ଭୋକର_ରଂଗ
ଧରିନିଅ ଆଜି ଦିନକ ତୁମେ ବାଖ୍ୟାକାର
ସବୁ ସତ୍ୟ ଆଉ ସର୍ତ୍ତର,
ପ୍ରସ୍ତୁତ ଅଛ ସବା ଶେଷ ଧାଡ଼ିରୁ
ଅପ୍ରତ୍ୟାଶିତ ପ୍ରଶ୍ନ ଉଠିଲା
ତୁମ ପ୍ରସ୍ତାବିତ ଭୋକର ରଂଗ କିପରି,
କ’ଣ କରିବ..?
ତତକ୍ଷଣାତ୍ ଲାପଟପ୍ ରେ ଖୋଜିବ
What is the colour of hunger ?
ସବୁକିଛି ଖୋଜିଲା ପରି
ଅବା କେଉଁ ଗୋଟାଏ ଧରିନେବ ନାଲି,ନୀଳ ଅଥବା କଳା ବୋଲି..?
ଜାଣେ ଯଥାସାଧ୍ୟ ମାଟି ପରି ଗୁଗଲ ଫିଙ୍ଗିଦେବ
ପେଟ କଙ୍କାଳ ଗଣି ହେଉଥିବା କିଛି ବେରଙ୍ଗ ଫଟୋଚିତ୍ର
ହେଇପାରେ ଦୁର୍ଭିକ୍ଷ,ଯୁଦ୍ଧ ଅଥବା କେଉଁ ମହାମାରୀ ପରର
କିନ୍ତୁ ଭୋକର ରଂଗ କାଇଁ .. !?
ଏବେ ନିଜପକ୍ଷ ବିଜୟ ପାଇଁ ତୁମେ ଉଠେଇପାର ରଂଗ ତୁଳୀ
ଅବା ଶେଷତମ ଅସ୍ତ୍ର ଯାହା
ସାଇତି ରଖିଛ ଗୋପନ ସିନ୍ଧୁକରେ,
ଭୋକ ଏବେ ଫର୍ଚା ଦିଶିପାରେ..!
ହୁଏତ ଲାଲ୍ ରଙ୍ଗ ବୋଳିଦେବ ଭୋକିଲା ପେଟରେ
ଆଃ..ଚିତ୍କାରି ଉଠିବେ ଭୋକିଲା ଜିଜ୍ଞାସୁ
ପ୍ରେମରେ ଭୋକ ମରେନା ସାଆନ୍ତେ,ନାଲି ରଙ୍ଗ ପୋଛ
କିଏ ଜାଣେ ପ୍ରେମ ବୋଲି
ଆମ ରକ୍ତ ଆଞ୍ଜୁଳାକ ଆମକୁ ଯାଚିଥାଇପାର
ଅବା ଆମ ଲୁଣ୍ଠିତ ସକାଳକୁ
ଭୋକର ଚାଦର ଢାଙ୍କି ଥାଇପାର ,
ନା ନା ଅନୁପଯୁକ୍ତ ଏ ରଂଗ..!
ଏବେ ଭୋକ ପିଠିରେ ଚଢାହେବ ଆକାଶେ ନୀଳ ରଙ୍ଗ
ଚିତ୍କାରିବେ ଭୋକିଲା ଜିଜ୍ଞାସୁ ,ୟେ କ’ଣ ୟେ କ’ଣ
ଭୋକିଲା ଆକାଶ..?
ଭୋକର ସ୍ଥାନ ମାଟିରେ ସାଆନ୍ତେ,ନୀଳ ରଙ୍ଗ ପୋଛ
କିଏ ଜାଣେ କାଲିକି
ହୁଏତ ଭୋକଠୁ ଅଧିକ ଜ୍ଵାଳାମୟ ହୋଇପାରେ ନୀଳବର୍ଣ ବିଷ
ଅବା ଭୋକ ସମୁଦ୍ର ଆଣିପାରେ ବନ୍ୟା ବିଭୀଷିକା,ସର୍ବନାଶ
ନା ନା ଅନୁପଯୁକ୍ତ ଏ ରଂଗ..!
ଏବେ ସବୁ ରଂଗ ଫେଣ୍ଟି ଭୋକ ଦେହେ କଳା ବୋଳି ସଦର୍ପେ ଠିଆ ହେବ ତୁମେ
ପୁନଶ୍ଚ ଚିତ୍କାରିବେ ଭୋକିଲା ଜିଜ୍ଞାସୁ,ୟେ କ’ଣ ୟେ କ’ଣ
ରାତିଏ ଅନ୍ଧାର ଯଥେଷ୍ଟ ନୁହେଁ ଭୋକ ପାଇଁ ସାଆନ୍ତେ;
କଳା ରଙ୍ଗ ପୋଛ
କିଏ ଜାଣେ କାଲିକି ହୁଏତ ସାରା ପୃଥିବୀ ପାଳୁଥାଇପାରେ
କଳଙ୍କିତ ଅଧ୍ୟାୟେ ଭୋକ ମହୋତ୍ସବ
ଅବା ସମଗ୍ର ଅନ୍ଧାର ଭିତରେ ଭୋକ ପରିଚୟପତ୍ର ହୀନ
ଏଣେ ତେଣେ ଦିଶିପାରେ ଘର ବେଘର,
ନା ନା ଅନୁପଯୁକ୍ତ ଏ ରଂଗ..!
ଗହଳି ଭିତରେ ତୀବ୍ର ହେବ ସ୍ବର
ସବୁ ମାଙ୍କଡ ନାଚ ବନ୍ଦକରି ଥରେ ଭୋକିଲା ରୁହ ସାଆନ୍ତେ ,ଜାଣିଯିବ
ଭୋକର ରଂଗ ବୋଲି କିଛି ନଥାଏ
ଶୁଖିଲା ରକ୍ତରେ ଦେହ ବିଷମୟ ହେଲେ
ଦୁନିଆ ଆପେ ଭୋକମୟ ଦିଶେ,
ଏବେ ଯାଅ,ନିଜକୁ ଥରେ ଭୋକିଲା ରଖି
ଆଇନାରେ ଭୋକର ରଂଗ ପଚାର
ଯାଆ ସାଆନ୍ତେ ଯାଅ..!!
[ସମାପ୍ତ]
ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର