କଳିଯୁଗ ରୂପରେଖ
ଦିନେ ବାସୁଦେବ ଆଗରେ ପାଣ୍ଡବ
ପାଞ୍ଚ ଭାଇ ପଚାରନ୍ତି,
କହନ୍ତୁ କେଶବ କଳିଯୁଗେ ହେବ
କିପରି ମାନବ ରୀତି ?
ହସି ନାରାୟଣ କହନ୍ତି ଯାଇଣ
ପାଞ୍ଚ ଭାଇ ବୁଲି ଦେଖ ,
ଯିଏ ଯେଉଁ ଦୃଶ୍ଯ ଦେଖିବ ତାହାହିଁ
କଳିଯୁଗ ରୂପରେଖ ।
ଗୋଟିଏ ହାତୀର ଦୁଇ ଗୋଟି ଶୁଣ୍ଢ
ଯୁଧିଷ୍ଠିରେ ହେଲା ଦୃଶ୍ଯ ,
ଅର୍ଜୁନ ବୋଲନ୍ତି ମଢ ଖାଉଛନ୍ତି
ପକ୍ଷୀ କେତୋଟି ଅବଶ୍ଯ ।
ପକ୍ଷରେ ତାଙ୍କର ଲେଖା ଅଛି ବେଦ
ଏହାର ରହସ୍ଯ କଣ,
ଭୀମ କହୁଛନ୍ତି ଦେଖିଲି କାନନେ
ପ୍ରସବନ୍ତେ ଗାଭୀ ଜାଣ ।
ବତ୍ସାଟିକୁ ଚାଟି କରୁଅଛି ସଫା
ଚକିତ ହୁଏ ନୟନ ,
ମାତା ଜିହ୍ୱା ସ୍ପର୍ଶେ ଜନ୍ମିତ ସନ୍ତାନ
ହେଉଛି ଲହୁ ଲୁହାଣ ।
ଗୋଟିଏ ସ୍ଥାନରେ ପାଞ୍ଚ ଗୋଟି କୂପ
ଦେଖିଛନ୍ତି ସହଦେବ ,
ଗଭୀର ଥିଲେବି ମଧ୍ୟସ୍ଥ କୂପଟି
ଶୁଷ୍କ କିଆଁ ବାସୁଦେବ ?
ନକୁଳ ବୋଲନ୍ତି ବଡ ଶିଳା ଖଣ୍ଡ
ପର୍ବତ ଶିଖରୁ ଖସେ ,
ବଡ ତରୁ ଗତି ପାରିଲେନି ରୁଦ୍ଧି
ଛୋଟ ବୃକ୍ଷ ରୁଦ୍ଧେ ଶେଷେ ।
ଉତ୍ତରେ ଶ୍ରକୃଷ୍ଣ କହନ୍ତି ବୁଝାଇ
ଯା ଦେଖିଲେ ଧର୍ମରାଜ ,
ଏକ ଶୁଣ୍ଢ ହାତୀ ଦିଶଇ ସର୍ବତ୍ର
ଦୁଇ ଶୁଣ୍ଢେ କିବା କାର୍ଯ୍ୟ ।
କଳିଯୁଗେ ନର ମୁଖେ ଯା କହିବେ
କାର୍ଯ୍ୟେ କରିବେ ଓଲଟା ,
ଏଣୁ ଜଙ୍ଗଲରେ ଦେଖିଲ ହସ୍ତୀର
ଶୁଣ୍ଢ ଅଛି ବେନି ଗୋଟା ।
ବିଦ୍ଵାନ ପଣ୍ଡିତ ଉଚ୍ଚାରିବେ ବେଦ
ମନ ଥିବ ପର ଦ୍ରବ୍ୟେ ,
ବିଷୟ ସଂପତ୍ତି କରିବେ ଆୟତ୍ତ
ମୃତ୍ୟୁ ହୁଏ କା’ର ଯେବେ ।
ବାତ୍ସଲ୍ୟ ମମତା ଛୁଇଁବ ଶୀର୍ଷକୁ
ସନ୍ତାନ ଜୀବନ ନଷ୍ଟ ,
ନିଜ ବିକାଶ ର ସୁଯୋଗ ନପାଇ
ପାଇବେ ପିଲାଏଁ କଷ୍ଟ ।
ପୂର୍ଣ୍ଣ କୂଅ ପାଶେ ଶୁଷ୍କ କୂପ ଥାଇ
ଜଣାଉଛି କଳିଯୁଗେ ,
ଧନଢ୍ୟ ବ୍ୟକ୍ତିଏଁ ଚେଷ୍ଟିତ ରହିବେ
ସଦା ନିଜ ସୁଖ ଭୋଗେ ।
ଦୁର୍ଦ୍ଦଶାରେ ଥିବେ ପଡୋଶୀ ତାଙ୍କର
କରିବେ ନାହିଁ ସାହାଯ୍ଯ ,
ନିଜ ପରିବାର ସୁଖ ସ୍ୱାଚ୍ଛନ୍ଦକୁ
ମଣିବେ ମହତ କାର୍ଯ୍ୟ ।
କଳିରେ ମଣିଷ ଜୀବନ ପତନ
ଘଟିବା ଅବସମ୍ଭାବୀ ,
ଧନ ରୂପୀ ବଡ ପାଦପ ତାହାକୁ
ରୋକି ନପାରେ କେବେବି ।
ଛୋଟ ବୃକ୍ଷ ରୂପୀ ହରିନାମ ମାତ୍ର
କରିବ ତାକୁ ଆୟତ୍ତ ,
ହରେକୃଷ୍ଣ ହରେରାମ ସଂକୀର୍ତ୍ତନ
ଭଜୁଥିବ ଯିଏ ନିତ୍ଯ ।
କୁଞ୍ଜ ବିହାରୀ ଦଳାଇ
ସିଂଲା
ବାଲେଶ୍ଵର
ମୋ:ନ: 8457041434