April 26, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

Lets talk with a most talented Poetess, “Santosini Ojha” hails from Puri, district of Odisha for SLF Literary Youth Icon Award contest-. 2023

Lets talk with a most talented Poetess, “Santosini Ojha” hails from Puri, district of Odisha for SLF Literary Youth Icon Award contest-. 2023

*ସୂର୍ଯ୍ୟୋଦୟ ନବ ପ୍ରତିଭା ନବ ସ୍ବାକ୍ଷର-୨୦୨୩*
ପର୍ଯ୍ୟାୟ- ପ୍ରଥମ
ପର୍ଯ୍ୟାୟର ନାମ- ଲିଖିତ ସାକ୍ଷାତକାର

ନାମ – ସନ୍ତୋଷିନୀ ଓଝା
ପିତାଙ୍କ ନାମ- ନୀଳମଣି ଓଝା
ମାତାଙ୍କ ନାମ- ସ୍ବପ୍ନାରାଣୀ ଓଝା
ଜନ୍ମ ତାରିଖ– ୦୧/୦୬/୧୯୯୬
ଘର ଠିକଣା-ଅସ୍ତରଙ୍ଗ
ଜିଲ୍ଲା-ପୁରୀ
ଶିକ୍ଷାଗତ ଯୋଗ୍ୟତା- ସ୍ନାତକୋତ୍ତର (ଓଡ଼ିଆ)
ଇ-ମେଇଲ୍ ଠିକଣା[email protected]
ମୁଖପୁସ୍ତିକା /Facebook ଠିକଣା::

https://www.facebook.com/santosini.ojha.1?mibextid=ZbWKwL

ସ୍ନେହର ସନ୍ତୋଷିନୀ!
ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ ପକ୍ଷରୁ ସସ୍ନେହ ଅଭିନନ୍ଦନ ଜାଣିବ।

1-ଆପଣଙ୍କ ଜୀବନରେ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ କେବେ ଆଉ କିପରି ହେଲା ? କେଉଁ ବୟସରେ ଆପଣ “ସାହିତ୍ୟ” ଭାବରେ ବାନ୍ଧି ହୋଇଗଲେ ଆଉ ଗୋଟେ ରଚନାତ୍ମକ ସାରସ୍ବତୀୟ ଜୀବନ ବଞ୍ଚିଲେ ?
ସର୍ବପ୍ରଥମେ ସମସ୍ତଙ୍କୁ ମୋର ପ୍ରଣାମ।🙏🏼ପ୍ରତିଯୋଗୀ ବନ୍ଧୁମାନଙ୍କୁ ହୃଦୟରୁ ଶୁଭେଚ୍ଛା।

ଉ:ଚତୁର୍ଥ ଓ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ମୁଁ ରଫ୍ ଖାତାର ଶେଷ ପୃଷ୍ଠାରେ ଜଗନ୍ନାଥଙ୍କୁ ନେଇ ଛୋଟ ଛୋଟ ଗୀତ ଲେଖେ ଓ ଏକା ଏକା ପଢେ। କିନ୍ତୁ ସେତେବେଳେ ସେଇଟା ସାହିତ୍ୟ ସର୍ଜନାର ଏକ ସ୍ତର ବୋଲି ମୁଁ ଅନଭିଜ୍ଞ ଥିଲି।ଦଶମରେ ପଢ଼ିବା ସମୟରେ ମୁଁ ପ୍ରଥମଥର ପାଇଁ ‘ଈଶ୍ୱରଙ୍କ ପାଇଁ ଫୁଲଟିଏ’ ଏହିଭଳି କିଛି କବିତା ବୋଧହୁଏ ଲେଖିଥିଲି। ସେଇ କବିତାଟି ସେତେବେଳେ ମୋତେ ଭାରି ଭଲ ଲାଗିଥିଲା।ବିଧିବଦ୍ଧ ଭାବେ +୩ ଅଧ୍ୟୟନ ସମୟରେ ସାହିତ୍ୟକୁ ନେଇ ମୋର ଯାତ୍ରା ଆରମ୍ଭ ହୋଇଥିଲା। ଓଡ଼ିଆ ସ୍ନାତକ ରଖି ମୁଁ ମଙ୍ଗଳା ମହାବିଦ୍ୟାଳୟରେ ପଢ଼ିବା ସମୟରେ,ଏହିଠାରୁ ହିଁ ମୋର ସର୍ଜନା ଶକ୍ତିରେ ଶ୍ରୀବୃଦ୍ଧି ହୋଇଥିଲା। କବିତା, ଗଳ୍ପ, ପ୍ରବନ୍ଧ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜକୁ କୃତକାର୍ଯ୍ୟ ହେବାର ଦେଖି ମନରେ ଏକ ଅଦ୍ଭୁତ ଆନନ୍ଦ ଶିହରି ଉଠିଥିଲା ମୋର।ଏହା ପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ମୋର ସର୍ଜିତ କୃତିଗୁଡିକର ଭାଷା ଓ ଶୈଳୀରେ ପରିବର୍ତ୍ତନ ଘଟିଥିଲା। ଏହାର ଏକମାତ୍ର ପ୍ରେରଣାର ଶ୍ରେୟ ମୋର ଅନୁଭୂତି। ଏହିଠାରେ ହିଁ ୨୧ ବର୍ଷ ବୟସରେ ମୁଁ ସାହିତ୍ୟର ଭାବରେ ବାନ୍ଧିହୋଇ ଯାଇଥିଲି।ଏପରି ଗୋଟେ ଦିନ ବାକି ନଥିଲା ଯେ’ ମୋ ଖାତାର କାଗଜ ଆଉ କଲମ ପରସ୍ପର ଠାରୁ ବିରତି ନେବେ।ଧିରେ ଧିରେ ‘YourQuote’, ‘facebook’ ଭଳି ସୋସିଆଲ ମିଡ଼ିଆରେ ଜଡ଼ିତ ହେବା ଦ୍ବାରା ବର୍ତ୍ତମାନ ମୁଁ ଗୋଟେ ସାରସ୍ଵତୀୟ ଜୀବନ ଆଡ଼କୁ ଅଗ୍ରସର କରୁଛି ବୋଲି ଭାବୁଛି।

