ଭିଜିବି କାହିଁକି ତୋ ପ୍ରେମରେ
ଭିଜି ତୋ ପ୍ରେମରେ ମୀରା ଝୁରିମରେ
ତେଜିଲା ଘର ସଂସାର
ବିଷ ପାନକଲା ଜୀବନ ନଗଲା
ହେଉଛି ସେହି ଅଧିର।
ତୋ ପ୍ରେମରେ ମଜ୍ଜି ରାଧାରାଣୀ ହଜି
କଳଙ୍କ କଲା ସିନ୍ଦୂର
ପତି ଚନ୍ଦ୍ରଶେଣା କରୁଥାଏ ମନା
ଧାଏଁ ସେ କୁଞ୍ଜ ବନର।
ତା ନାମରେ ପରା ବାଜଇ ନାଗରା
କମ୍ପଇ ବରଜ ପୁର
କଥା ଦେଇଗଲ ଆଉ ନଫେରିଲ
କେଉଁ ଦୋଷ ଘେନି ତା’ର।
ଗର୍ଭଧାରୀ ଠାରୁ ଜନମ ବେଳରୁ
ହୋଇଛୁ ତୁହି ଅନ୍ତର
ଯାଇ ଗୋପନରେ ଗୋପ କଟକରେ
ଖେଳୁ ଯଶୋଦା କୋଳର।
ଧନୁ ଯାତ୍ରାପାଇଁ ମଥୁରାକୁ ଯାଇ
ଭୁଲିଲୁ ତୁ ଗୋପପୁର
ଗୋପ ପୁରେ ରହି ଦହି ସର ଖାଇ
ସାଜିଥିଲୁ ତୁହି ଚୋର।
ବଇଁଶୀ ବଜାଇ ଗୋପୀଙ୍କୁ ନଚାଇ
ବୃନ୍ଦାବନରେ ବିହର
ଦଗାଦିଆ ତୁହି ସବୁ ଭୁଲିଯାଇ
ଗୋପୀଙ୍କୁ କରିଛୁ ପର।
ଦେଖି ଏଇ ରୀତି ମନେ ଲାଗେ ଭୀତି
ଭିଜିବିନି ତୋ ପ୍ରେମର
ହଟିଆ ନାଗର ତୁହି ଶ୍ରେଷ୍ଠ ଚୋର
ପାରିଲେ ମୋ ମନ ହର।
ଦେବମାୟା ଭବନ
ଶେରଗଡ଼, ଗଞ୍ଜାମ
୯୭୭୬୪୮୬୬୨୮