ସେହି ମୋ ଭାରତ ଭୂଇଁ
ସେହି ମୋ ଭାରତ ଭୂଇଁ
ହିମାଳୟ ଯା’ର ରକ୍ଷା କରୁଛି ଶିର ମୁକୁଟ ହୋଇ । (ଘୋଷା)
ବିନ୍ଧ୍ୟଗିରି ଯା’ର କଟି ମେଖଳା ସାଗର ଯା’ ପାଦ ଛୁଇଁ,
ନିତି ଧୋଉଥାଏ ଚରଣ ଯାହାର ସେହି ଭାରତ ଭୂଇଁ ।
ଶସ୍ୟ ଶ୍ୟାମଳା, ଗିରିବନ ଘେରା ତା’ପରି ଅଛି କେ କାହିଁ,
ସେହି ମୋ ଭାରତ ଭୂଇଁ…..
ଗଙ୍ଗା ଯାହାର ନିତି ସେବା କରେ ତା’ ଦେହରେ ଯାଏ ବହି,
ବିହଙ୍ଗମେ ଯା’ର ସ୍ୱାଗତ କରନ୍ତି ପ୍ରଭାତ ବନ୍ଦନା ଗାଇ ।
ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିଆନ ଯେଉଁଠି କି ଭାଇ ଭାଇ,
ସେହି ମୋ ଭାରତ ଭୂଇଁ……
ପ୍ରକୃତି ଯାହାର ଅତି ମନୋରମ ଶୋଭାର ଭଣ୍ଡାରେ ଭରା,
ରତନ ଗର୍ଭା ସେ ମୋ ପାଇଁ ବନ୍ଦିତା ଅଟେ ଚିର ଅପାଶୋରା ।
ତା’ର ଫୁଲ, ଫଳ, ପାଣି, ପବନରେ ବଡ଼ ଆଜି ଅଛି ହୋଇ,
ସେହି ମୋ ଭାରତ ଭୂଇଁ…..
ତା’ର ମାଟି ଅଟେ ମୋ ପାଇଁ ଚନ୍ଦନ ପାଣି ଅମୃତ ମୋ ପାଇଁ,
ତା’ କୋଳେ ଜନମି ତା’ର କୋଳେ ବଢ଼ି ଧନ୍ୟ ହୋଇଛି ମୁହିଁ ।
ମାଆ ମାଟି ମୋର ସବୁଠୁ ସୁନ୍ଦର ତାହା ପରି କିଏ କାହିଁ ?
ସେହି ମୋ ଭାରତ ଭୂଇଁ….
ପ୍ରିୟମ୍ବଦା ରାଉତ
କୁଡୁମୁଲୁଗୁମ୍ମା, ମାଲକାନଗିରି