ପରିବେଶ
ଜୀବନ ବଳୟର ପରିଧି ପରିପାଖ
ଅତ୍ର ତତ୍ର ସର୍ବତ୍ର….
ମହଲ ପରେ ମହଲ,
ଅଟ୍ଟାଳିକା ପରେ ଅଟ୍ଟାଳିକା…
ନାମ ଯା’ର .. କାରଖାନା,
ଘରୋଇ ଶିକ୍ଷାନୁଷ୍ଠାନ ,
ଜିମ୍ ସ୍ପା ପାର୍ଲର ଅବା ଶପିଂ ମଲ୍।
ଗାଁ ଠୁ ସହର.. ସହର ଠୁ ଗାଁ
କାଁ ଭାଁ ଗଛ ବୃଛ…
ସବୁଜିମାର ଶୂନ୍ୟତା,
ଖାଇ ଗୁଡ଼ାଉ ଥିବା ଖାଁଖାଁ ଚାରି ପାଖ.
ସହରକୁ ସବୁଜିମା ସୁହାଏ ନି,
କିଛି ନା କିଛି ପ୍ରଗତିର
ପାହାଚ ଗଢା ଆଳରେ
ମୁଣ୍ଡରୁ ଗୋଡ଼ ଯାଏ କଟିଯାଏ ତାର.
କେଉଁ ଆବଶ୍ୟକତାର,
କେଉଁ ପ୍ରକାର ଉନ୍ନତିର
କେତେ ଗୁରୁତ୍ୱ….
ତାକୁ ତ ହୃଦବୋଧ କରିବା ମନା,
ଧରଣୀ ପେନୁ ପୂଜା ମାଗିଲା ପରି
ବିକାଶର ବାମିନୀ ବଳି ଅବଶ୍ୟ ଖୋଜେ…
ଆଉ ବଳି ପଡେ…
ପ୍ରକୃତ୍ତି.. ଅରଣ୍ୟ ସବୁଜିମା!
ହେଲେ ଗାଁ?
ସେଠିତ ବିକାଶର ସ୍ୱର ଶାଣିତ ନୁହେଁ !
ନଈ ପଠା, ବନ ତୋଟା, ଡଙ୍ଗର
ସବୁ ଏବେ ଶୂନ୍ୟତାର ସହର…
କେଉଁଠି କେମିତି ସାମାଜିକ
ବନୀକରଣ ଯୋଜନାରେ, ଚାରା ପୋତା ହେଇଚି ଯେ
ସେ ଗଛ ଭୂଇଁ ରୁ ଉଧେଇବାର ନାହିଁ.
ବାକି ସରକାରୀ ଜାଗା ତକ
ରାଜ ନେତା ଆଉ କୁଜି ନେତା ଙ୍କ ନାମ ରେ
ଆଉ କିଛି ବାଁ ଟିପ ଡାହାଣ ଟିପରେ
ଲାଞ୍ଚୁଆ ଅଫିସର ଙ୍କୁ ଅଣ୍ଟାଗୁଂଜା ଦେଇ
ଯେ ପାରିଲା ମାଡି ବସି ଲମ୍ବା ମାର୍କେଟ କଂପ୍ଲେକ୍ସ କଲା.
କେଉଁ ଯୁଗରୁ ଗାଁ ମୁଣ୍ଡର
ଜାଉଁଳି ଝଙ୍କା ଅଶ୍ୱସ୍ଥ ଗଛ,
ଗାଁ ତୋଟାର ଡାଳ କୁ ଡାଳ ଛୁଇଁ
ଗେଲ ହେଉଥିବା ଗଛ ସବୁ…
ସ’ମିଲ ରେ ସାଇଜ଼ ହୋଇ
ଚାଲିଗଲା.. କେଉଁ ମନ୍ତ୍ରୀଙ୍କ
ଫାର୍ମ ହାଉସ କୁ !
ପରିବେଶ ଏବେ ଭୁଭୁକ୍ଷୁ……
କେଉଁଠି ଅମ୍ଳଜାନର ଅଭାବ
କେଉଁଠି ଫ୍ଲୋରାଇଡର ଆଧିକ୍ୟ
ଓ଼ଜ଼ନ ସ୍ତରରେ ଗର୍ତ୍ତ..
ବିଶ୍ୱ ତାପମାନ ଅଣାୟତ୍ତ
ପ୍ରଦୂଷିତ ଜଳବାୟୁ…
ପ୍ରକୃତ୍ତି ଅସହିଷ୍ଣୁ ପୁଣି ଅସହାୟ !
ପଣତ ପାତି…
ଭିକ୍ଷାଂ ଦେହି ମୁଦ୍ରାରେ…..
ଖୋଜୁଛି ଅମୃତ ଟୋପେ..
ସଜାଡି ଦେବ ସବୁକୁ.
ତା ନିଶ୍ୱାସ ଜହର ମଖା
ପ୍ରଶ୍ୱାସ ହଳାହଳ ଫେଣ୍ଟା
ଚାରିପଟେ କାଳକୂଟ ମେଞ୍ଚା ମେଞ୍ଚା..
ଅନ୍ତରେ ତାର ନିଷାଦପଣ
ଧ୍ବଂସ ଯେମିତି ତାର ଆକାଂକ୍ଷା
ଉଦ୍ଦଣ୍ଡ ନୃତ୍ୟ କରି ଆଣିବାକୁ ଖୋଜେ ଭୂମି କମ୍ପ,
ନୃତ୍ୟର ଭାଷା କେହି ବୁଝୁ କି ନ ବୁଝୁ
ପାଦ ଫଟା ଲହୁରୁ ବୁହାଇ ଦେବ ବନ୍ୟା
ଅଣଚାଶ ର ଜୋର ରେ… ଓହ୍ଲେଇ
ଆସିବ ଫାଇଲିନ,ଫନି ଆମ୍ପାନ ,
ଟାଉତେ ପୁଣି ୟାସ…
ସେ କିନ୍ତୁ ଖୋଜୁଛି ଅମୃତ… ନୀଘଞ୍ଚ ସବୁଜିମାର ଶାନ୍ତି,
ସଚ୍ଚିଦାନନ୍ଦମୟ
ସୁନ୍ଦର ସସାଗରା… ଧରା.
କିଏ ବା ବୁଝିବ…?
ସମସ୍ତେ ତ କାଳିଦାସ,
ଡାଳରେ ବସି ଆମେ ମୂଳ କାଟୁ..
ପତନ ଅନିର୍ବାଯ୍ୟ… ଅବଶ୍ୟମ୍ଭାବୀ !
ମା ବରଦା !ହୁଅନ୍ତୁ ଉଭା !
କାଳିଦାସ ବୁଝିଯାଉ ପରିବେଶ..
ସବୁଜ ସୁନ୍ଦର ହେଉ ଧରା…
ମଧୁର ମଳୟ ବଳୟରେ
ଜୀଵନ ହେଉ ମଧୁମୟ.
ମିନତି ଦାଶ
ବାରିପଦା