*ଅକୁହା ବେଦନା*
ପ୍ରମିଉମିତା ଜାନା
ନିକୁଞ୍ଜ ବନରେ ଏବେ ବି ରାଧିକା
ବସୁଛ କି ମୋତେ ଭାଳି,
ବଂଶୀବାଦନ ଯେ ଯମୁନା କୂଳେ
ଶୁଭୁ ନଥିବ ଆଜି।
ଦିବାନିଶି ଭେଟେ ତୁମକୁ ସପନେ
କାହିଁ ଅବା ଦୂରେ ଯାଅ ସରି,
ତବ ପୀରତି ମୋ ଅଂଗେ ଲଗାଇ
ବିରହ ଜ୍ୱାଳା ଏବେ ସହିଲି।
ପାଷାଣ ପ୍ରାୟେ ହୋଇଲ କି ତୁମେ
ବାନ୍ଧି ନରଖିଲ କାହିଁକି,
ଲୋତକ ଭିଜାଇ କହିଲ ଗୋ ରାଧେ
ନୀରବତାର ଶବଦ ବାଣୀ।
ଲାଜୁଆ ମୁଖର ବଚନ ତୁମର
ବଢାଏ ଦେହେ ଉଚ୍ଚାଟନା,
ଶୁଣିବି କି ଆଉ ପ୍ରେମର ପରିଭାଷା
ଦିଅ ରାଧା ମୋତେ ସାନ୍ତ୍ଵନା।
ସେଦିନ ତୁମେ ଅଧର କଂପାଇ
ଶୁଣାଇଥିଲ ତୁମ ବେଦନା,
କହିଲ ପ୍ରଭୁ! ଯାତ୍ରା ତୁମ୍ଭ ହେଉ ଶୁଭ
ଶୁଭ ବାର୍ତ୍ତା ନେଇ କର ଗୋ ଗମନ ମଥୁରା।
ତୁମେ ଲୋ ତରୁଣୀ ଯନ୍ତ୍ରଣା ସହଇ
କିଂପାଇ ଲୋଡୁଛ ଶଠତା,
ଭୁଲିଲ କି ସଖି ସ୍ମୃତି ଆମର
ଜାଣିଛି କରୁଛ ତୁମେ ବାହାନା।
ଗୋପପୁର ଦାଣ୍ଡ ଧୂଳି ଧୂସରକୁ
ଆଉ କି ପାରିବି ମାଖି,
ଗୋପବାସୀ ଗଣ ଦେଲେଣି ଗଂଜଣା
ଦେଖାଇବି ମୁଖ କେମିତି।
କେତେ ଯେ ବରଷ ବସନ୍ତ ପବନ
ଗଗନରୁ ବିଦାୟ ନେଲାଣି,
ମୁହିଁ ଯେ ଅଭାଗା ତୁମକୁ ଝୁରୁଛି
ତୁମେ କି ନ ପାରିବ ବୁଝି।
ପ୍ରାଣପ୍ରୀୟା ରାଧେ ତୁମ ନାମକୁ ରଟି
ଏ କୃଷ୍ଣର ଯିବ ପରାଣ,
ରୁଦ୍ଧିତ ହେଲାଣି ସ୍ପନ୍ଦନ ମୋହର
ଛାଡ଼ିବି ବୋଧେ ମର୍ତ୍ତ୍ୟଧାମ ।
ତୁମ୍ଭ ବିନା ମୋର ନାହିଁ ଆନ ଗତି
କିପରି ଧରିବି ଜୀବନ ଗୋ,
ବୃନ୍ଦାବନରୁ ପାଦ କାଢି଼ଲି ଯେବେଠୁ
ମୃତ୍ୟୁକୁ ଲଭିଛି ସେଦିନ ଗୋ।
ପୁରୀ, ଓଡିଶା
ଖୁବ୍ ସୁନ୍ଦର। ଅନୁଭବୀ କବିତା ଏବଂ ଆବୃତ୍ତି
ଅନେକ ଅନେକ ଶୁଭେଚ୍ଛା
ଖୁବ୍ ସୁନ୍ଦର
ବହୁତ ସୁନ୍ଦର ଦିଦି ♥️♥️♥️
ଅତି ସୁନ୍ଦର ମାମ୍