2-ଆପଣ କିପରି ଭାବେ ସାରସ୍ୱତ ସାଧନା ସହ ପାଠପଢ଼ା ତଥା ସାମାଜିକ ଜୀବନର ସର୍ବସମତା ରକ୍ଷା କରନ୍ତି ?
ଉ:ପ୍ରଥମରୁ ମୁଁ କହି ରଖିଛି ଯେ’ ମୁଁ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ସହିତ ଜଡ଼ିତ।ମୋର ଶାଖା-ପ୍ରଶାଖା ଡାଳ-ପତ୍ର ସବୁ ଯାହା ଆପଣ ଦେଖୁଛନ୍ତି ତାର ମୂଳ ହେଉଛି ସାହିତ୍ୟର ମାଟି। ଯେଉଁଠି ମୋର ଚେର ଆଉ ମୂଳକୁ ମୁଁ ଆହୁରି ଗଭୀରକୁ ପୁରେଇବାରେ ଲାଗିଛି। ତେଣୁ ସାରସ୍ଵତ ସାଧନାକୁ ହିଁ ମୁଁ ପାଠ ବୋଲି ଭାବେ।ଦୁଇଟି ଯାକ ମୋ ପାଇଁ ସମାନ।ଆଉ ବାକି ରହିଲା ସାମାଜିକ ଜୀବନ; ସାମାଜିକ ଜୀବନ ଓ ସମ୍ପର୍କ ନଥିଲେ ଅନେକ ସମୟରେ ସାହିତ୍ୟ ସର୍ଜନା ଅସଫଳ ମନେହୁଏ। ଇଂରାଜୀ ସାହିତ୍ୟିକ ମ୍ୟାଥୁ ଆନଲୋଡଙ୍କ ମତରେ,” literature is the mirror of society.” ଅର୍ଥାତ୍ ସାହିତ୍ୟ ହେଉଛି ସମାଜର ଦର୍ପଣ ସଦୃଶ୍ୟ। ସମାଜରେ ଯାହା ଘଟେ, ତାହା ସାହିତ୍ୟରେ ପ୍ରତିଫଳିତ ହୁଏ। ତେଣୁ ସାହିତ୍ୟ ସର୍ଜନାରେ ସାମାଜିକ ସମ୍ପର୍କ ମୋ ମତରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ମୋଟାମୋଟି ଭାବରେ ମୋ ଜୀବନରେ ସାରସ୍ଵତ ସାଧନା, ପାଠପଢ଼ା ଏବଂ ସାମାଜିକ ସମ୍ପର୍କ ଗଙ୍ଗା-ଯମୁନା-ସରସ୍ବତୀର ତ୍ରିବେଣୀ ସଙ୍ଗମ ବୋଲି ମୁଁ ଭାବେ।
3-ସାହିତ୍ୟ ସାଧନାରେ ବ୍ରତୀ ହେବା ଦିଗରେ ଆପଣଙ୍କ ପରିବାରର ଭୂମିକା ବା ପ୍ରଭାବ କିଛି ରହିଛି କି ? ଯଦି ଅଛି ତାହା କିପରି ?
ଉ:ଅବଶ୍ୟ ସେମାନଙ୍କ ପ୍ରେରଣା ନାହିଁ କିନ୍ତୁ ମୋ ଉପରେ ସେମାନଙ୍କ ପ୍ରଭାବ ରହିଛି । ତାଙ୍କୁ ଦେଖିପାରେ ବୋଲି ମୁଁ ଲେଖିପାରେ । ମୁଁ ପ୍ରତିଯୋଗିତାରେ ଜିତି କପ୍ ଏବଂ ପ୍ରମାଣପତ୍ର ଆଣିଲେ ଘରେ ସମସ୍ତେ ଖୁସି ହୁଅନ୍ତି। ତାଙ୍କର ସେଇ ଖୁସିକୁ ହିଁ ପ୍ରେରଣା ଭାବି ମୁଁ ପ୍ରଭାବିତ ହୁଏ।

4-କେଉଁ ମହାନ ସାହିତ୍ୟିକଙ୍କ ସାହିତ୍ୟ ତଥା ତାଙ୍କର କାବ୍ୟିକ ଶୈଳୀ ତଥା ଦର୍ଶନ ଆପଣଙ୍କୁ ଆଜି ଯାଏଁ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ ଲେଖକ କିଏ ଅଟନ୍ତି ? ତାଙ୍କ ବିଷୟରେ ସମ୍ୟକ ଆଲୋଚନା ରଖିବାକୁ ଅନୁରୋଧ।
ଉ: ବହୁତ ମହାନ ସାହିତ୍ୟିକ ଅଛନ୍ତି, କିନ୍ତୁ ମୁଁ ‘ଅମାବାସ୍ୟାର ଚନ୍ଦ୍ର’ ଉପନ୍ୟାସର ଲେଖକ ବାରିଷ୍ଟର ଗୋବିନ୍ଦଚନ୍ଦ୍ର ଦାସଙ୍କ ନାମ ଉଲ୍ଲେଖ କରିବି। ତାଙ୍କର ଏହି ଉପନ୍ୟାସଟି ମୋତେ ବହୁତ ପ୍ରଭାବିତ ଓ ଉତ୍ସାହିତ କରିଛି। କାରଣ ‘କାଉଲ’ ଚରିତ୍ର ମାଧ୍ୟମରେ ଔପନ୍ୟାସିକ ଏକ ନିଚ୍ଛକ ସତ ପ୍ରକାଶ କରିଛନ୍ତି ଯେ’ ସବୁ ମଣିଷ ମଧ୍ୟରେ ଭଲ ଗୁଣ ଓ ଖରାପ ଗୁଣ ଥାଏ, କିନ୍ତୁ ଆମକୁ ଯେଉଁଟା ଖରାପ ଦିଶୁଛି ତା ଭିତରେ ବି ଭଲଟା ଲୁଚିକରି ଅଛି ଏବଂ ଭଲଟାକୁ ବାହାର କରିବାର ଗୁଣ ମୁଁ ତାଙ୍କ ଶୈଳୀରେ ଦେଖିଛି| ଔପନ୍ୟାସିକ ଗୋବିନ୍ଦ ଦାସ ମୋର ଆଦର୍ଶମାନଙ୍କ ଧାଡିର ଆଗରେ ।

5-ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ,ପ୍ରବନ୍ଧ, ଉପନ୍ୟାସ ନା ଗଳ୍ପରେ ?
ଉ:ମୁଁ ନିଜକୁ ଅଧିକ କବିତାରେ ବ୍ୟକ୍ତ କରିଛି ।କାରଣ ବ୍ୟାଗ୍ ରେ ଥିବା ଚିରା କାଗଜ ରେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇଯାଇ ପାରେ ।

