ବନ୍ଧୁତା ଏକ ସମ୍ମୋହନ
ଅଚିହ୍ନା ଚେହେରା, ଅଶୁଣା ଶବଦ
ସୃଷ୍ଟି କରେ ଆକର୍ଷଣ,
ଟାଣି ନେଇ ଯାଏ ଆପଣା ଆଡ଼କୁ
ଏପରି ସେ ସମ୍ମୋହନ ।
କୁପଥରୁ ଆମ ହାତ ଧରି ଆଣି
ସୁପଥରେ କରେ ଠିଆ,
କେବେ ମୋହ ସାଜି ଅଧର୍ମ ପଥରେ
ଛାଡ଼ି ଦିଏ ଏକୁଟିଆ ।
ବିଶ୍ଵାସର ଡୋରୀ ଅଟଇ ବନ୍ଧୁତ୍ୱ
ସନ୍ଦେହ ଅସ୍ତ୍ରରେ ଛିଣ୍ଡେ,
ପବିତ୍ରତା ଭରା ଦିବ୍ୟ ସମ୍ପର୍କ ଏ
ସତେ କି ନିର୍ମାଲ୍ୟ ତୁଣ୍ଡେ ।
ସ୍ୱାର୍ଥୀ ମିତ୍ରଙ୍କର ବିଶ୍ବାସଘାତ ଓ
ଜହର ପୂରିତ ମନ,
ଭାଙ୍ଗିଦିଏ ସ୍ନେହୀ ନୀରିହ ହୃଦୟ
ଭରସା କରଇ ଛିନ୍ନ ।
ସକଳ ସମ୍ପଦ ସବୁ କିଛି ତୁଚ୍ଛ
ପ୍ରକୃତ ବନ୍ଧୁ ଆଗରେ,
ଆକର୍ଷଣ ଥାଉ ଅବା ସମ୍ମୋହନ
ବନ୍ଧୁତା ସଦା ଉର୍ଦ୍ଧ୍ବରେ ।
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra