ଶାନ୍ତି – ବିଶ୍ଵର ସ୍ପନ୍ଦନ
ଏମିତି ବି ଦିନ ଆସେ ସବୁ କିଛି ଚୂର୍ଣ୍ଣ,
ଶାନ୍ତି ଲୋଡ଼େ ଫେରେ ନାହିଁ ଅଜ୍ଞାନରେ ପୂର୍ଣ୍ଣ ।
ଅଚାନକ ଆସେ ଆଶା ପ୍ରତିଶ୍ରୁତି ନେଇ,
ଘମାଘୋଟ ଯୁଦ୍ଧ ସ୍ୱର ଛାଡ଼ିଯାଏ ଧୋଇ ।
ଚାରିଆଡ଼େ ଦୃଷ୍ଟିମୟ ରକ୍ତମୟ ଛିଟା,
ଖେଳିଯାଏ ହାହାକାର ଭୂମି ହୁଏ ଫଟା ।
ଏମିତି ବି ଦିନ ଆସେ କେତେ ସୁବିଚାର,
ଯନ୍ତ୍ରଣାଟି କଲବଲ ହୁଏ ନିର୍ବିକାର ।
କାହା ପାଇଁ କିଏ ଅଛି କିଏ ଅବା ଆର୍ଯ୍ୟ,
ମଣିଷଟି ଲୀନ ଥାଇ କି ହେବ ସେ କାର୍ଯ୍ୟ ।
କୁଢ଼ କୁଢ଼ ସାଲୁବାଲୁ କ୍ରନ୍ଦନର ଧ୍ୱନି,
ରାଜ ରାସ୍ତା ଭୂମିକ୍ଷେତ୍ର ନିଶବ୍ଦ ଅବନୀ ।
ହୁଏ ଜନପଥ ଶୂନ୍ୟ ନୀରବ ନିଶ୍ଚଳ,
ହୃଦୟଟି ଶାନ୍ତି ଚାହେଁ ଫେରିବା ସହଳ ।
ଖୋଜେ ସତ୍ୟ ଶାନ୍ତିମୟ ଅହିଂସାର ସ୍ଥାନ,
ଏମିତି ବି ଦିନ ଆସେ ବିଶ୍ୱର ସ୍ପନ୍ଦନ ।
ସଂସାରଟା ଖାଲି ତୁଚ୍ଛ ଶାନ୍ତି ଅଭିଯାନ,
ବର୍ଷ ବର୍ଷ ଶିକ୍ଷା ଲାଭ ହୋଇଲା ଅଜ୍ଞାନ ।
ଚାଲ ଏବେ ହାତ ଧରି ଶାନ୍ତିର ପ୍ରୟାସ,
ଯୁଦ୍ଧ ନୁହେଁ ଶାନ୍ତିମୟ ବିଶ୍ବର ବିଶ୍ଵାସ ।
କୁସୁମ କୁମାରୀ ପଣ୍ଡା
ବ୍ରହ୍ମପୁର,ଗଞ୍ଜାମ