➖ସନ୍ତାନ ପ୍ରତି➖
🖌️🖌️🖌️🖌️🖌️
ଟିକି ଟିକି ତୋର ଦୁଷ୍ଟାମି ଦେଖିଲେ
ଲାଗେ ମତେ ଭାରି ଖୁସି।
ମିଛେ ମିଛେ ମୁହିଁ ରାଗୁଥାଏ ସିନା
ମନେ ମନେ ଦିଏ ହସି।।
ତୋ ରାଗଋଷା ମାନ ଅଭିମାନ
ମତେ ଭାରି ଭଲ ଲାଗେ।
ତୋ ଜଞ୍ଜାଳେ ସଦା ହେଉଥିବି ଘାରି
ବିଭୁଙ୍କୁ ଆଶିଷ ମାଗେ।।
ତୁ ପାଶେ ନଥିଲେ ସାରା ସଂସାରଟା
ଲାଗେ ମତେ ଖାଲି ଖାଲି।
ତୁ ମୋ ଗେହ୍ଲାଧନ ରଙ୍କୁଣିରତନ
ତୁ ମୋ ହୃଦ ସଙ୍ଖାଳି।।
ଠାକୁରଙ୍କୁ ମୁହିଁ ଡାକୁଥାଏ ସଦା
ତୋର ସର୍ବ ଶୁଭ ପାଇଁ।
ରୋଗ, ଦୁଃଖ ଶୋକ ବିପଦ କଷଣ
ତୋଠାରୁ ଯାଉ ଦୂରେଇ।।
ଅପଥକୁ କେବେ ଯିବୁ ନାହିଁ ତୁହି
ସତ୍ ପଥରେ ଚଳିବୁ।
ସୁପଥରେ ରହି ଧନ ମାନ ଯଶ
ତୁହି ଅର୍ଜନ କରିବୁ।।
କୋଟିକ ମଧ୍ୟରେ ଗୋଟିଏ ତୁ ହେବୁ
ତାରା ମଧ୍ୟେ ହେବୁ ଜହ୍ନ।
ଏ ଧରା ବୁକେ ଝଲସିବ ସଦା ତୋ
କୀର୍ତ୍ତି ଚିର ଅମଳିନ।।
ଏ ସଂସାର ପଥ ଅତୀବ ବନ୍ଧୁର
ବେଶି କଣ୍ଟା ଅଳ୍ପ ଫୁଲ।
କଣ୍ଟା ଫୁଟିଗଲେ ଅଧୀର ନହୋଇ
କରିବୁ ତା ଉପଚାର।।
ଦେଶ ଦଶର ତୁ ମଙ୍ଗଳ କରିବୁ
ନ୍ୟାୟ ପଥେ ଥିବୁ ରହି।
ନିନ୍ଦା ଅପବାଦ ଅପକୀର୍ତ୍ତି ଆଦି
ମାଡିବନି ତୋର ଛାଇ।।
ମନଲାଖି ପ୍ରାଣପ୍ରିୟା ବରିନେବୁ
ଉତ୍ତମ ଚରିତ୍ର ଥିବ।
ଭରାପୁରା ତୋ ସଂସାର ଦେଖିଲେ
ମନେ ମୋ ଶାନ୍ତି ଆସିବ।।
ଜାଣିଛି ଏମିତି ସମୟ ଆସିବ
ଏହି ଜୀବନରେ ମୋର।
ମୋ ବାପାବୋଉଙ୍କୁ ତୋ ଭିତରେ ପାଇ
ଦୁଃଖ ଭୁଲିବି ସତ୍ତ୍ୱର।।
ବାପାବୋଉ ପରି ବୁଝିବୁ ମୋ କଥା
ହେଳା ତୁ କରିବୁ ନାହିଁ।
କୁନିଝିଅ ପରି ଅଳି ମୁଁ କରିବି
ମୋ ଅଳି ରଖିବୁ ତୁହି।।
ଅନ୍ତିମ ସମୟେ ନିର୍ମାଲ୍ୟ ସହିତ
ଗଙ୍ଗା ଜଳ ଟୋପେ ଦବୁ।
କାନ୍ଥେ ଥିବ ରହି ଠାକୁରଙ୍କ ଫଟୋ
ଆଖି ଆଗେ ତୁହି ଥିବୁ।।
ମଥାପରେ ଥିବ ତୋ ବାପାଙ୍କ ହାତ
ପରିଜନ ଥିବେ ରହି।
ଶାନ୍ତି ସନ୍ତୋଷରେ ବୁଜିଦେବି ଆଖି
ଆଉକିଛି ଲୋଡା ନାହିଁ।।
🖌️🖌️🖌️🖌️🖌️🖌️🖌️
ମମତା ଶତପଥୀ
କେନ୍ଦ୍ରାପଡା