6-ଗଳ୍ପ/କବିତା ଗୁଡ଼ିକ ଲେଖିବାବେଳେ ସାଧାରଣତଃ ଆମକୁ କେଉଁ ପ୍ରକାର ଉପାୟ ଅବଲମ୍ବନ କରିବା ପାଇଁ ପଡେ?
ଉ:ମୁଖ୍ୟତଃ ନୂତନ କଥାବସ୍ତୁ ଟିଏ ଆବଶ୍ୟକ, ଏହା ବ୍ୟତୀତ ପରିବେଶ ବର୍ଣ୍ଣନାରେ ଚମତ୍କାରିତା,ଶବ୍ଦ ସଂଯୋଜନା ଏବଂ ବାକ୍ୟ ରଚନାରେ ସାବଧାନତା ଏବଂ ମୁଖ୍ୟ କଥା ସମାଜ କୁ କିଛି ଶୁଭଦାୟକ ବାର୍ତ୍ତା ରହିବା ନିହାତି ଜରୁରୀ ।ଯାହା ଦ୍ୱାରା ସାରସ୍ଵତ ସାଧନା ସଫଳ ହୋଇଥାଏ।
7-କବିତା ଓ ଗଳ୍ପ ମଧ୍ୟରେ ଆପଣ କେଉଁ ଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉ:କବିତା ପଦ୍ୟରେ ରଚିତ ଏବଂ କଳେବର କ୍ଷୁଦ୍ର। କିନ୍ତୁ ଗଳ୍ପ ଗଦ୍ୟରେ ରଚିତ ଏବଂ କବିତାର କଳେବର ଠାରୁ ଅଧିକ ବିସ୍ତୃତ।କିନ୍ତୁ କବିତା ମଧ୍ୟ ଗଳ୍ପ ଭଳି ଗୋଟିଏ କାହାଣୀକୁ ନିଜ ଗର୍ଭରେ ଧାରଣା କରି ରଖିବାର କ୍ଷମତା ରଖିଥାଏ। ଗଳ୍ପରେ ଯେଉଁଟା ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଥାଏ କବିତାର ଗୋଟିଏ ପଦରେ ତାହା ଲୁଚି ରହିଥାଏ। ଚତୁର ପାଠକ ତାହା ନିଜ ବୁଦ୍ଧିର କୌସଳରେ ବୁଝିବାରେ ସକ୍ଷମ ହୋଇଥାଏ।ଉଦାହରଣ ସ୍ୱରୂପ ସଚ୍ଚି ରାଉତରାୟଙ୍କ ‘ପ୍ରତିମା ନାୟକ’ କବିତାକୁ ନିଆଯାଇପାରେ। ଏଥିରେ ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ ସମାଜର ନାରୀମନସ୍ତତ୍ତ୍ୱରେ ପୂର୍ଣ୍ଣ ଏକ ପ୍ରତୀକାତ୍ମକ ଗଳ୍ପ ଲୁଚିରହିଛି।

8-ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ଆପଣ ଏ ସମ୍ପର୍କିତ କିଛି ପାର୍ଥକ୍ୟ ଅନୁଭବ କରନ୍ତି କି? ଆପଣଙ୍କୁ ଆପଣଙ୍କ କାବ୍ୟକବିତା ଆଉ ଗଳ୍ପର ଚରିତ୍ରମାନେ କିଭଳି ସମ୍ମୋହିତ କରନ୍ତି ?
ଉ:କବିର ମାନସ ସନ୍ତାନ ତଥା ସ୍ବତଃସ୍ପୁର୍ତ୍ତ ମନୋଜ୍ଞ ଅଭିବ୍ୟକ୍ତି ହେଉଛି କବିତା।ତା’ରି ଭିତରେ ପ୍ରକାଶ ପାଏ କବିର ମାନସିକତା। ଅନେକ ସାହିତ୍ୟିକ ମତବ୍ୟକ୍ତ କରନ୍ତି କି ଗଳ୍ପରେ ଚରିତ୍ର ଚିତ୍ରଣ କରିବା ଆଉ କବିତାରେ ଚରିତ୍ର ଚିତ୍ରଣ କରିବା ଭିତରେ ଅନେକ ଫରକ ରହିଛି। ବିଚାରବୋଧ, ପାଣ୍ଡିତ୍ୟ ଓ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ବେଳେ କବିର ଶବ୍ଦ ପାଣ୍ଡିତ୍ୟ କବିତାକୁ ଦୁର୍ବୋଧ୍ୟ କରେ।ଯାହା ସାଧାରଣ ଲୋକମାନେ ବୁଝିପାରନ୍ତି ନାହିଁ। ଫଳତଃ କବିତାର ଯଥାର୍ଥତା ମୂଲ୍ୟାୟନ ବାଧାପ୍ରାପ୍ତ ହୋଇଥାଏ। କିନ୍ତୁ ମାନବ ଜୀବନ ଜିଜ୍ଞାସାର ଏକ ବିଶିଷ୍ଟ ମୁହୁର୍ତ୍ତକୁ ଗାଳ୍ପିକ କ୍ଷୁଦ୍ର ଗଳ୍ପରେ ଅବତାରଣା କରିଛି।ତାର ଲକ୍ଷ୍ୟ ଥାଏ ସଂକ୍ଷିପ୍ତତା ମଧ୍ୟରେ ବିସ୍ତୃତିର ବିନ୍ଦୁ ଭିତରେ ସିନ୍ଧୁକୁ ଉପସ୍ଥାପନା କରିବା। ଗୋଟିଏ ଗୋଟିଏ ଗଳ୍ପ ଚରିତ୍ର ମାଧ୍ୟମରେ ସାମାଜିକ ଅଙ୍ଗୀକାର ବୋଧ ରାଜନୈତିକ ଛଦ୍ମତା ସାଂସ୍କୃତିକ ବିଡମ୍ବନା ତଥା ଆଧୁନିକ ମାନବର ବିଭଙ୍ଗତାକୁ ସର୍ବସମ୍ମୁଖରେ ପ୍ରକାଶ କରିବା।

ଏ ଦୃଷ୍ଟିରୁ କବିତାର ଚରିତ୍ର ଅପେକ୍ଷା ଗଳ୍ପର ଚରିତ୍ର ମନକୁ ଅତ୍ୟନ୍ତ ଆନ୍ଦୋଳିତ କରେ। ହୃଦୟରେ ଭରେ ପୁଲକ।

