ପ୍ରଶ୍ନ:-୧:ଆପଣଙ୍କ ମତରେ ସାହିତ୍ୟର ସଂଜ୍ଞା ?

ଉତ୍ତର:-ସତ୍ୟ ହଁ ସାହିତ୍ଯ | ଏହି ଜଗତର ସତ୍ଯ କୁ ବୁଝି , ବୁଝାଇ ଆମ ଜୀବନକୁ ଯାହା ସରଳ କରେ ତାହା ସାହିତ୍ୟ |

ପ୍ରଶ୍ନ:-୨ କେବେଠୁ ଆପଣଙ୍କର ସାହିତ୍ୟ ପ୍ରତି ରୁଚି ବଢିଲା?କେଉଁଠୁ ପ୍ରେରଣା ପାଇଲେ?

ଉତ୍ତର:-ମୁଁ ସପ୍ତମ ପଢୁଥିବା ସମୟରେ ସ୍ବର୍ଗତ ସୁରେନ୍ ପରିଡ଼ା ସାର୍ ଙ୍କ ଠାରୁ ପ୍ରେରଣା ପାଇଥିଲି ସାହିତ୍ୟ ପଠନର ଏବଂ ତା ପରେ ପଢା ସହ କବିତା ଲେଖିବା ଆରମ୍ଭ ହେଲା |

ପ୍ରଶ୍ନ-୩ ଏମିତି କିଛି ଘଟଣା କୁହନ୍ତୁ ଯାହା ଆପଣଙ୍କୁ ସାରସ୍ବତ ସାଧନାରେ ବ୍ରତୀ ହେବା ପାଇଁ ଅଧିକ ଉତ୍ସାହିତ କଲା।

ଉତ୍ତର:-ଏକ ବଙ୍ଗୀୟ ପରିବାରରେ ଜନ୍ମ ଗ୍ରହଣ କରି ସାରସ୍ବତ ସାଧନାରେ ବ୍ରତୀ ହେବାର କିଛି ସମ୍ଭାବନା ନଥିଲା କିମ୍ବା ପ୍ରେରଣା ଦେବା ପାଇଁ କେହି ନଥିଲେ ଘରେ , ତେବେ ମୋ ଜୀବନରେ କିଛି ବ୍ୟକ୍ତିଙ୍କ ସହ ସାକ୍ଷାତ ମୋତେ ସାରସ୍ବତ ସାଧନାର ବ୍ରତୀ କରିଦେଇଛନ୍ତି | ଏଠି ଘଟଣାଟେ କହୁଛି ଯାହା ଏବେ ବି ମନେ ପଡ଼େ ପ୍ରଥମ କବିତା ଲେଖାର ଅନୁଭୂତି ମୁଁ ଷଷ୍ଠ ପଢିବା ସମୟରେ ସିଟି ସ୍କୁଲର ଛାତ୍ର ଛାତ୍ରୀ ଆମକୁ ପଢେଇବା ପାଇଁ ଆସିଥିଲେ , ତାଙ୍କ ନାମ ମନେ ନାହିଁ ବର୍ଷା କବିତା ପଢାଇବା ପରେ କିଛି ବର୍ଷାକୁ ନେଇ ଲେଖିବାକୁ କହିଥିଲେ ମୁଁ ଲେଖି ଥିଲି କବିତା ,ତାହା ସ୍ଥାନ ପାଇଥିଲା ଶ୍ରେଣୀ ଗୃହ କାନ୍ଥରେ ଯାହା ମୋତେ ସେହିଁ ସମୟରେ ସାରସ୍ବତ ସାଧନାର ବ୍ରତୀ ହେବା ପାଇଁ ଉତ୍ସାହିତ କରିଥିଲା | ସେ ଦିନରୁ ଆରମ୍ଭ ହେଇ , ଯାହା ଆଜିଯାଏଁ ଚାଲିଛି |

ପ୍ରଶ୍ନ-୪ କେଉଁ କ୍ଷେତ୍ରରେ ଲେଖନୀ ଚାଳନା କରିବା ପାଇଁ ଆପଣ ଅଧିକ ପସନ୍ଦ କରନ୍ତି?ଗଳ୍ପ ନା କବିତା?ଏବଂ କାହିଁକି?

