ଦେଖ ଏ ବର୍ଷାକୁ
ଦେଖ ଏ ବର୍ଷାକୁ ତେଜି ସରମକୁ
ନାଚୁଛି ସେ ଥେଇଥେଇ
ବାରାଙ୍ଗନା ପରି କଟାକ୍ଷକୁ କରି
ଜଗତ ଥରାଇ ଦେଇ।
ବାଦଲର କୋଳେ ଲୁଚକାଳି ଖେଳେ
ସୁନ୍ଦର ରାଗିଣୀ ଗାଇ
ଜନ ମାନସକୁ ଥରାଇ ତାହାକୁ
ଅସ୍ତବ୍ୟସ୍ତ କରେ ରହି।
କଅଁଳା ଗାଈର ସ୍ବଭାବ ପ୍ରକାର
ମାଡ଼ି ଆସୁଅଛି ଧାଇଁ
ଭୟରେ କାତର ଏ ସାରା ସଂସାର
ସବୁକିଛି ଦେବ ଧୋଇ।
ପାର୍ବଣ ଋତୁଟା କରିଦେଲା ଖଟା
ଖାଁଖାଁ ଲାଗୁଥାଇ
ମେଢ଼ ମଣ୍ଡପରେ ମାଆଙ୍କ ପାଶରେ
ଗହଳ ଚହଳ ନାହିଁ।
ପଲ୍ଲୀରୁ ସହର ହୁଅନ୍ତା ମୁଖର
ମାଆ ଆଗମନ ପାଇଁ
କେତେ ନାଚ ଗୀତ ସାଥେ ଭୋଜିଭାତ
ସବୁକୁ ଦେଲା ଭସାଇ।
ଜହ୍ନି ଓଷେଇର ପୂଜାର ସମ୍ଭାର
ତୁଳସୀ ମୂଳରେ ନାହିଁ
ଦଶରା ବଜାର କଲା ଛାରଖାର
ଇର୍ଷା ପରାୟଣ ହୋଇ।
ଚାଲିଯା ବରଷା ଧରାରୁ ସହସା
ଅତ୍ୟାଚାର କରନାହିଁ
ପୋତିବି ଲଙ୍ଗଳ ହେବୁ ଅସମ୍ଭାଳ
ତୋ ସତ୍ତା ଦେବି ହଜାଇ।
ଦେବମାୟା ଭବନ
ଶେରଗଡ଼,ଗଞ୍ଜାମ
୯୭୭୬୪୮୬୬୨୮