନିବୃତ୍ତି
ଇଚ୍ଛାର ଇଙ୍ଗିତେ ଏକା
ସତ୍କର୍ମ ସାଧନେ ପାଦ ଥାପିବାକୁ
କଳା ନାଉରୀ ହେ ସଖା
ଶାନ୍ତି ପ୍ରଶାନ୍ତିର ଅମିୟ ଆକର
ଜଗତପତି ହେ ତୁମେ
ରୁଚି ରୂପରେଖା ରୁଚିର ରାଗିଣୀ
କ୍ରିୟା ପ୍ରତିକ୍ରିୟା କ୍ରମେ।
ହେ କଳା ଠାକୁର କାର୍ତ୍ତିକ ମୁରୁଜ
ଆହା ପ୍ରତିମୂର୍ତ୍ତି ଚୁମେ !
ବିଶ୍ବଜୀବନ ହେ ବିଶ୍ବବନ୍ଧୁ ପରାତୁମେ ……
କରୁଣା ସାଗର କୀର୍ତ୍ତି କାରିଗର
ସଦା ମୁଁ ଚରଣ ନମେ।