ଉତ୍ତର:-କବିତା ଲେଖିବାକୁ ମୁଁ ପସନ୍ଦ କରେ | ରୋଗ , ଶୋକ , ଦୁଃଖ, ସମସ୍ୟାବହୁଳ ଜୀବନ ମୋର ତଥା ମୋ ଆଖ ପାଖରେ ଥିବା ମଣିଷଙ୍କ , ପାରିପାର୍ଶ୍ବକ ଘଟଣା ସବୁ ସମୟ ଅସମୟରେ ମୋତେ ଜର୍ଜରିତ କରେ ମୋ ହୃଦୟକୁ ବିଚଳିତ କରେ ସେହି ସମୟରେ କଲମ ଧରି ଲେଖିଲେ ମନ ହାଲକା ଲାଗେ |

ପ୍ରଶ୍ନ:-୫ ଉମରକୋଟ ବିଷୟରେ କିଛି କହିବେ?

ଉତ୍ତର:-ମୁଁ ଉମରକୋଟର ଝିଅ , ଏହି ମାଟିରେ ଜନ୍ମ ମୋର , ଏହି ମାଟିରେ ବଢିଛି , ସପ୍ନ ବି ଦେଖିଛି ତେବେ ମୋତେ କାଳେ ପର କରି ଦେବ ଡ଼ର ଲାଗେ | ମା ପ୍ରେଣ୍ଡଣୀଙ୍କୁ ମୋର ପ୍ରାର୍ଥନା ସେ ମୋତେ ଏ ମାଟିରେ ସବୁ ଦିନ ପାଇଁ ରଖନ୍ତୁ | ମାଙ୍କ ଆଶିଷରେ ଉମରକୋଟରେ ଅନେକ ସାହିତ୍ୟିକ ଜନ୍ମ ହେଇଛନ୍ତି ଯେଉଁମାନେ ମୋର ପ୍ରେରଣା | ଏହି ମାଟିରେ ଗଢି ଉଠିଛି ଦାସିଆ ସାଂସ୍କୃତିକ ପରିଷଦ , ଭାରତୀକଳା ନିକେତନ , ଫକୀର ମୋହନ ପଠନଶାଳା ଏବଂ ପ୍ରକାଶ ପାଉଛି ପ୍ରେରଣା , ଚନ୍ଦନଧାରା , ସାରସ୍ବତ ନାମକ ପତ୍ରିକା ଯାହା ଏ ମାଟିର ପରିଚୟ ଓ ଗର୍ବ |

ପ୍ରଶ୍ନ:-୬ ସୁସ୍ଥ ସମାଜ ଗଠନରେ ସାହିତ୍ୟର ଭୂମିକାକୁ ନେଇ ଆପଣ କ’ଣ ଭାବନ୍ତି?

ଉତ୍ତର:-ସୁସ୍ଥ ସମାଜ ଗଠନ ନିମନ୍ତେ ପ୍ରଥମେ ସମସ୍ତଙ୍କ ମନରେ ସତ୍ ଭାବନା ପ୍ରତିଷ୍ଠା ହେବା ଦରକାର ଯାହା ସାହିତ୍ଯ ପଠନ ଦ୍ବାରା ସମ୍ଭବ ଅଟେ | ତେଣୁ ସାହିତ୍ଯର ଭୂମିକା ସର୍ବଶ୍ରେଷ୍ଠ ଅଟେ |

ପ୍ରଶ୍ନ:୭କେଉଁ ସାହିତ୍ୟିକ ଆପଣଙ୍କୁ ଭଲ ଲାଗନ୍ତି?

