ସନ୍ତାନର ଖେଦୋକ୍ତି
କହିବକ ମୋତେ କହିବକି
ମାଆ ମୋର କାହିଁ ଗଲା ଚାଲି
କେଉଁଠି ହଜିଲା କିଏ ଚୋରିକଲା
ତା’ ଚନ୍ଦ୍ରବଦନ ହଂସ ଚାଲି ।
କହିବକି…..
ଶୀତୁଆ ଶୀତୁଆ ସଂଜୁଆ ବେଳାରେ
ଘୁମାଇଥିଲି ତା’ ପଣତ ଉଢାଳେ
ଠେଲି ଦେଇଗଲା,ପେଲି ଦେଇଗଲା
ଚଞ୍ଚଳ ଫେରିବ ,କଥା ଦେଇଥିଲା
ଗୋଡ ଅବା ତା’ର ଟାଣି ନେଇଗଲା
ସାତତାଳ ପଙ୍କ ଚୋରାବାଲି ।
କହିବକି…..
କିଏ ସେ ଗାଇବ ନାନାବାୟା ଗୀତ
ପିଠି ଥାପୁଡାଇ ଖୁଆଇବ ଭାତ
ଜହ୍ନମାମୁ ହାତେ ତୋଳି ଆଣିଦେବ
ଦେହରୁ ମୋହର ଧୂଳି ଝାଡିଦେବ
ମମତାର ନଈ ଶୁଖିଗଲା କି ତା’
ଆମକୁ ସହଜେ ଗଲା ଭୁଲି ।
କହିବକି……
ଖରାରୁ ଡାକି କେ ଛାଇକୁ ଆଣିବ
ପଣତ ଘୋଡେ଼ଇ ମୋ ମୁଣ୍ଡ ଢାଙ୍କିବ
ନିତି ନୂଆନୂଆ ଗପ କହିଦେବ
ମୁଣ୍ଡକୁ ଆଉଁଶି ଶୁଆଇ ଯେ ଦେବ
ଖୋଜି ଆଣିଦିଅ ,କିଏ ସେ ଜାଣିଛ
ଠିକଣା ଯାଇଛି ଅବା ଭୁଲି ।
କହିବକି…..
ଏ ପ୍ରଶ୍ନ ସମ୍ଭାର ଶୁଣି ନିରୁତ୍ତର
ଅବୋଧ ବାଳର କୋମଳ ପ୍ରାଣର
ବ୍ୟଥା ବେଦନାର ଶତ ଧୂପ ତଳେ
କୁହୁଳେ ନିଗାଡି ଆଖିଲୁହ ଧାରେ
ଧିକ୍ ତାହାର ମାତାପଣିଆକୁ ,
କୁହୁକିନୀ ସାଜି ହଜିଛି କେଉଁଠି
ମନର ପିପାସା ତରୁ ମେଲି ।
କହିବକି….
ଜ୍ୟୋତ୍ସ୍ନା ରାଣୀ ଦେବୀ
ବ୍ରହ୍ମପୁର, ଗଂଜାମ