କବିତା ଓ ଗଳ୍ପ ରଚନା କରିବା ସମୟରେ ମୁଁ ନିଜେ ସେହି ଚରିତ୍ରରେ ଅବତରଣ କରେ। ଖଳନାୟକ ଚରିତ୍ରରେ ମୁଁ ନିଜକୁ ଖଳନାୟକରେ,ନାୟକ ଚରିତ୍ରରେ ନିଜକୁ ନାୟକ କରେ।ପ୍ରତି ଚରିତ୍ର ସ୍ଥାନରେ ମୁଁ ନିଜକୁ ଦେଖି ବିଭ୍ରାନ୍ତ ହୋଇପଡେ।
9-ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଅଧିକ ଚର୍ଚ୍ଚା ଚାଲିଛି, ଏନେଇ ଜଣେ ଯୁବ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉ:ଯୁଗ ବଦଳୁଛି ତାହା ସହିତ ଲୋକମାଙ୍କର ଚେତନା ମଧ୍ୟ ବଦଳିବାରେ ଲାଗିଛି । ଏହି ପରିବର୍ତ୍ତନ ଚେତନା ହିଁ ସାହିତ୍ୟ ସୌନ୍ଦର୍ଯ୍ୟକୁ ପରିବର୍ତ୍ତନ କରିବାରେ ଲାଗିଛି । ତେବେ ସାହିତ୍ୟରେ ଆଧୁନିକତା ଆସିବା ପୂର୍ବରୁ ଆଧୁନିକତା ପ୍ରଥମେ ଆସିଛି ମାନସିକତାରେ । ଯାହାର ଫଳସ୍ୱରପ ସୃଷ୍ଟି ହୋଇଛି ଉତ୍ତର ଆଧୁନିକତା । ଅନେକ ସମାଲୋଚକଙ୍କ ମତରେ ଉତ୍ତର ଆଧୁନିକତା ଏକ ଯୁଗ ନୁହେଁ ଏହା ଏକ ଚେତନା । ଏହି ଚେତନା ୧୯୬୦ ରୁ ଓଡିଆ ସାହିତ୍ୟରେ ପ୍ରବେଶ କରିଥିଲା ଏବଂ ୧୯୮୦ ମସିହାରେ ଅଧିକ ବଳବତ୍ତର ହୋଇଥିଲା । ଅନେକ ବାଦ ଏବଂ ମିଥ୍ ଧର୍ମୀ କାବ୍ୟ ଚେତନା ଏହି ସମୟରେ ଅଧିକ ରଚିତ । ଅନେକ ସମାଲୋଚକଙ୍କ ମତରେ ରମାକାନ୍ତ ରଥଙ୍କ ‘ଶ୍ରୀରାଧା’ ଏବଂ ପ୍ରତିଭା ରାୟଙ୍କ ‘ଯାଜ୍ଞସେନୀ’ ଉପନ୍ୟାସରେ,ସୁରେନ୍ଦ୍ରନାଥ ଶତପଥୀଙ୍କ ‘କର୍ଣ୍ଣ’ ଉପନ୍ୟାସରେ ଏହି ଚେତନା ଦେଖିବାକୁ ମିଳିଥାଏ । ଜଣେ ଯୁବ ସାରସ୍ଵତ ପ୍ରେମୀ ଭାବେ ମୁଁ ଏହାକୁ ଗ୍ରହଣ କରେ । ପ୍ରତୀକ, ଚିତ୍ରକଳ୍ପ ଆଦି ର ପ୍ରୟୋଗରେ କାବ୍ୟିକ ଶୈଳୀର ମନୋଜ୍ଞ ଛଟାରେ ମୁଁ ଆତ୍ମତୃପ୍ତି ଅନୁଭବ କରେ ।
10-ପୁରା କାଳରେ କରାଯାଇଥିବା ଭାଷା-ପ୍ରୀତି ଆନ୍ଦୋଳନର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ମନ୍ତବ୍ୟ ରଖନ୍ତୁ ?
ଉ:ସୌଭାଗ୍ଯର କଥା ଓଡିଆ ଭାଷା ବର୍ତ୍ତମାନ ବଞ୍ଚିପାରିଛି। ତାହା ପୁଣି ସମ୍ମାନ ର ସହିତ ଭାରତୀୟ ଭାଷା ମାନଙ୍କ ମଧ୍ୟରେ ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷା ରୂପରେ। ଏହାର ସମସ୍ତ ଶ୍ରେୟ ସେହି ମହାପୁରୁଷ ମାନଙ୍କ ନାମରେ ସମର୍ପିତ,ଯେଉଁମାନେ କୁଚକ୍ରୀ ବଙ୍ଗାଳୀ ମାନଙ୍କ ଓଡିଆ-ଭାଷା ବିଲୋପର ଚକ୍ରାନ୍ତରୁ ଓଡିଆ ଭାଷାକୁ ରକ୍ଷା କରି ପାରିଛନ୍ତି ।ସେମାନଙ୍କ ମଧ୍ୟରେ ଫକୀର ମୋହନ ସେନାପତି ପ୍ରମୁଖ ଏବଂ ତାଙ୍କ ସହ ଯୋଗ ଦେଇଥିଲେ ଜନ୍ ବିମ୍ସ ଓ ଅନ୍ୟାନ୍ୟ କବି ବୃନ୍ଦ। ଯେଉଁ ମାନଙ୍କ ପାଇଁ ଆଜି ଓଡିଶାର ବିଦ୍ୟାଳୟ ମାନଙ୍କରେ ଓଡିଆ ଭାଷାର ପ୍ରଚଳନ ରହିଅଛି। ବଂକିମ୍ ଚନ୍ଦ୍ର କହିଥିବା “ଉଡିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ” ଏହି ଉକ୍ତିକୁ ମିଥ୍ୟା ବୋଲି ପ୍ରମାଣିତ କରିଥିଲେ ।କିନ୍ତୁ ଦୁଃଖର ବିଷୟ ଓଡିଆ ଭାଷା ଭାରତୀୟ ଭାଷା ମାନଙ୍କ ମଧ୍ୟରେ ପ୍ରାଚୀନ ଏବଂ ଶାସ୍ତ୍ରୀୟ ଭାଷା ରୂପେ ସମ୍ମାନିତ ହୋଇଥିଲେ ମଧ୍ୟ ଓଡିଶାର କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଓଡିଆ ଭାଷାର ଲିଖିତ କିମ୍ବା ମୌଖିକ ପ୍ରୟୋଗ କରାଯାଉ ନାହିଁ। ଓଡିଆ ବଦଳରେ ଇଂରାଜୀ ଭାଷାର ପ୍ରାଧାନ୍ୟ ଅଧିକ। ଓଡିଆ ଭାଷା ମଧ୍ୟ ନବ୍ୟ ପୀଢିମାନଙ୍କ ମୁଖରେ ଖଣ୍ଡି ହିନ୍ଦୀ ଏବଂ ଖଣ୍ଡି ଇଂରାଜୀ ମିଶା ହୋଇ ବିକୃତ ଓ କଦାକାର ହେବାରେ ଲାଗିଛି। ଯାହାକୁ ଆମେ ଆଧୁନିକତା ବୋଲି କହି ଗର୍ବ କରୁଛୁ। ଏବଂ ଭାଷାକୁ ଅଳଙ୍କୃତ କରୁଛୁ ବୋଲି ବ୍ୟକ୍ତିକୈନ୍ଦ୍ରିକ ଦୃଷ୍ଟି କୋଣରୁ ବିଚାର କରୁଛୁ।