ଉତ୍ତର:-ମୋତେ ପୂର୍ବଜ ସାହିତ୍ୟକ ମାନଙ୍କ ମଧ୍ୟରେ ପ୍ରକୃତି କବି ଗଙ୍ଗାଧର ମେହେର ଏବଂ ବର୍ତ୍ତମାନ ସମୟର ଗାଳ୍ପିକ ମୋନଜ ଦାସ ଅଧିକ ଭଲ ଲାଗନ୍ତି |

ପ୍ରଶ୍ନ:-୮ ସାମ୍ପ୍ରତିକ ପରିସ୍ଥିତିରେ ଓଡିଆ ସାହିତ୍ୟର ସ୍ଥିତି କିପରି ?

ଉତ୍ତର:-ଓଡ଼ିଆ ସାହିତ୍ୟର ସ୍ଥିତି କଥା କ ଣ କହିବି ମାଳ ମାଳ କବି ଗାଳ୍ପିକ ସାହିତ୍ୟିକ , ସସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି , ଲେଖାର ଭିଡ , ବହୁତ କବିତା ଗଳ୍ପ ସଂକଳନ ପ୍ରକାଶ କରୁଛୁ ଅଥଚ ଆମ ଘରର ଛୋଟ ପିଲାମାନେ ଓଡ଼ିଆ ସାହିତ୍ୟରୁ ବହୁ ଦୂରରେ , ଆମେ ହିଁ ତାଙ୍କୁ ଇଂରାଜୀ ଭାଷା ସଫଳତାର ଏକ ମାତ୍ର ମାଧ୍ୟମ ବୋଲି କହୁ ତେଣୁ ଶିଶୁଟେ ଆଜି ଶିଶୁ କବିତାଟେ ଆବୃତ୍ତି କରିବାରେ ବିଫଳ | ସମସ୍ତଙ୍କ ଇଂରାଜୀ ମୋହରେ ଅସହାୟତାର ଶିକାର ଓଡ଼ିଆ ସାହିତ୍ୟ , ଆମେ କିନ୍ତୁ ଇଂରାଜୀ କଥା କହି ଗର୍ବ ଅନୁଭବ କରୁ | ଓଡ଼ିଆ ସାହିତ୍ୟର ସ୍ଥିତି “ନା କହି ହେବ ନା ସହି ହେବ” |

ପ୍ରଶ୍ନ:-୯ ଓଡିଆ ସାହିତ୍ୟକୁ ନେଇ ଆପଣ କ’ଣ ସ୍ବପ୍ନ ଦେଖନ୍ତି ?

ଉତ୍ତର:-ଓଡ଼ିଆ ସାହିତ୍ୟକୁ ନେଇଁ ମୋର ପ୍ରଥମ ସପ୍ନ ଓଡ଼ିଆ ଶିଶୁ ସାହିତ୍ୟକୁ ପ୍ରତ୍ୟକ ଶିଶୁଙ୍କ ନିକଟରେ ପହଞ୍ଚାଇବା | ଏଥି ନିମନ୍ତେ ମୁଁ ଚେଷ୍ଟା କରୁଛି , ମୋ ୟୁଟୁବ୍ ଚ୍ୟାନେଲ ରାଧା ରାଣୀ ଉମରକୋଟ ମାଧ୍ୟମରେ , ତେବେ ଆପଣମାନଙ୍କ ସହଯୋଗ କାମନା କରେ |

ପ୍ରଶ୍ନ-୧୦ ପାଠକ/ପାଠିକା ମାନଙ୍କୁ ନିଜ ବିଷୟରେ କ’ଣ କହିବେ ?

ଉତ୍ତର:- ମୁଁ ମଧ୍ଯ ଆପଣମାନଙ୍କ ପରି ପାଠିକା , ତେବେ ଚାଲନ୍ତୁ ଆମେ ଢେର ପଢିବା ଓଡ଼ିଆ ସାହିତ୍ଯ, କହିବା ଓଡ଼ିଆ ଏବଂ ନିଜକୁ ଓଡ଼ିଆ କହି ଗର୍ବ କରିବା |

ପ୍ରସ୍ତୁତି : ତପନ କୁମାର ସାହୁ, ଆଞ୍ଚଳିକ କ୍ଷେତ୍ର ସଂଯୋଜକ, ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ, ଭଦ୍ରକ ଶାଖା

 

Leave a Reply

Your email address will not be published. Required fields are marked *