ଶୀର୍ଷକ – ବାପୁ ତୁମେ ଫେରିଆସ
କାହିଁ ଗଲ ହଜି, ହେ ପ୍ରିୟ ବାପୁଜୀ
କାନ୍ଦୁଛି ଭାରତ ମାତା
ଆସ ଅବତରୀ ଏ ଧରା ଧାମକୁ
ଝୁରୁଅଛନ୍ତି ଜନତା.
ଭାରତ ମାତା ପରାଧୀନ ଶୃଙ୍ଖଳ
ଖୋଲି କରିଛ ସ୍ୱାଧୀନ
ଲୋକ ମାନେ ଆଜି ଭୁଲି ଯାଇଛନ୍ତି
ତୁମ ତ୍ୟାଗ, ବଳିଦାନ.
ତୁମ ଜନ୍ମଦିନ ହେଲେ ଫୁଲମାଳ
ନେଇ ମୂର୍ତ୍ତିରେ ପିନ୍ଧାନ୍ତି
ବିକାଶର ନାମେ ବିନାଶ କରିଣ
ଭାଷଣ ବାଜି ମାରନ୍ତି.
ଅହିଂସା ମନ୍ତ୍ର ତ ହେଲାଣି ସ୍ବପନ
ବନ୍ଧୁକ ଗୁଳିର ଖେଳ
ମଦ, ଜୁଆ, ନାରୀ ଧର୍ଷଣ ରେ ଆଜି
ସ୍ତବ୍ଧ ଗଗନ ମଣ୍ଡଳ.
କାଟି ପିନ୍ଧ, କୁଟି ଖାଅ ଆଜିକାଲି
ହୋଇଗଲାଣି ସ୍ବପନ
ତୁମ ରାମରାଜ୍ୟ, ରାବଣର ରାଜ୍ୟ
ହୁଅନ୍ତି ସୀତା ହରଣ.
ଗର୍ବ ଅହଙ୍କାର ନ ଥିଲା ତୁମର
ସାଦା ସିଧା ବେଶ ଭୁଷା
ଜେଲ ଯାଇ ମାଡ଼ ଖାଇ କରି ମଧ୍ୟ
ଜପିଲ ମନ୍ତ୍ର ଅହିଂସା.
ଲବଣ ସତ୍ୟାଗ୍ରହ, ଦାଣ୍ଡି ଯାତ୍ରା ଓ
ଆମରଣ ଅନଶନ
ଏକଜୁଟ କଲ ସୁପ୍ତ ଜନତାକୁ
ଦେଶ ହୋଇଲା ସ୍ୱାଧୀନ.
ସଦ୍ୟ ସ୍ୱାଧୀନତା ପ୍ରାପ୍ତ ପରେ ତୁମେ
ପ୍ରାର୍ଥନା ସଭାରେ ଗୁଳି
ଖାଇକରି ସ୍ୱର୍ଗ ଭୁବନକୁ ତୁମେ
ଯାଇଅଛ ବାପୁ ଚାଲି.
ଓହ୍ଲାଇ ଆସ ଏ ମର୍ତ୍ତ୍ୟ ମଣ୍ଡଳକୁ
ଆଉଥରେ ହେ ବାପୁଜୀ
ଅଧୁରା କାମକୁ ପୂରଣ କରିବ
ଦେଶ ଦୁଃଖ ଯିବ ହଜି।
ପ୍ରତିମା ଶତପଥି,
ଜିଲ୍ଲା, ଯାଜପୁର ।