11-ଜଣେ ସାରସ୍ୱତ ପ୍ରେମୀ ଭାବେ ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ ଜଣାଇବେ କି?
ଉ:ପାଞ୍ଚଜଣଙ୍କ ସହିତ ନିଜକୁ ଜଣେ ପ୍ରତିଯୋଗୀ ଭାବେ ଦେଖି ମୁଁ ବେଶ୍ ଖୁସି ଅନୁଭବ କରେ। ତା ଠାରୁ ବି ବେଶି ଖୁସି ଅନୁଭବ କରେ ଯେତେବେଳେ ସମସ୍ତଙ୍କୁ କାଟି ମୁଁ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରି ନିଜେ ନିଜକୁ କୃତକାର୍ଯ୍ଯ ଦେଖେ। ତା’ଠାରୁ ଆହୁରି ବେଶି ଭଲଲାଗେ ମୋର କୃତି ଗୁଡିକ ଯଦି କେହି ଅଧିକ ପସନ୍ଦ କରନ୍ତି ଏବଂ ଲେଖାଟିର ପ୍ରଶଂସା କରନ୍ତି ।ସେତେବେଳେ ମୁଁ ଭାବେ ମୋର ସୃଜନଶକ୍ତି ସାର୍ଥକ ହେଲା ।ଆଉ ଏହା ହିଁ ଜଣେ ଲେଖକର ସର୍ବଶ୍ରେଷ୍ଠ ଉପାଧି।

