ସ୍ନେହମୟୀ ସେହି ମାଆ
ହାତଗଢା ଘର ସୁନାର ସଂସାର
ଅମରାବତୀ ଯା’ କୋଳ
ପଣତକାନି ଯା’ ପିପିଲି ଚାନ୍ଦୁଆ
ଆବେଗ ଯା’ ଗଙ୍ଗାଜଳ।
ହାଣ୍ଡିଶାଳେ ଯିଏ ସାଜେ ଅନ୍ନପୂର୍ଣ୍ଣା
ସୁସ୍ୱାଦୁବ୍ୟଞ୍ଜନ ପାଇଁ
ମଧୁ ବୋଳା ବାଣୀ ପୀୟୂଷ ବର୍ଷିଣୀ
ଖରାବେଳେ ସାଜେ ଛାଇ।
ଯା’ର ପଦକ୍ଷେପ ପ୍ରଭାତୀ ସୂରୁଜ
ପ୍ରାଣ ସୁଶୀତଳ ଜହ୍ନ
ଯା’ର ହୃଦତଟ ବାଞ୍ଛା କଳ୍ପବଟ
ସଦିଚ୍ଛାରେ ପରିପୂର୍ଣ୍ଣ ।
ମନର ବଗିଚା ଧରଣୀ ଗାଲିଚା
ସ୍ନେହ ପ୍ରୀତି ପୁଷ୍ପେ ଶୋଭା
ମାଟି ପିଣ୍ଡୁଳାକୁ ସଜାଏ ମୂରତି
ମୂର୍ତ୍ତିମତି ଦୀପ୍ତି ଆଭା।
ସ୍ତୁତି ଅପାସୋରା ସସାଗରା ଧରା
ବକ୍ଷୋଜେ ଜୀବନୀଶକ୍ତି
ସନ୍ତାନ ସନ୍ତତି ସନ୍ତାପ ଯେ ଦୂର
ମନରେ ନଜାଗେ ଭୀତି ।
ଯା’ ସ୍ନେହ ଝରଣା ଚିରସ୍ରୋତା ମହୀ
ନମସ୍ୟା ସେ ଆମ ମାଆ
ମାଆ ଯା’ର ନାହିଁ ଗାଆଁ ତା’ର ନାହିଁ
ଲୋକୋକ୍ତି ପ୍ରଘଟ ଆହା!
ମନ ମନ୍ଦିରରେ ମହାଦେବୀଟିଏ
ଚିରପୂଜ୍ୟା ବନ୍ଦନୀୟା
ଅଭୟମୁଦ୍ରାରେ ଆଶିଷ ଢାଳଇ
ସ୍ନେହମୟୀ ସେହି ମାଆ ।
ରାକମା ,ଭାପୁର ,ନୟାଗଡ଼