କବିତା ର ଶୀର୍ଷକ :- ମୋ ଜଗାର ଆନ୍ନବଜାର
ବଡଖିଆ ବୋଲି ଜାଣିଛି ଜଗତ
ଜାଣେ ମୋ ମା” ସାଆନ୍ତାଣୀ
ସେଥିପାଇଁ ପାକଶାଳାରେ ରାନ୍ଧନ୍ତି
ପ୍ରଭୁ ତୁମ ମନଜାଣି ||
କୋଢୁଆ ଉପରେ କୋଢୁଆ ଥୋଇ ଯେ
ରାନ୍ଧନ୍ତି ନାନା ବ୍ୟଞ୍ଜନ୍ନ
ବାଡ଼ ଗର୍ଭଗୃହେ ସେବକ ତୋ ନେଇ
ତୋତେ କରେ ସମର୍ପଣ ||
ତୁମ ଆଚମନେ ସେ ମହାପ୍ରସାଦ
ଭକ୍ତ ପାଇ ଲଭେ ତୃପ୍ତି
ଭକତ ଆନନ୍ଦେ ଆନନ୍ଦ ବଜାରେ
ପାଇବାକୁ କରେ ଭକ୍ତି ||
ଅବଢ଼ା କାନିକା କ୍ଷୀରି ଖେଚୁଡ଼ିକୁ
ବେସର ମହୁର ଡାଲି
ଶାଗ ସାଥେ ଖଟା କଦଳୀ ପତ୍ରକୁ
ପସରା ଦେଉଛୁ ମେଲି ||
ଘୃତ ସରପୁଳି ଅମାଲୁ କାକରା
ପୋଡପିଠା ଖଜା ଲଡୁ
ନାନାଦି ବ୍ୟଞ୍ଜନ୍ନେ ମହମହ ବାସେ
କୋଢୁଆରୁ କାଢୁ କାଢୁ ||
ମା” ହାତରନ୍ଧା ପିତା ଆଚମନ
ଅବଢ଼ାକୁ ଭକ୍ତ ଖାଇ
ତୋ ଅନ୍ନବଜାରୁ ଟଙ୍କ ତୋରାଣି କୁ
ପେଟପୁରେ ଦେଲେ ପିଇ ||
ମନ ବଳେନାହିଁ ଆନ ଦରବରେ
ଆନନ୍ଦ ବଜାର ଗଲେ
ମୁକ୍ତି ଲଭେ ଜୀବ ଅନ୍ତିମ ଶ୍ଵାସରେ
ତୁମ ନାମ ତୁଣ୍ଡେ ଥିଲେ ||
ପ୍ରତାପ କେଶରୀ ବେହେରା
ଠିକଣା :- ମୋଟ , ବ୍ରହ୍ମଗିରି , ପୁରୀ