12- ଜଗତୀକରଣ ଓ ବିଶ୍ବାୟନ ପ୍ରକ୍ରିୟାରେ ଓଡ଼ିଆ ସାହିତ୍ୟର ସ୍ଥିତି ଓ ଅବସ୍ଥିତି ବାବଦରେ ସଂକ୍ଷିପ୍ତ ଭାବେ କଥା ରଖନ୍ତୁ।
ଉ:ପାଶ୍ଚାତ୍ୟକୁ ଅନୁକରଣ କିମ୍ବା ଅନୁସରଣ କରିବା ପ୍ରାଚ୍ୟର ପୁରାତନ ପ୍ରବୃତ୍ତି। ମୁଁ କହୁନି ଯେ ତାହା ଅନୁଚିତ, ଅନେକ ସମୟରେ ଏହା ଭଲ ଫଳ ମଧ୍ୟ ପ୍ରଦାନ କରିଥାଏ। ଜଗତୀକରଣର ଆକ୍ଷରିକ ଅର୍ଥ ସମୟର ଦୂରତାକୁ କମ୍ କରିବା। ଏହାର ଇଂରାଜୀ ପ୍ରତିଶବ୍ଦ “globalisation”। ଜଗତୀକରଣର ପ୍ରଭାବ ଦ୍ୱାରା ସାହିତ୍ୟ ମଧ୍ୟ ଅନେକ ଅଂଶରେ ପ୍ରଭାବିତ ହୋଇଛି। ବିଶ୍ୱସାହିତ୍ୟ ନିକଟରେ ପହଞ୍ଚିବାର ଦୂରତାକୁ ଏହା କମାଇଦେଇଛି। ଫ୍ରାନ୍ସରେ ସୃଷ୍ଟି ହୋଇଥିବା ରୋମାଣ୍ଟିକ୍ ବାଦ ,ଚିତ୍ରକଳ୍ପ ବାଦ,ପ୍ରତୀକ ବାଦ ଧୀରେ ଧୀରେ ଭାରତୀୟ ସାହିତ୍ୟ ଆଡକୁ ଅଗ୍ରସର କରିଛି। ଯାହା ଓଡିଆ କବିତାରେ ଲକ୍ଷ୍ୟ କରାଯାଇପାରେ। ଅନୁବାଦ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶର ଉଚ୍ଚକୋଟୀର ସାହିତ୍ୟ ବିଭିନ୍ନ ଭାଷାର ଅନୁଦିତ ହୋଇ ଆଦୃତ ହୋଇଅଛି। ଉଦାହରଣ ସ୍ବରୂପ:- ଟି.ଏସ୍. ଇଲିଅଟ୍ ଙ୍କ ‘The west land’ କବିତାକୁ ଗୁରୁ ପ୍ରସାଦ ମହାନ୍ତି ”ପୋଡା ଭୂଇଁ” ନାମରେ ଅନୁବାଦ କରିଥିଲେ। ଟେନିସନ୍ ଙ୍କ ‘ଇନକ୍ ଆର୍ଡେନ୍’ ଅବଲମ୍ବନ ନୀଳକଣ୍ଠ ‘ଦାସ ନାୟକ’ କାବ୍ୟ ରଚନା କରିଥିଲେ। ୨ୟରେ ଯାହା ବିଶ୍ୱର ଆୟନ ତାହା ବିଶ୍ବାୟନ। ଜଗତୀକରଣ ଓ ବିଶ୍ବାୟନ ଉଭୟ ପ୍ରକ୍ରିୟାରେ ଓଡିଆ ସାହିତ୍ୟ ପ୍ରଭାବିତ, ଏଥିରେ ଦ୍ବିମତ ହେବାରେ କୌଣସି କାରଣ ନାହିଁ ।
13-ଆଜିର ଓଡ଼ିଆ କ୍ଷୁଦ୍ରଗଳ୍ପ , ପାଠକର କେତେ ନିକଟତର ବୋଲି ଆପଣ ଭାବୁଛନ୍ତି ?
ଉ:ଲାଗୁଛି କ୍ଷୁଦ୍ରଗଳ୍ପ ଏବେ ଖାଲି ସାରସ୍ୱତ ସ୍ରଷ୍ଟାମାନଙ୍କ ମଧ୍ୟରେ ସୀମାବଦ୍ଧ। ଆଧୁନିକ ପାଠକ ଧୀରେ ଧୀରେ କାହାଣୀ ପଢିବା ଅପେକ୍ଷା ଆକର୍ଷଣୀୟ କାହାଣୀ ଦେଖିବାକୁ ଅଧିକ ପସନ୍ଦ କରନ୍ତି। ଫକୀର ମୋହନ ସେନାପତିଙ୍କ ରେବତୀ କୁ ପାଠକ ଆଉ ଖୋଲିବାକୁ ନୁହେଁ ପୋଥି ପରି ସାଇତି ଖାଲି ଯାହା ପୁସ୍ତକର ଗନ୍ତାଘର ଭିତରେ କଏଦ୍ କରି ରଖନ୍ତି। ବର୍ତ୍ତମାନ ଯୁଗରେ ରଚିତ ହୋଇଥିବା କ୍ଷୁଦ୍ରଗଳ୍ପ ଆକର୍ଷଣୀୟ ହେଲେ ମଧ୍ୟ ପାଠକର ଆଳସ୍ୟ ତାକୁ କ୍ଷୁଦ୍ରଗଳ୍ପ ଠାରୁ ଦୂରେଇ ନେଇଯାଏ। ଅବଶୋଷ୍ ଏହା କେବଳ ସାରସ୍ୱତ ସ୍ରଷ୍ଟା ଗୋଷ୍ଠୀଙ୍କ ମଧ୍ୟରେ ସୀମିତ ରହେ। ବର୍ତ୍ତମାନ ସମସ୍ତେ ଡିଗ୍ରୀ ଧାରି ପାଠୁଆ, କିନ୍ତୁ ପୁସ୍ତକ ପଠନ ଭିଳାସିଙ୍କ ସଂଖ୍ୟା ବହୁତ କମ୍।
14- ସାହିତ୍ୟିକମାନଙ୍କର ସମାଜ ପ୍ରତି ତଥା ସାମାଜିକ ସଂସ୍କାର ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଉଚିତ୍ କି ? ସେ ସମ୍ପର୍କରେ କିଛି ମତ ରଖନ୍ତୁ।
ଉ: ସଂସ୍କୃତରେ କୁହାଯାଇଛି,”ହିତେନଂ ସହ ବର୍ତ୍ତମାନଂ ତସ୍ୟ ଭାବ ସାହିତ୍ୟଃ”। ଅର୍ଥାତ୍ ଯାହା ନ୍ୟାୟରେ ଆମର ହିତ ସାଧନ କରିଥାଏ ତାହାକୁ ସାହିତ୍ୟ କୁହାଯାଏ। ଯେଉଁ ସାହାଯ୍ୟରେ ସମାଜ ସଂସ୍କାର ର ବାର୍ତ୍ତା ବା କିଛି ନୂତନ ଶିକ୍ଷଣୀୟ କଥା ନରହିଥାଏ ତେବେ ସେହିଭଳି ସାହିତ୍ୟ ସର୍ଜନା କରିବା ନିରର୍ଥକ। ଜଣେ ଲେଖକ ସମାଜ ସହିତ ଯେତିକି ନିବିଡ଼ ଭାବେ ସମ୍ପର୍କ ରକ୍ଷା କରିଥାଏ ତା’ର ଅନୁଭୂତି ତା’ର କୃତି ଭିତରେ ଆପେ ଝଟକି ଉଠିଥାଏ। ପଞ୍ଚସଖା ଯୁଗର କବି ‘ବଳରାମ ଦାସ’ ତାଙ୍କ ‘ଲକ୍ଷ୍ମୀପୁରାଣ’ ମାଧ୍ୟମରେ ସମାଜରୁ ଜାତି ପ୍ରଥା ନାମକ କୁ-ସଂସ୍କାରକୁ ଦୂର କରିବାର ପ୍ରୟାସ କରିଥିଲେ। ଅନେକ ଦେଶଭକ୍ତ କବିମାନେ ଓଡ଼ିଶା ପରାଧିନ ଥିବା ସମୟରେ ଦେଶାତ୍ମକ ବୋଧକ କବିତା ସବୁ ରଚନା କରି ସମାଜ ମଧ୍ୟରେ ଏକତାର ଝଡ ସୃଷ୍ଟି କରିଥିଲେ। ତେଣୁ ନିହାତି ଭାବରେ ଜଣେ ସାହିତ୍ୟିକର ସମାଜ ଓ ସାମାଜିକ ସଂସ୍କାର ପ୍ରତି ଅଙ୍ଗିକାର ବର୍ଦ୍ଦତା ରହିବା ଉଚିତ୍।
15-ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ସେତେ ଭଲ ହୋଇପାରିନି, ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉ: ହଁ ନିଶ୍ଚିନ୍ତ ଅଛି। ମୁଁ ଯେତେବେଳେ ଗୋଟେ କବିତାଟିଏ ଲେଖେ ସେତେବେଳେ ସମସ୍ତଙ୍କୁ ପଢିକି ଶୁଣାଇବାକୁ ମୋତେ ବହୁତ ଭଲଲାଗେ । ସ୍ନାତକ ପଢିବା ସମୟରେ ଏକ କବିତା ମୁଁ ମୋର ଗୁରୁଙ୍କୁ ପଢ଼ାଇ ଥିଲି । ସେ ମୋତେ ପ୍ରେରଣା ଦେଇ କହିଥିଲେ ତୁ ଲେଖି ଚାଲ । ଦିନ ଆସିବ ତୁ ଯେତେବେଳେ ତୋର ପୁରୁଣା କବିତା ସବୁ ପଢିବୁ ନିଜ କବିତାକୁ ଦେଖି ନିଜେ ହସିବୁ । ସେବେଠୁ ମୁଁ ଲେଖିଥିଲି କିନ୍ତୁ ପ୍ରବୀଣ ନଥିଲି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଅଧ୍ୟୟନ ସମୟରେ ମୋର ସହପାଠୀ ମାନଙ୍କର କବିତା ସବୁ ଶୁଣି ମୁଁ ଭାବେ କିପରି ସେହି ପରି ଭାବ ଥିବା କବିତା ସବୁ ମୁଁ ରଚନା କରିବି। ସେତେବେଳେ ସମାଜ ସହିତ ସଂପର୍କ ମୁଁ ବହୁତ କମ୍ ରଖୁଥିଲି । ବହୁତ କଷ୍ଟରେ ଭାବି ଭାବି ଗୋଟିଏ ପ୍ରେମ କବିତାଟିଏ ଲେଖି ମୋର ଅଧ୍ୟାପକ ଡ଼ଃ ସଦାନନ୍ଦ ନାୟକଙ୍କୁ ପଢାଇଥିଲି । ତାକୁ ପଢି ସେ କହିଥିଲେ, “ଏଥିରେ ଥିମ୍ (ଭାବବସ୍ତୁ ) କାହିଁ? ଏହାର ଭାବ ମୁଁ କିଛି ବୁଝି ପାରୁନି।” ସେବେଠାରୁ ଭାବିଲି ନା ମୋ ଦ୍ଵାରା ଆଉ କବିତା ଲେଖିହେବ ନାହିଁ । ମୋ ଲେଖାଲେଖିରେ ମଧ୍ୟ ସେହିଦିନ ଠାରୁ ଦିର୍ଘ ୧ ବର୍ଷ ଧରି ପୂର୍ଣ୍ଣଛେଦ ପଡିଥିଲା। ଏହାରି ଭିତରେ ମୁଁ ଗଢିଥିବା ଜନ ସଂପର୍କର ତିକ୍ତ ମଧୁର ଅନୁଭୂତିରୁ ମୋର ସର୍ଜନା ଶକ୍ତିର ବିକାଶ ଘଟିଥିଲା। ଏବଂ ମୋର ହାତ ଆପେ ଆପେ କାଗଜ କଲମ ଆଡ଼କୁ ଏକ ଚୁମ୍ବକୀୟ ଆକର୍ଷଣୀୟରେ ଟାଣି ହୋଇଯାଇଥିଲା।ବିଶିଷ୍ଟ ସାହିତ୍ୟିକ ୱାର୍ଡ୍ସ ୱାର୍ଥ କହିଥିଲେ, “ଦୁଃଖ ଆଉ ଲୁହର ସ୍ପର୍ଶ ଅନୁଭବ ନ କଲେ ହୃଦୟ ସ୍ପର୍ଶି ସାହିତ୍ୟ ସୃଷ୍ଟି ହୋଇପାରେ ନାହିଁ ।” ବାସ୍ତବିକ୍ ମୋ କ୍ଷେତ୍ରରେ ଏହି ଉକ୍ତିର ଯଥାର୍ଥତା ରହିଛି।

