ଅଭାଗିନୀ
ନାରୀ ଭାଗ୍ୟ ଆକାଶରେ କଳାମେଘ
ଯେବେ ଘୋଟି ଆସିଥାଏ
ରାହା ସାହା ତାର କେହି ଯେ ନଥାନ୍ତି
ଅଭାଗିନୀ ସିଏ ହୁଏ।।
ପତି ହରା ନାରୀ ପତିକୁ ହରାଇ
ଅଭାଗିନୀ ହୋଇ ଯାଏ
ପୁତ୍ରକୁ ହରାଇ ଜନନୀ ନିଜକୁ
ଅଭାଗିନୀ ମଣିଥାଏ।।
ମନର କୋହକୁ ମନେ ମନେ ଚାପି
ସବୁବେଳେ କାନ୍ଦୁଥାଏ
ନିଜ ଭାଗ୍ୟକୁ ସେ ଦୋଷ ଦେଇ ପୁଣି
ମୃତ୍ୟୁ ଅପେକ୍ଷାରେ ଥାଏ।।
ପିତୃ ମାତୃ ହୀନ କନ୍ୟାଟି ଅନାଥ
ଅଭାଗିନୀ ହୋଇଥାଏ
ଭାଇର ସ୍ନେହରୁ ବଞ୍ଚିତ ଭଉଣୀ
ଅଭାଗିନୀ ବୋଲି କହେ।।
ସୁହାଗ ସିନ୍ଦୂର ନାରୀର ସର୍ବସ୍ବ
କପାଳରୁ ଯେବେ ଲିଭେ
ସାଇ ପଡିଶାରେ ନାନା କଥା ଶୁଣେ
ଅଭାଗିନୀ ହୁଏ ଭାବେ।।
ଏଇ ସମାଜରେ ସନ୍ତାନ ନଥାଇ
ବନ୍ଧ୍ୟା ନାରୀ ଅଭାଗିନୀ
ସମାଜରେ ତାକୁ ସହିବାକୁ ହୁଏ
ଲୋକଙ୍କର କଟୁବାଣୀ।।
ପୁତ୍ର କନ୍ୟା ଥାଇ ଯେଉଁ ଜନନୀଟି
କାଳ କାଟେ ବୃଦ୍ଧାଶ୍ରମେ
ଏଇ ସଂସାରରେ ଗଣା ହୁଏ ସିଏ
ଅଭାଗିନୀ ମାତା ନାମେ।।
ଗରିବ ଝିଅଟି ବିବାହ ବୟସେ
ନପାରିଲେ ବିଭା ହୋଇ
ବିବାହ ବୟସ ଗଡିଯାଏ ତାର
ଅଭାଗିନୀ ତାକୁ କହି।।
ସବୁଥାଇ ପୁଣି ଯେଉଁ ନାରୀ ହୁଏ
ପତି ସ୍ନେହରୁ ବଞ୍ଚିତ
ପତି ଆନ ନାରୀ ପ୍ରେମେ ବନ୍ଧା ହୁଏ
ଅଭାଗିନୀ ହୁଏ ସେତ।।
ପୁରୁଷ ତାହାର ପତ୍ନୀକୁ ହରାଇ
ଦ୍ବିତୀୟ ବିବାହ କରେ
ମାତ୍ର ନାରୀଟିଏ ପତିକୁ ହରାଇ
ଅଭାଗିନୀ ଧରାପରେ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।।