16-“ସାହିତ୍ୟର ସ-ହିତରେ ରହିବା ସହ ସୃଜନ ମନସ୍କ ହୋଇ କିଛି ଲେଖିବା ପାଇଁ ବୟସ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଅନୁଭବ , ଅନୁଭୂତି , ପୁସ୍ତକ ପଠନ, ଗଭୀର ମନନ ତଥା ଚିନ୍ତନର ଆବଶ୍ୟକତା ଥାଏ।” – ଆପଣଙ୍କ ମତରେ ଏହି ମନ୍ତବ୍ୟଟି କ’ଣ ଠିକ ..! ଯଦି ହଁ , ତେବେ କାହିଁକି ..? ତାହାର ଉତ୍ତର ରଖିବାକୁ ଅନୁରୋଧ ।
ଉ:ପୂର୍ବ ପ୍ରଶ୍ନର ଉତ୍ତରରେ ମୁଁ କହିସାରିଛି ଯେ ଅନୁଭବ ଓ ଅନୁଭୂତି ମୋତେ କିପରି ସାହିତ୍ୟ ରଚନା କରିବା ପାଇଁ ବାଧ୍ୟ କରିଥିଲା। ଅନୁଭବ ଏବଂ ଅନୁଭୂତି ସର୍ଜନା ଶକ୍ତିର ଆତ୍ମା। ପୁସ୍ତକ ଗଠନ ଗଭୀର ମନନ ତଥା ଚିନ୍ତନ ହେଉଛି ତାର ଶରୀର । କାରଣ ପୁସ୍ତକ ପଠନ ଦ୍ଵାରା ଆମେ ଅନେକ ଗୁଡିଏ ଶବ୍ଦ ଏବଂ ଭାଷା ଶୈଳୀ ବିଷୟରେ ଧାରଣା ପ୍ରାପ୍ତ କରିଥାନ୍ତି। ଯାହା ମାଧ୍ୟମରେ ନିଜର ଅନୁଭୂତିକୁ ବାଖ୍ୟା କରି ଲିଖିତ ରୂପ ଦେଇଥାନ୍ତି। ତେଣୁ ଏଥିରେ ବୟସ ଆଦୌ ଗୁରୁତ୍ଵପୂର୍ଣ୍ଣ ନୁହେଁ । ଅଧିକ ଗୁରୁତ୍ଵପୂର୍ଣ୍ଣ ହେଉଛି ଅନୁଭବ ବା ଅନୁଭୂତି।

17- ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଣେ ଯୁବ ପ୍ରତିଭା ଭାବେ ନିଜ ପ୍ରତିଭାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବାରେ ଆପଣଙ୍କୁ ସ୍ୱତନ୍ତ୍ର ସୁଯୋଗ ମିଳିଛି । କେତେ ମାତ୍ରାରେ ଖୁସି ତଥା ପ୍ରଭାବିତ ହୋଇଛନ୍ତି ତତ୍ ସମ୍ପର୍କିତ କିଛି କଥା ରଖିବାକୁ ଅନୁରୋଧ ।
ଉ:ଫଳାଫଳର ଆଶାୟୀ କିଞ୍ଚିତ ପରିମାଣରେ ମନ ମଧ୍ୟରେ ରହିଥିଲେ ମଧ୍ୟ ପାଞ୍ଚ ଜଣଙ୍କ ସହ ମୁଣ୍ଡ ଲଢାଇବା କିଛି କମ୍ କଥା ନୁହେଁ। ତେଣୁ ଜଣେ ପ୍ରତିଯୋଗୀ ଭାବେ ମୋତେ ସୁଯୋଗ ପ୍ରଦାନ କରିଥିବାରୁ ମୁଁ ‘ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ”କୁ ଅନ୍ତରରୁ ଶୁଭେଚ୍ଛା ଓ ଭଲପାଇବା ଜଣାଉଛି ଏବଂ ଏହାର ଦୀର୍ଘାୟୁ କାମନା କରୁଛି। ବିଶ୍ଵ ଦରବାରରେ ନିଜକୁ ଉପସ୍ଥାପନ କରିବାର ପଦଯାତ୍ରାରେ ଏହା ମୋ ପାଇଁ ସର୍ବ ପ୍ରଥମ ଅଟେ । “ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ” ମୋତେ ଏହି ସୁଯୋଗ ପ୍ରାପ୍ତ କରିଥିବାରୁ ମୋର ଏକ ଆଶା ପୂରଣ ହେଲା ଏହା ଜାଣି ମୁଁ ବହୁତ ଖୁସି ଅଛି। ତେଣିକି ଜିତିବା ହାରିବା କର୍ମ ଏବଂ ଭାଗ୍ୟର କଥା।
18.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସମ୍ପର୍କରେ କେଉଁ ସବୁ କଥା ଆପଣଙ୍କୁ ପ୍ରଭାବିତ କରି ପାରିଛି ..? ଯାହା ଫଳରେ ଓଡିଶାରେ ଅନ୍ୟାନ୍ୟ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତା ଚାଲୁଥିବା ସତ୍ତ୍ୱେ ଆପଣ “ସୂର୍ଯ୍ୟୋଦୟ ଯୁବ ପ୍ରତିଭା ସମ୍ମାନ ପ୍ରତିଯୋଗିତା-୨୦୨୩” ପାଇଁ କାହିଁକି ଆଗ୍ରହୀ ହେଲେ?
ଉ:ପ୍ରତି ବର୍ଷ ଆନ୍ତର୍ଜାତୀୟ ସାହିତ୍ୟିକ ମାନଙ୍କର ଏକତ୍ରିତ ସମାଗମରେ ଆୟୋଜିତ ସାହିତ୍ୟ ଅଧିବେଶନ ଏବଂ ପୁରସ୍କାର ବିତରଣ ସଭା ମୋତେ ଖୁବ୍ ପ୍ରେରିତ କରିଛି। ଏହି ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କ ଶୁଭ ଜନ୍ମଦିନ ଅବସରରେ ଏକ ସ୍ଵତନ୍ତ୍ର ଆସରର ଆୟୋଜନ କରି ସଦସ୍ୟ ମାନଙ୍କୁ ଖୁବ୍ ଉତ୍ସାହିତ କରିଥାନ୍ତି ବୋଲି ମୁଁ ଭାବେ ଏବଂ ଏହା ସହ ଏକ ପାରିବାରିକ ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ। ତେଣୁ ଏହି ଭଳି ଏକତା ଥିବା ଏକ ପରିବାର ଭିତରେ ମୋର ଏକ ନୂଆ ଜନ୍ମ ଘଟିଥିବା ଦେଖି ମୁଁ ବହୁତ ଖୁସି ଅଛି।
19.ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ସହ ଆପଣଙ୍କ ସଂପୃକ୍ତି କିପରି ସମ୍ଭବ ହେଲା ଏବଂ ବ୍ୟସ୍ତ ବହୁଳ ଜୀବନରେ ସାହିତ୍ୟ ର ଆବଶ୍ୟକତା କୁ ଆପଣ କିପରି ଭାବେ ଦେଖନ୍ତି?
ଉ: ସୂର୍ଯ୍ୟୋଦୟ ପରିବାରର ପ୍ରତିଷ୍ଠାତା ସମ୍ପାଦକ ମନୋଜ ବାବୁଙ୍କ ସନ୍ଧାନୀ ଆଖି ମୋ ଭଳି ଅନେକ ଜଙ୍ଗଲି ଫୁଲକୁ ଆପଣମାନଙ୍କ ସମ୍ମୁଖରେ ଏକ ନୂତନ ନାମ ଦେବାକୁ ଯାଇ ଯେଉଁ ପ୍ରୟାସ କରୁଛନ୍ତି, ସେଇ ଭିଡ଼ ଭିତରୁ ମୁଁ ଜଣେ । ମନୋଜ ବାବୁଙ୍କୁ ବହୁତ ଧନ୍ୟବାଦ ଯେ’ ସମସ୍ତ ଫୁଲ ମାନଙ୍କ ଭିତରେ ମୋ ଭଳି ଏକ ଘାସ ଫୁଲଟିକୁ ଟିକେ ସ୍ଥାନ ଦେଇଛନ୍ତି । ବ୍ୟସ୍ତବହୁଳତା ମଧ୍ୟରେ ବି ମୁଁ ଉପନ୍ୟାସର କିଛି ପୃଷ୍ଠା ଲେଉଟାଏ । କାରଣ ମୋ ଦୃଷ୍ଟିରେ ଏହି ସାହିତ୍ୟ ବ୍ୟକ୍ତି ଜୀବନର ମାନଦଣ୍ଡ। ଏହା ଆମକୁ ନିୟନ୍ତ୍ରୀତ କରି ଏକ ସ୍ଵଚ୍ଛଳ ଜୀବନଯାପନର ପନ୍ଥା ଆଡ଼କୁ ଅଗ୍ରସର କରିନିଏ ।
20. ସାହିତ୍ୟକୁ ନେଇ ଆପଣଙ୍କର ଜୀବନ ଦର୍ଶନ କଣ ଅଛି ଓ ସୂର୍ଯ୍ୟୋଦୟ ଠାରୁ କେଉଁ ପ୍ରକାର ସାରସ୍ବତୀୟ ସହଯୋଗ ଆଶା କରୁଛନ୍ତି।
ଉ:ସାହିତ୍ୟରେ କାହାଣୀ ମାଧ୍ୟମରେ କିଛି ନୂଆ କଥା କହିବା, ସମାଜ ସଂସ୍କାରର ବାର୍ତ୍ତା ପ୍ରଚାର କରିବା,ଆଉ ପାଠକ ହୃଦୟରେ ସ୍ନେହ, ପ୍ରେମ,କ୍ଷମା,ଦୟା, ମାନବିକତାର ସଂଚାର କରିବା ମୋ ଜୀବନର ଦର୍ଶନ।ଆଶା କରୁଛି ଏହି କ୍ଷେତ୍ରରେ “ସୂର୍ଯ୍ୟୋଦୟ” ମୋତେ ବହୁତ ପ୍ରେରଣା ପ୍ରଦାନ କରିବେ।

ଧନ୍ୟବାଦ।🙏🏼

ସ୍ନେହର ସନ୍ତୋଷିନୀ !
ଆପଣଙ୍କ ସହିତ ସାହିତ୍ୟର ତମାମ ଦିଗ ତଥା ଏହାର ସାମାଜିକ ଜୀବନରେ ବ୍ୟବହାର ସମ୍ପର୍କିତ ବିଷୟ ବାବଦରେ ଜାଣି ଖୁବ ଖୁସି ହେଲୁ, ଆପଣଙ୍କ ଉଡାଣ ଏହିପରି ଜାରି ରହୁ।

ଅଭିନନ୍ଦନ ସହିତ

ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ|

 

Loading

3 thoughts on “Lets talk with a most talented Poetess, “Santosini Ojha” hails from Puri, district of Odisha for SLF Literary Youth Icon Award contest-. 2023

  1. ଆପଣଙ୍କ ସାକ୍ଷାତକାର ପଢି ଆପଣଙ୍କ ମତ ଅନୁସାରେ ସାହିତ୍ୟ ତଥା ସମାଜ ଉପରେ ପର୍ଯ୍ୟବେସିତ ତମାମ୍ ଦିଗ ବିଷୟରେ ପଢି ଖୁବ୍ ଖୁସି ଲାଗିଲା।ସାହିତ୍ୟକୁ ନେଇ ଆପଣଙ୍କର ଆଶା ସଠିକ୍ ସମୟରେ ପୂରଣ ହେବ,ସେଥିପାଇଁଁ ଅନେକ ଅନେକ ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *